ETV Bharat / state

ପୁରୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ମନ୍ଦିରରୁ ଲୁଟିନେଲେ ପୁରାତନ ମୂର୍ତ୍ତି

author img

By ETV Bharat Odisha Team

Published : Feb 23, 2024, 4:05 PM IST

Stone Sculpture stolen from temple: ଶ୍ରୀମନ୍ଦିର ନିକଟ ଗାଣ୍ଡୁଆଚଉରା ଛକ ପାଖରେ ଥିବା ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ,

ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି
ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି

ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି

ପୁରୀ: ପୁଣି ପୁରୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ମନ୍ଦିରରୁ ମୂଲ୍ୟବାନ ପୁରାତନ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ଆସିଛି । ଶ୍ରୀମନ୍ଦିର ନିକଟ ଗାଣ୍ଡୁଆଚଉରା ଛକ ପାଖରେ ଥିବା ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ପରିସରରୁ ନୃସିଂହ ମୂର୍ତ୍ତି ଚୋରି ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଭକ୍ତମାନେ ମନ୍ଦିରକୁ ଦର୍ଶନ ପାଇଁ ଆସି ଦେଖିଲା ବେଳକୁ ମୂର୍ତ୍ତି ତାର ସ୍ଥାନରେ ନଥିଲା । ପରେ ମୂର୍ତ୍ତି ଚୋରି ହୋଇଥିବା ଜଣା ପଡ଼ିଥିଲା । ତେବେ ଗତକାଲି (ଗୁରବାର) ବିଳମ୍ବିତ ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି । ଚୋରି ହୋଇଥିବା ମୂର୍ତ୍ତିଟି ବହୁ ପୁରାତନ ହୋଇଥିବା ବେଳେ ଏହା ବହୁମୂଲ୍ୟର ପଥର ମୂର୍ତ୍ତି ବୋଲି ଜଣା ପଡ଼ିଛି । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶ୍ରୀମନ୍ଦିର ଚାରି ପାଖରେ 24 ଘଣ୍ଟା ପୋଲିସ କର୍ମଚାରୀ ସୁରକ୍ଷା ଦେଉଥିବା ବେଳେ କେମିତି ଚୋରି ହେଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଘଟଣାରୁ ପ୍ରମାଣିତ ହୋଇଛି ରାତି ଡ୍ୟୁଟିରେ ଥିବା ପୋଲିସ ଠିକରେ ତାଙ୍କ କାମ କରୁ ନାହାନ୍ତି । କେବଳ ଡ୍ୟୁଟି ଅବଧି ସାରି କିଭଳି ଫେରିବେ ସେହି ଚିନ୍ତାରେ ପୋଲିସ ରହୁଥିବା ଅଭିଯୋଗ ହୋଇଛି। ତେବେ ଶ୍ରୀ ମନ୍ଦିର ଚାରିପାଖରେ ପୋଲିସର ଏଭଳି ବେପରୁଆ ନୀତିକୁ ପୁରୀ ବାସିନ୍ଦା କଡ଼ା ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ, ମୁଖା ପିନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା

ବାବା କପାଳମୋଚନ ହେଉଛନ୍ତି ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ l ଶ୍ରୀମନ୍ଦିର ବିଭିନ୍ନ ନୀତିକାନ୍ତି ସହ ବାବା କପାଳମୋଚନ ଅଙ୍ଗା ଅଙ୍ଗୀ ଭାବେ ଜଡିତ l ତେବେ ଗତ କିଛିଦିନ ତଳେ ପୁରୀ ଆଶ୍ରମ ଛକ ନିକଟରେ ଥିବା ବାବା ମୁକ୍ତେଶ୍ଵରଙ୍କ ମନ୍ଦିରରୁ ଚୋରି ହୋଇଥିଲା l ପୁରୀ ପୋଲିସ ମୁକ୍ତେଶ୍ଵର ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି ଓ ଅଳଙ୍କାର ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l ତେବେ ପୁଣି ଥରେ ଶ୍ରୀମନ୍ଦିର ନିକଟରେ ଥିବା ବାବା କପାଳ ମୋଚନଙ୍କ ମନ୍ଦିରରୁ ପଥରର ନୃସିଂହଙ୍କ ମୂର୍ତ୍ତି ଚୋରି ଏବେ ପୁରୀ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବାବା କପାଳମୋଚନଙ୍କ ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ଘଟଣାକୁ ନେଇ ମନ୍ଦିର ପକ୍ଷରୁ ସିଂହ ଦ୍ୱାର ଥାନାରେ ଏତଲା ଦିଆଯିବା ନେଇ ସୂଚନା ଦେଇଛନ୍ତି ସେବାୟତ l ତେବେ ପୁରୀ ଭଳି ଏକ ପ୍ରସିଦ୍ଧ ତୀର୍ଥ ସ୍ଥଳୀରେ ମନ୍ଦିର ଗୁଡ଼ିକୁ ପୋଲିସ ସୁରକ୍ଷା ଦେଇନପାରିବା ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି। ମନ୍ଦିର ଗୁଡ଼ିକୁ କିଭଳି ସୁରକ୍ଷା ଦିଆଯାଇ ପାରିବ ପୁରୀ ଏସପି ଓ ଜିଲ୍ଲାପାଳ ତୁରନ୍ତ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ଦାବି ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.