ETV Bharat / state

ରାଇରଙ୍ଗପୁରରେ ଜନଜାତି କ୍ରୀଡ଼ା ମହୋତ୍ସବ, ୨୬ ଫୁଟବଲ ଦଳ ସାମିଲ

author img

By ETV Bharat Odisha Team

Published : Feb 15, 2024, 10:43 AM IST

ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪
Tribal Sports Festival

Tribal Sports Festival: ରାଇରଙ୍ଗପୁରରେ ଜାରି ରହିଛି ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪ । ଭାଗ ନେଇଛନ୍ତି ୨୬ଟି ଫୁଟବଲ ଦଳ । ଅଧିକ ପଢନ୍ତୁ

Tribal Sports Festival

ରାଇରଙ୍ଗପୁର: ରାଇରଙ୍ଗପୁର କଚେରୀ ପଡିଆଠାରେ ଆରମ୍ଭ ହୋଇଛି ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪ । ସ୍ବତନ୍ତ୍ର ଉନ୍ନୟନ ପରିଷଦ ମୟୂରଭଞ୍ଜ ଦ୍ବାରା ମହାଆଡ଼ମ୍ବର ସହକାରେ ଜାରି ରହିଛି ମହୋତ୍ସବ । ଏହି କ୍ରୀଡ଼ା ଉତ୍ସବରେ ଜିଲ୍ଲାର ୨୬ଟି ଫୁଟବଲ ଦଳ ଭାଗ ନେଇଛନ୍ତି । କାର୍ଯ୍ୟକ୍ରମଟି ପ୍ରଥମେ ପଞ୍ଚାୟତସ୍ତରରେ ଆରମ୍ଭ ହୋଇ ପରେ ପଞ୍ଚାୟତର ବଛା ବଛା ଟିମକୁ ନେଇ ୨୬ଟି ପଞ୍ଚାୟତ ସମିତି ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଜନଜାତି କ୍ରୀଡ଼ା ମହୋତ୍ସବ ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖରେ ଉଦ‌ଯାପିତ ହେବ ।

ପ୍ରତିଯୋଗିତାରେ ବିଜେତା ଦଳକୁ ୧ ଲକ୍ଷ, ରନର୍ସ ଅପ ଟିମ୍‌କୁ ୫୦ ହଜାର, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦ ହଜାର ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨୫ ହଜାର କରି ଅର୍ଥରାଶି ପ୍ରଦାନ କରାଯିବ । ଏହାଛଡ଼ା ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ମନୋନୀତ ହୋଇଥିବା ଖେଳାଳିଙ୍କୁ ବୁଲେଟ ମୋଟର ସାଇକେଲ, ଶ୍ରେଷ୍ଠ ଗୋଲ ରକ୍ଷକଙ୍କୁ ୨୫ ହଜାର ଓ ଶ୍ରେଷ୍ଠ ଡ଼ିଫେଣ୍ଡରଙ୍କୁ ୨୫ ହଜାର ଲେଖାଏଁ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି । ଉତ୍ସବର ଅନ୍ୟ ଏକ ଆକର୍ଷଣ ହେଉଛି ଦ୍ଵିତୀୟ ଓ ଉଦଯାପନୀ ଦିନର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ମଞ୍ଚରେ ସ୍ଥାନୀୟ କଳାକାରଙ୍କ ଦ୍ବାରା ଲୋକକଳା, ଓଲିଉଡ଼ କଳାକାରଙ୍କ ଦ୍ବାରା ଗୀତାନାଚ ଓ ଶେଷ ଦିନରେ ସୁନାମଧନ୍ୟ ବଲିଉଡ ଅଭିନେତା "ଗୁଲସନ୍ ଗ୍ରୋଭର"ଙ୍କ ଦ୍ବାରା କଳା ପ୍ରଦର୍ଶନ ହେବ ।

ଏହା ମଧ୍ୟ ପଢନ୍ତୁ: କାମାକ୍ଷାନଗର ମହୋତ୍ସବ, ନାଚଗୀତ ଖେଳକୁଦରେ ଝୁମିବେ ଲୋକେ

ଗତ ୧୩ ତାରିଖ ଦିନ ମୟୂରଭଞ୍ଜ ଏସଡିସି ଚେୟାରମ୍ୟାନ୍ ଡ. ଦେବାଶିଷ ମାଣ୍ଡି, ରାଇରଙ୍ଗପୁର ଏନଏସି ଚେୟାରମ୍ୟାନ୍ ଅଭିଷେକ ପଟ୍ଟନାୟକ, ପିଏଆଇଟିଡିଏ ରାଇରଙ୍ଗପୁର ଓ ଅନ୍ୟ ଅତିଥ୍‌ଙ୍କ ଉପସ୍ଥିତରେ ଉଦଘାଟିତ ହୋଇଥିଲା । ଦ୍ଵିତୀୟ ଦିବସରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼. ଦେବାଶିଷ ମାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ରାଇରଙ୍ଗପୁର ପି.ଏ. ଆଇଟିଡିଏ ପରୀକ୍ଷୀତ ଦାଶ, ବକ୍ତା ଭାବେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳା ନନ୍ଦ ସାହୁ ଯୋଗ ଦେଇଥିଲେ ।

ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ରାଇରଙ୍ଗପୁର ନଗରପାଳ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୁରୀ, ତନୁଜା ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ତେବେ ଜନଜାତିର ସଂସ୍କୃତିର ପ୍ରଗତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ ସର୍ବଦା ଜାଗ୍ରତ ପ୍ରହରୀ ପରି କାର୍ଯ୍ୟ କରୁଥିବାର ଜନସାଧାରଣରେ ସକାରାତ୍ମକ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.