ETV Bharat / state

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

author img

By ETV Bharat Odisha Team

Published : Mar 5, 2024, 12:36 PM IST

ବିଜୁ ଜୟନ୍ତୀ
ବିଜୁ ଜୟନ୍ତୀ

Biju Patnaik Birth Anniversary: ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ଗଣଦୌଡ଼ ସହ ଏଟିଏମ୍‌ କାଉଣ୍ଟର ଶୁଭାରମ୍ଭ କରିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ

ବିଜୁ ଜୟନ୍ତୀ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୮ତମ ଜନ୍ମ ଜୟନ୍ତୀ । ଓଡି଼ଶା ରଜନୀତିର ପୁରୋଧାଙ୍କୁ ମନେପକାଉଛି ସାରା ରାଜ୍ୟ । ସବୁଠାରେ ବଡ଼ ଉତ୍ସାହର ସହ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ଚାଲିଛି । ଏହି ପ୍ରରିପ୍ରେକ୍ଷୀରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ମୃତିଚାରଣ କରିଛନ୍ତି ।

ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ଗଣଦୌଡ଼ର ଆୟୋଜନ ହୋଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ କ୍ରୀଡ଼ା ହଷ୍ଟେଲ, ଆଥଲେଟିକ୍ସ, ଫୁଟବଲ, ହକି, ସୁଇମିଂ, ଜିମନାଷ୍ଟିକ୍ସ ଓ ସ୍କେଟିଂ ଆଦି ବିଭିନ୍ନ କ୍ରୀଡ଼ା ବର୍ଗର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥି ସହିତ ବିଜୁ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଚିତ୍ରକଳା, ଏକକ ସଂଗୀତ ଏବଂ ରଙ୍ଗୋଲି ଆଦି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମନ୍ତ୍ରୀ ପୁରସ୍କୃତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିନ, ଜନନାୟକଙ୍କୁ ଝୁରୁଛି ଓଡ଼ିଶା

ମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ନିୟମିତ ଯୋଗ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ନିଜେ ଯୋଗ କରିବା ସହ ସମସ୍ତେ ଯୋଗକୁ ନିଜ ଜୀବନରେ ସାମିଲ କରି ସୁସ୍ଥ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଫିଟନେସ ପାଇଁ ଯୋଗ ଓ ପ୍ରାଣାୟାମର ଯଥେଷ୍ଟ ଭୂମିକା ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସବୁ ବର୍ଗଙ୍କ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ନିୟମିତ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଷ୍ଟାଡ଼ିୟମ ପରିସରରେ ଏକ ଏଟିଏମ କାଉଣ୍ଟରର ମଧ୍ୟ ଶୁଭାରମ୍ଭ ହୋଇଛି । ଆଜିର କାର୍ଯ୍ୟକ୍ରମରେ ହକି ପ୍ରମୋସନ କାଉନସିଲ ସିଇଓ ତଥା ନିର୍ଦେଶକ ଦିପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଦିଲ୍ଲୀପ କୁମାର ଜେନା, ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର କୁମାର ଜେନା ଓ ରଞ୍ଜିତ ପରିଡାଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରୋଗ୍ରାମ ଅଧିକାରୀ ନିବେଦିତା ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.