ETV Bharat / state

ଆକାଶରୁ ନିଆଁ ବର୍ଷା ! ଆଉ 24 ଘଣ୍ଟା କଲବଲ କରିବ ହିଟୱେଭ୍‌ - Heat wave alert

author img

By ETV Bharat Odisha Team

Published : Apr 6, 2024, 1:14 PM IST

Updated : Apr 6, 2024, 3:09 PM IST

Etv Bharat
Etv Bharat

Heat wave grips Odisha: ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ ୨୪ ଘଣ୍ଟା ଯାଏ ହିଟୱେଭ ଜାରି ରହିବ । ଏନେଇ ୧୪ ଜିଲ୍ଲା ପାଇଁ ଜାରି ହୋଇଛି ସତର୍କ ସୂଚନା । ଜାଣନ୍ତୁ ଏହା କେଉଁ କେଉଁ ଜିଲ୍ଲା ।

ଆକାଶରୁ ନିଆଁ ବର୍ଷା

ଭୁବନେଶ୍ୱର: ତତଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ତେବେ ଆଉ ୨୪ ଘଣ୍ଟା ଯାଏଁ ରାଜ୍ୟର କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୪ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା କଟକ, ଭଦ୍ରକ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର । ସେହିପରି କାଲିଠାରୁ ରାଜ୍ୟରେ ବଦଳିବ ପାଗ । ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଜି କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଆଦି ୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ସତର୍କ ସୂଚନା ଜାରି ହୋଇଛି । ଗଜପତି, ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗରମ ସହ ଗୁଳୁଗୁଳି ଜାରି ରହିବ । ତେବେ କାଲିଠାରୁ ଆଜି ରାଜଧାନୀରେ ତାପମାତ୍ରା ଟିକିଏ କମିଛି । କାଲି ଭୁବନେଶ୍ବରରେ ସାଢେ ୧୧ଟା ସୁଦ୍ଧା ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଜଳୁଛି ଭୁବନେଶ୍ୱର: ଦେଶରେ ଦ୍ବିତୀୟ ଉତ୍ତପ୍ତ ସହର, ଏସିଆରେ ଷଷ୍ଠ - HEAT WAVE IN BHUBANESWAR

ଗତକାଲି ୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର ଏବଂ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ଥିଲା । ୨୫ଟି ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଥିଲା । ୧୦ଟି ସହରରେ ୪୨ ଡିଗ୍ରୀରୁ ଅଧିକ ତାପମାତ୍ରା ଥିଲା । ତେବେ ଭୁବନେଶ୍ୱରରେ କ୍ରମାଗତ ଭାବେ ୩୬ରୁ ୩୭ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ହଠାତ୍ କାହିଁକି ଏହା ଉତ୍ତପ୍ତ ସହର ଭାବେ ପରିଗଣିତ ହେଉଛି ସେନେଇ କାରଣ କହିଛନ୍ତି ପାଣିପାଗ ବିଜ୍ଞାନୀ ।

ତାଙ୍କର କହିବା ଅନୁଯାୟୀ, ଭୁବନେଶ୍ବର ଚର୍ତୁଃପାର୍ଶ୍ବରେ ଥିବା ସହର ଯେପରିକି ନୟାଗଡ, କଟକ, କନ୍ଧମାଳରେ ଭୁବନେଶ୍ୱର ଠାରୁ ତାପମାତ୍ରା ଯଥେଷ୍ଟ ଅଧିକ ଥିଲା । ସବୁଠି ଶୁଷ୍କ ଓ ଗରମ ବାୟୁ ପ୍ରବାହିତ ହେଉଥିବା ବେଳେ ଭୁବନେଶ୍ୱରରେ ୪ରୁ ୫ ତାରିଖରେ ୬.୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା । ଏହି ତାପମାତ୍ରା ସିଭିୟର ହିଟୱେଭ ଭାବରେ ପରିଗଣିତ ହୋଇଥିଲା । ଅଧିକ ସହରୀକରଣ ପାଇଁ ଏଭଳି ତାପମାତ୍ରା ବୃଦ୍ଧି ପାଇଛି । କାରଣ ଭୁବନେଶ୍ୱର ନିଜ ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡିକ ତୁଳନାରେ ସହରୀକରଣରେ ବହୁତ ଆଗରେ ରହିଛି । ସହରରେ କଂକ୍ରିଟ ଜଙ୍ଗଲ, ଆଦ୍ରଭୂମି ହ୍ରାସ ତଥା ଜଳ ଉତ୍ସ ନଷ୍ଟ, ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ, ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନ ଚଳାଚଳ ଅଧିକ ହେଉଛି । ଏହି ସ୍ଥାନୀୟ ସ୍ଥିତି ହିଁ ତାପମାତ୍ରା ବୃଦ୍ଧି କାରକକୁ ତ୍ଵରାନିତ୍ଵ କରିଥାଏ । ଯେଉଁଥିପାଇଁ ଭୁବନେଶ୍ୱରରେ ଚର୍ତୁଃପାର୍ଶ୍ବରେ ଥିବା ସହରଗୁଡିକ ତୁଳନାରେ ଯଥେଷ୍ଟ ଅଧିକ ତାପମାତ୍ରା ବୃଦ୍ଧି ହୋଇଛି । ଆଖପାଖ ସହରରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇଛି । ପାଣିପାଗର ଏହି ସହରୀକରଣ ପ୍ରକ୍ରିୟାକୁ Urban Heat Ireland effect ବା ସହରୀ ଉଷ୍ମ ଦୀପ ପ୍ରବାହ କୁହାଯାଏ ବୋଲି କହିଛନ୍ତି ଉମା ଶଙ୍କର ଦାସ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Apr 6, 2024, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.