ETV Bharat / state

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିନ, ଜନନାୟକଙ୍କୁ ଝୁରୁଛି ଓଡ଼ିଶା

author img

By ETV Bharat Odisha Team

Published : Mar 5, 2024, 9:24 AM IST

Updated : Mar 5, 2024, 2:24 PM IST

Biju Patnaik Birth Anniversary: ଆଜି ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ 108 ତମ ଜନ୍ମଦିନ । କଳିଙ୍ଗବୀରଙ୍କୁ ଝୁରୁଛି ରାଜ୍ୟ । ଅଧିକ ପଢନ୍ତୁ

Biju Patnaik Birth Anniversary
Biju Patnaik Birth Anniversary

ଭୁବନେଶ୍ୱର: ଓଡିଶା ରଜନୀତିର ପୁରୋଧା ବିଜୁ ପଟ୍ଟନାୟକ । ସେ ଥିଲେ ଓଡ଼ିଆ ମାଟିର ଗୌରବ, ନୂଆ ଓଡିଶାର ନିର୍ମାତା, ରାଜନୀତିର ମାହଦ୍ରୁମ, ଦକ୍ଷ ପାଇଲଟ ଓ ଶିଳ୍ପପତି । ରାଜନୀତି ଯୁଦ୍ଧରେ ସେ ଥିଲେ ଜଣେ ସଫଳ ଯୋଦ୍ଧା । ବିଜୟାନନ୍ଦ ପଟ୍ଟନାୟ ବା ବିଜୁ ବାବୁ, ଓଡିଶା ପ୍ରତି ତାଙ୍କ ମହାନ ଅବଦାନ ପାଇଁ ତାଙ୍କୁ ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର ଆଖ୍ୟା ଦିଆଯାଇଛି । ତାଙ୍କ ଦୁଃସାହାସିକ ପଦକ୍ଷେପ ଓଡିଶାକୁ ନୂଆ ପରିଚୟ ଦେଇଛି । ଅଦମ୍ୟ ସାହାସିକତା ଯୋଗୁଁ ସେ ରାଜ୍ୟ, ଦେଶ ତଥା ଦେଶ ବାହାରେ ବେଶ ପରିଚିତ । ବିଜୁ ବାବୁ ଆଜି ନାହାନ୍ତି ସତ, କିନ୍ତୁ ସେ କରିଥିବା ପ୍ରତିଟି କୀର୍ତ୍ତିମାନ ଆଜିବି ମନେ ରଖିଛନ୍ତି ପ୍ରତିଟି ଓଡିଆ । ଆଜି ସେହି ଭୂମିପୁତ୍ରଙ୍କ 108ତମ ଜନ୍ମ ଜୟନ୍ତୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୁ ବାବୁଙ୍କ ଜନ୍ମ ଜୟନ୍ତିରେ ଶ୍ରଦ୍ଧାଞ୍ଜଳି ଜମାଇଛନ୍ତି । ମୋଦି ଏକ୍ସରେ ଟ୍ବିଟ କରି କହିଛନ୍ତି, '' ବିଜୁ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ଦୂର ଦୃଷ୍ଟିସମ୍ପନ୍ନ ନେତୃତ୍ୱ ପିଢି ପରେ ପିଢି ପ୍ରେରଣା ଯୋଗାଉଛି । ଦେଶ ପାଇଁ ତାଙ୍କ ଅବଦାନ ଓ ବିକାଶ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ଉଦାହରଣ ଅଟେ । ''

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, '' ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ସେ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି। ଆସନ୍ତୁ ସେହି ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା। ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା। ''

