ETV Bharat / state

ସରଗରମ ସମ୍ବଲପୁର ରାଜନୀତି; କାଲି ମୁଖ୍ୟମନ୍ତ୍ରୀ, 3ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

author img

By ETV Bharat Odisha Team

Published : Jan 26, 2024, 8:01 PM IST

ସରଗରମ ସମ୍ବଲପୁର ରାଜନୀତି; କାଲି ମୁଖ୍ୟମନ୍ତ୍ରୀ  3ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ସରଗରମ ସମ୍ବଲପୁର ରାଜନୀତି; କାଲି ମୁଖ୍ୟମନ୍ତ୍ରୀ 3ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ସାଧାରଣ ନିର୍ବାଚନ ଯେତେ ପାଖାଉଛି ପଶ୍ଚିମ ଓଡିଶାରେ ରାଜନୈତିକ ମାହୋଲ ସେତେ ସରଗରମ ହେଉଛି । ବିଶେଷ କରି ସମ୍ବଲପୁରର ରାଜନୈତିକ ଓ ଧାର୍ମିକ ଦୃଷ୍ଟି କୋଣରୁ ଗୁରୁତ୍ବ ବଢ଼ିବାରେ ଲାଗିଛି । ଆସନ୍ତାକାଲି ରୂପାନ୍ତରିତ ସମଲେଶ୍ବରୀ ପ୍ରକଳ୍ପର ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ସରଗରମ ସମ୍ବଲପୁର ରାଜନୀତି; କାଲି ମୁଖ୍ୟମନ୍ତ୍ରୀ 3ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତେ ପାଖାଉଛି ପଶ୍ଚିମ ଓଡିଶାରେ ରାଜନୈତିକ ମାହୋଲ ସେତେ ସରଗରମ ହେଉଛି । ବିଶେଷ କରି ସମ୍ବଲପୁରର ରାଜନୈତିକ ଓ ଧାର୍ମିକ ଦୃଷ୍ଟି କୋଣରୁ ଗୁରୁତ୍ବ ବଢ଼ିବାରେ ଲାଗିଛି । ଆସନ୍ତାକାଲି ରୂପାନ୍ତରିତ ସମଲେଶ୍ବରୀ ପ୍ରକଳ୍ପର ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଆସନ୍ତା 3 ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢନ୍ତୁ- ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର

ଗତ କିଛି ବର୍ଷ ହେବ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବଲପୁରର ଗୁରୁତ୍ବ ବେଶ ବଢିଯାଇଛି । 2019 ନିର୍ବାଚନରେ ସମ୍ବଲପୁର ଲୋକସଭା ଓ ଏହା ଅନ୍ତର୍ଗତ ସମ୍ବଲପୁର ଓ ରେଙ୍ଗାଲୀ ବିଧାନସଭା ବିଜେପି ଖାତାକୁ ଯାଇଛି । ଅନ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପିର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ହୋଇଛି । ଯାହା ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ସେହିପରି 2022 ରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡକୁ ନେଇ ବ୍ୟାକଫୁଟକୁ ଯାଇଥିଲା ଶାସକ ଦଳ ବିଜେଡି । ଅନ୍ୟପକ୍ଷରେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରାବର ସମ୍ବଲପୁର ଗସ୍ତ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ।

