ETV Bharat / state

ସିଂହଦ୍ବାର ସମ୍ମୁଖରେ ଜଗିବେ ପ୍ରତିହାରୀ ସେବକ, ଅଣହିନ୍ଦୁଙ୍କୁ କରିବେ ଯାଞ୍ଚ - Sri jagannath Temple Puri

author img

By ETV Bharat Odisha Team

Published : Apr 13, 2024, 10:07 PM IST

Etv Bharat
Etv Bharat

Pratihari Sevayats Alloted To Identify Non Hindu : ଶ୍ରୀମନ୍ଦିରରେ ଏଣିକି ଅଣହିନ୍ଦୁଙ୍କ ପ୍ରବେଶକୁ ରୋକିବାକୁ ପୋଲିସ ସହ ପ୍ରତିହାରୀ ସେବାୟତ ନିଯୋଜିତ ହେବେ । ସିଂହଦ୍ବାର ସମ୍ମୁଖରେ ଆସୁଥିବା ଭକ୍ତଙ୍କର ନାଁ, ଗୋତ୍ର ତଥା ଅନ୍ୟାନ୍ୟ ତଥ୍ୟ ପଚାରି ଅଣହିନ୍ଦୁଙ୍କୁ ପ୍ରବେଶରୁ ରୋକିବେ । ଅଧିକ ପଢନ୍ତୁ

ସିଂହଦ୍ବାର ସମ୍ମୁଖରେ ଜଗିବେ ପ୍ରତିହାରୀ ସେବକ, ଅଣହିନ୍ଦୁଙ୍କୁ କରିବେ ଯାଞ୍ଚ

ପୁରୀ: ଶ୍ରାମନ୍ଦିରର ସୁରକ୍ଷା ଦାୟିତ୍ବରେ ପୁଣି ଫେରିବେ ସେବାୟତ । ସିଂହଦ୍ବାର ନିକଟରେ ଉପସ୍ଥିତ ରହିବେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ । ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ବାରମ୍ବାର ନଜରକୁ ଆସିବା ପରେ ଏହାକୁ ରୋକିବା ପାଇଁ ପ୍ରତିହାରୀ ସେବକଙ୍କୁ ସିଂହଦ୍ଵାର ନିକଟରେ ମୁତୟନ କରାଯିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିଷ୍ପତ୍ତି ହୋଇଛି ।

ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ କିଏ ହିନ୍ଦୁ, କିଏ ଅଣହିନ୍ଦୁ ତାହା ଚିହ୍ନଟ କରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ କାର୍ଯ୍ୟ । ତେବେ ପ୍ରତିହାରୀ ସେବକ ମାନେ ସିଂହଦ୍ଵାର ନିକଟରେ ଉପସ୍ଥିତ ରହିଲେ କୌଣସି ଅଣହିନ୍ଦୁ ପ୍ରବେଶ କଲେ ତାଙ୍କୁ ସେ ଅଟକାଇ ପାରିବେ । ସନ୍ଦେହ ହେଉଥିବା ଲୋକଙ୍କୁ ତାଙ୍କ ଗୋତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିବେ ପ୍ରତିହାରୀ ସେବକ । ଫଳରେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ କରିବା ଉପରେ ରୋକ୍ ଲଗାଯାଇପାରିବ । ଶ୍ରୀମନ୍ଦିର ଦ୍ବାର ଫିଟା ଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ସିଂହଦ୍ଵାର ନିକଟରେ ପ୍ରତିହାରୀ ସେବକ ମାନେ ଉପସ୍ଥିତ ରହିବେ । ତେବେ ଏହାକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କଲ୍ୟାଣ ଯୋଜନା, ସେବାୟତଙ୍କ ସ୍ୱାଗତ

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରରେ ପ୍ରତିହାରୀ ସେବା ଏକ ସ୍ବତନ୍ତ୍ର ସେବା । ରାଜା ଶାସନ ସମୟରେ ଏହି ପ୍ରତିହାରୀ ସେବକମାନେ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳା ରକ୍ଷା କରୁଥିଲେ । ଭକ୍ତମାନେ କିଭଳି ମହାପ୍ରଭୁଙ୍କୁ ସୁରୁଖୁରୁରେ ଦର୍ଶନ କରିବେ ସେନେଇ ସମସ୍ତ କାର୍ଯ୍ୟ ବୁଝୁଥିଲେ । ସିଂହଦ୍ଵାର ନିକଟରେ ପ୍ରତିହାରୀ ସେବକ ମାନେ ଉପସ୍ଥିତ ରହିବା ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସରେ ଉଲ୍ଲେଖ ରହିଛି । ତେବେ କୌଣସି କାରଣବଶତଃ ଏହି ସେବା ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ଫଳରେ ଅନେକ ଅଣହିନ୍ଦୁ ଶ୍ରୀମନ୍ଦିରରେ ଅବାଧ ପ୍ରବେଶ କରୁଥିବା ବେଳେ ପୋଲିସ ସେମାନଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରୁନାହିଁ ।

ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଶ୍ରୀମନ୍ଦିରର ପୁରୁଣା ପରମ୍ପରାକୁ ଲାଗୁ କରାଯାଇଥିବା ବେଳେ ପଣା ସଂକ୍ରାନ୍ତିଠାରୁ ପ୍ରତିହାରୀ ସେବକ ମାନେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଯାତ୍ରୀଙ୍କୁ ଯାଞ୍ଚ କରିବା ପାଇଁ ଉପସ୍ଥିତ ରହିବେ । ପୂର୍ବରୁ ରାଜାରାଜୁଡ଼ା ସମୟରେ ଖୁବ୍ କମ୍ ଭକ୍ତ ଶ୍ରୀମନ୍ଦିର ଆସୁଥିଲେ । ତେବେ ବର୍ତ୍ତମାନ ସମୟରେ ପ୍ରତିଦିନ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି ।‌ ତେଣୁ ପ୍ରବଳ ଭକ୍ତଙ୍କ ସମାଗମ ଶ୍ରୀମନ୍ଦିରରେ ହେଉଥିବା ବେଳେ ଅଣହିନ୍ଦୁଙ୍କୁ ଚିହ୍ନଟ କରିବା ପାଇଁ ପୁନର୍ବାର ପ୍ରତିହାରୀ ସେବା ଶ୍ରୀମନ୍ଦିର ନିକଟରେ ଲାଗୁ କରିବା କେତେଦୂର ସଫଳ ହେବ ତାହା ସମୟ କହିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.