ଏକାଧାରରେ ବିଜୁ ବାବୁ ଥିଲେ ଜଣେ ପାଇଲଟ, ରାଜନୈତିଜ୍ଞ ଓ ବ୍ୟବସାୟୀ । ପ୍ରଥମେ ପାଇଲଟ ଥିବା ବିଜୁ ବାବୁଙ୍କୁ ଓଡିଶା ପ୍ରୀତି କିଛି କରିବାକୁ ଆଗଭର କରିଥିଲା । ଯେଉଁଥିପାଇଁ ସେ ପାଇଲଟ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ଆଉ ଓଡିଶାକୁ ଦେଇଥିଲେ ଅନେକ ମାନସ ସନ୍ତାନ । ତାଙ୍କ ସମୟରେ ପାରାଦ୍ବୀପ ବନ୍ଦର, ହୀରାକୁଦ ଡ୍ୟାମ୍‌, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଓଟିଏମ୍‌ ଆରମ୍ଭ ହୋଇଥିଲା । ଓଡିଶାର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ରାଜ୍ୟର ପ୍ରତି ଘରେ ଘରେ ନିଜର ଛାପ ଛାଡିଛନ୍ତି । ରାଜ୍ୟ ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି କ୍ଷେତ୍ରରେ ତାଙ୍କର ବେଶ ଦବଦବା ରହିଥିଲା । ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକାକୁ କେହି କେବେ ଭୁଲିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ବାଲୁକାକଳାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ ଜିଲ୍ଲାର ଜି ନୂଆ ଗ୍ରାମରେ ମାର୍ଚ୍ଚ 5, 1916 ମସିହାରେ ଲକ୍ଷ୍ମୀନାରାୟଣ ଓ ଆଶା ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ଓଡିଆ ମାଟିର ବୀର ସନ୍ତାନ ବିଜୟାନନ୍ଦ ପଟ୍ଟନାୟକ । ତାଙ୍କ ବାଲ୍ୟ ଜୀବନରୁ ଅନ୍ତିମ ଯାଏଁ ଦେଖିବାକୁ ମିଳିଥିଲା ଦୁଃସାହସ ଓ ନିର୍ଭୀକତା । ସେ ଥିଲେ ଅତ୍ୟନ୍ତ ବଳିଷ୍ଠ, ମେଧାବୀ ଉପସ୍ଥିତ ତଥା ବିଚକ୍ଷଣ ବୁଦ୍ଧିସମ୍ପର୍ଣ୍ଣ ବ୍ୟକ୍ତିତ୍ବ । ସେ ଦିନେ ସମଗ୍ର ବିଶ୍ବରେ ଏକ ଯୁଗାନ୍ତକାରୀ ଆଲୋଡନ ସୃଷ୍ଟି କରିବେ ତାହା ତାଙ୍କ ଛାତ୍ର ଜୀବନରୁ ହିଁ ଜଣାପଡିଯାଇଥିଲା ।

1926 ମସିହାରେ ହାଇସ୍କୁଲରେ ପାଠ ପଢୁଥିଲେ ବିଜୁ ବାବୁ । ସେ ସମୟରେ ଓଡିଶା ଆସିଥିଲେ ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ବରେ ସ୍ବାଧୀନତା ସଂଗ୍ରାମ ଜୋର ଧରିଥିଲା । ବିଜୁ ପଟ୍ଟନାୟକ ବାପୁଙ୍କୁ ପାଖରୁ ଦେଖିଥିଲେ । ସେହିଠାରୁ ତାଙ୍କ ଜୀବନରେ ବୁଣି ହୋଇଥିଲା ଦେଶପ୍ରେମ । ବିମାନ ଚାଳନା କ୍ଷେତ୍ରରେ ବହୁ ବିପଦର ସମ୍ମୁଖୀନ ହୋଇ ମଧ୍ୟ ହାରିନଥିଲେ । ସବୁ ବିପଦର ମୁକାବିଲା କରି ଜଣେ ଦକ୍ଷ ବିମାନଚାଳକ ରୂପେ ମଧ୍ୟ ସୁନାମ ଅର୍ଜନ କରିଥିଲେ । ଦେଶ ସ୍ବାଧୀନତାରେ ବିଜୁଙ୍କ ଅବଦାନ ଅତୁଳନୀୟ । 1943ରେ ଗୋରା ସରକାର ବିଜୁଙ୍କୁ ଗିରଫ ମଧ୍ୟ କରିଥିଲା ।

ରାଜନୈତିକ ଜୀବନ: 1952ରେ ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ହୋଇଥିଲେ ବିଜୁ ବାବୁ, 1961ରେ ଓଡିଶା କଂଗ୍ରେସ ଦଳର ସଭାପତି ହୋଇଥିଲେ । ସେହି ବର୍ଷ ମଧ୍ୟ ନିର୍ବାଚନରେ ବିଧାନସଭା ଆସିଲେ । କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ ପରେ ସେ ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ । ପରେ 1990ରେ ଓଡିଶାର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ 5 ବର୍ଷ କାଳ କଠିନ ପରିଶ୍ରମ କରି ଓଡିଶାକୁ ଉନ୍ନତି ପଥରେ ଆଗେଇ ନେଇଥିଲେ । 1997 ମସିହା ଆଜିର ଦିନରେ 81 ବର୍ଷ ବୟସରେ ଚିରନିଦ୍ରାରେ ଶୋଇଯାଇଥିଲେ ବିଜୁ ପଟ୍ଟନାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 5, 2024, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.