ଏହାରି ଭିତରେ ଆସନ୍ତାକାଲି ରୂପାନ୍ତରିତ ସମଲେଶ୍ବରୀ ପ୍ରକଳ୍ପର ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ତଥା ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶାର ମା' ସମଲେଶ୍ବରୀଙ୍କ ସହ ନିବିଡ ଧାର୍ମିକ ସମ୍ପର୍କ ରହିଛି । ଏହି ଶକ୍ତିପୀଠର ବିକାଶ କାର୍ଯ୍ୟ କରି ପଶ୍ଚିମ ଓଡିଶାର ଭୋଟରଙ୍କୁ ପ୍ରଭାବିତ କରିବାକୁ ଆଶା ରଖିଛି ଶାସକ ଦଳ । ସେପଟେ 3 ତାରିଖରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମରେ ସରକାରୀ କାର୍ଯ୍ୟକ୍ରମ ସହ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ 3 ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି । ତେଣୁ ରାଜନୈତିକ, ଧାର୍ମିକ ଓ ଶିକ୍ଷା କ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବ ବଢିଯାଇଛି ।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସିଲେ ନିଶ୍ଚୟ ରାଜନୈତିକ ମାହୋଲ ଗରମ ହେବ । ଓଡ଼ିଶାର ପଶ୍ଚିମ ପ୍ରାନ୍ତ ସବୁବେଳେ ନବୀନ ସରକାର ଗୁରୁତ୍ବ ଦେଉଛନ୍ତି । ପଶ୍ଚିମ ପ୍ରାନ୍ତର ଉନ୍ନତି ଓ ବିକାଶ ପାଇଁ ପ୍ରାଥମିକତା ରହିଛି । ସମଗ୍ର ଓଡିଶା ସହ ପଶ୍ଚିମ ଓଡିଶାକୁ ଆଗକୁ ନେବା ପାଇଁ ନବୀନ ସରକାର କାର୍ଯ୍ୟ କରୁଛନ୍ତି । ରାସ୍ତା ଘାଟ, ବିଜୁ ଏକ୍ସପ୍ରେସ ୱେ ଓ ବିଭିନ୍ନ କାର୍ଯ୍ୟପନ୍ଥା ନିଆଯାଉଛି । ମା ସମଲେଇ ହେଉଛନ୍ତି ଓଡିଶା ତଥା ପଶ୍ଚିମ ଓଡିଶାର ସଂସ୍କୃତି ସହିତ ଜଡ଼ିତ । ଓଡ଼ିଶାର ପ୍ରମୁଖ ପ୍ରସିଦ୍ଧ ଶକ୍ତିପୀଠ । ପ୍ରତ୍ୟେକ ପଶ୍ଚିମ ଓଡିଶାବାସୀଙ୍କ ଇଷ୍ଟ ଦେବୀ ସମଲେଇ । ନବୀନ ସରକାରରେ ଯେଉଁଭଳି ଭାବେ ରୂପାନ୍ତରିତ ହୋଇଛି ତାହା ଅଭିନବ ଓ ଅନନ୍ୟ । ତାହାର ରୂପାନ୍ତରଣ ଉତ୍ସବକୁ ପ୍ରତ୍ୟେକ ପଶ୍ଚିମ ଓଡିଶା ବାସୀ କାଲିର ଦିନକୁ ଚାହିଁ ରହିଛନ୍ତି । ଲୋକଙ୍କ ଉତ୍ସାହ, ଉଦ୍ଦୀପନା, ଭକ୍ତି ଭାବନା ଓ ସମର୍ପଣ ଭାବ ରହିଛି । ବିଜୁ ଜନତା ଦଳ ନବୀନ ବାବୁଙ୍କ ନେତୃତ୍ବରେ ଜନ ଜାଗରଣ ସୃଷ୍ଟି ହୋଇଛି । ନବୀନ ବାବୁ ତାଙ୍କର ପ୍ରିୟତମ ନେତା । ବିକାଶ କାର୍ଯ୍ୟ ଚାଲିଛି । ବିକାଶ ସହିତ ଆମର ସାଂସ୍କୃତିକ ପରିଚୟକୁ ବି ବୃଦ୍ଧି କରିବାକୁ ପଡିବ । ଏହା ଅଭିନବ କାର୍ଯ୍ୟକ୍ରମ ବୋଲି କେବଳ କୁହାଯାଉନାହିଁ, କାଲି ତାହା ଲୋକାର୍ପିତ ହେଉଛି ।

ସେହିପରି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି ଯେ, ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ହେଉ ଅବା ଆସନ୍ତାକାଲି ସମଲେଶ୍ବରୀ ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ, ବିଜେଡି ପାଇଁ ସକରାତ୍ମକ ପରିବେଶ ସୃଷ୍ଟି ହେବ । ଏହା ନିଶ୍ଚୟ ଭାବେ ସାଧାରଣ ଲୋକଙ୍କ ଉପରେ ସକରାତ୍ମକ ପ୍ରଭାବ ରହିବ । କେନ୍ଦ୍ର ହେଉ ଅବା ରାଜ୍ୟରେ ଲୋକଙ୍କ ସାମଗ୍ରିକ ସୁବିଧା ପାଇଁ ଯେଉଁ କାର୍ଯ୍ୟକ୍ରମ ହେଉଛି ତାହା ଲୋକଙ୍କ ଆଧ୍ୟାତ୍ମିକ ମନୋଭାବକୁ ଉଦ୍ରେକ କରିବ । ଲୋକମାନେ ନିଶ୍ଚୟ ଭାବେ ଏହାକୁ ସମ୍ମାନ ଦେବେ । ନିର୍ବାଚନ ସହ ଧର୍ମ ସହ ଯୋଡିବାର ଆବଶ୍ୟକତା ନାହିଁ । ରାଜନୀତି ଓ ଧର୍ମ ନିଜ ନିଜ ସ୍ଥାନରେ ରହିବ । ମୋଦିଙ୍କ ଗସ୍ତ ବିଭିନ୍ନ ସମୟରେ ହେଉଛି । ସେ ପ୍ରଧାନମନ୍ତ୍ରୀ ଚାହିଁଲେ ଯେକୌଣସି ରାଜ୍ୟକୁ ଯାଇପାରିବେ । ଓଡ଼ିଶାରେ ନିଶ୍ଚୟ ଭାବେ ନବୀନ ପଟ୍ଟନାୟକଙ୍କର ଯାହା ବିକାଶମୁଖୀ କାର୍ଯ୍ୟକ୍ରମ ରହିଛି ତାକୁ ଲୋକମାନେ ଅନୁସରଣ କରନ୍ତି । ତାହା ଆଗକୁ ମଧ୍ୟ ଜାରୀ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.