ETV Bharat / state

ସମ୍ବଲପୁର ସହରର ସଂକୀର୍ଣ୍ଣ ରାସ୍ତା, ମୋ ବସ ସେବାରେ ସୃଷ୍ଟି କରୁଛି ବାଧା

author img

By ETV Bharat Odisha Team

Published : Mar 20, 2024, 1:42 PM IST

Mo Bus Service In Sambalpur
Mo Bus Service In Sambalpur

Mo Bus Service In Sambalpur: ସହରରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ 'ମୋ ବସ' ସେବା । ହେଲେ ସହରର ଅଣଓସାରିଆ ଓ ଜବରଦଖଲପୂର୍ଣ୍ଣ ରାସ୍ତା ନେଇ ବସ ସେବାରେ ସମସ୍ୟା ସୃଷ୍ଟି ହେଉଛି । ଅଧିକ ପଢନ୍ତୁ

ମୋ ବସ ସେବା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ 'ମୋ ବସ' l ଗତ ୯ ତାରିଖରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାକୁ ନେଇ ସମ୍ବଲପୁରବାସୀ ଖୁସି ପ୍ରକଟ କରିବା ସହ ଏହାର ସ୍ୱାଗତ କରିଥିଲେ l ହେଲେ ବର୍ତ୍ତମାନ ସମ୍ବଲପୁର ସହରର ଅଣଓସାରିଆ ଓ ଜବରଦଖଲପୂର୍ଣ୍ଣ ରାସ୍ତା ନେଇ ବସ ସେବାରେ ସମସ୍ୟା ସୃଷ୍ଟି ହେଉଛି । ମୁଖ୍ୟତଃ ଅଇଁଠାପାଲିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସହରର ରାସ୍ତା ଜବରଦଖଲ ଯୋଗୁଁ ଅଣ ଓସାରିଆ ହୋଇଥିବାରୁ ମୋ ବସ ଚାଲିବା ସମୟରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ବସ ସେବା ବିଳମ୍ବିତ ହେଉଛି ।

ଏନେଇ ସଚେତନ ନାଗରିକ କହିଛନ୍ତି ଯେ, 202 ନମ୍ବର ମୋ ବସଟି ସମ୍ବଲପୁର ଅଇଁଠାପାଲି ଛକରୁ ଆରମ୍ଭ ହୋଇ ବୁଢାରାଜା, ଚର୍ଚ୍ଚ ଛକ, ଲକ୍ଷ୍ମୀ ଟକିଜ ଛକ, ଗୋଲ ବଜାର ଛକ, ପୀର ବାବା ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ, କଚେରୀ ଛକ ରିଙ୍ଗ ରୋଡ଼, ସମଲେଇ ମନ୍ଦିର, ଦୁର୍ଗାପାଲି, ମହାନଗର କାର୍ଯ୍ୟାଳୟ, VSSUT, ଦେଇ ବୁର୍ଲା ବସ ଷ୍ଟାଣ୍ଡକୁ ଯାଇଥାଏ l ଏହି ବସରେ ସହରବାସୀ ଯାତାୟାତ କରିଥାନ୍ତି l ତେବେ ସମ୍ବଲପୁର ସହରର ଫ୍ଲାଇ ଓଭର ଉଦଘାଟନକୁ 16 ମାସ ହୋଇ ଯାଇଥିଲେ ମଧ୍ୟ ସହର ଥିବା ସର୍ଭିସ ରୋଡ଼ରେ କେତେକ ସ୍ଥାନରେ ଜବର ଦଖଲ ଉଚ୍ଛେଦ ହୋଇନାହିଁ କି ଅଧିଗ୍ରହଣ ହୋଇନାହିଁ l ଏଭଳି ସ୍ଥଳେ କେତେକ ସ୍ଥାନରେ ଉଠା ଦୋକାନୀ ବସିବା ତଥା ପାର୍କିଂ ଯୋଗୁଁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇ ଯାଉଛି ଓ ମୋ ବସ ଚଳାଚଳ ବାଧା ପ୍ରାପ୍ତ ହେବା ସହ ବସ ସେବା ବିଳମ୍ବିତ ହେଉଛି l ଏହା ଦ୍ୱରା ପୂର୍ବ ପରି ଲୋକେ କେତେକ ସ୍ଥଳରେ ଅଟୋ ଉପରେ ନିର୍ଭରଶୀଳ ହୋଇ ହଇରାଣ ତଥା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି l

ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର 4 ଗୋଟି ରୁଟରେ 15 ଗୋଟି ମୋ ବସ ଚଳାଚଳ କରୁଛି l ସମ୍ବଲପୁରବାସୀଙ୍କୁ ସୁବିଧାରେ ଯାତାୟତ କରିବା ପାଇଁ ଏହି ବସ ସେବା ସମ୍ବଲପୁରରୁ ବୁର୍ଲା, ସମ୍ବଲପୁର ରୁ ହୀରାକୁଦ,ସମ୍ବଲପୁରରୁ ଚିପିଳିମା ସମେତ ବିଭିନ୍ନ ରେଳ ଷ୍ଟେସନକୁ ଚଳାଚଳ କରୁଛି l ଅନ୍ୟପକ୍ଷରେ ବସ ଚଳାଚଳ କରୁଥିବା ରୁଟରେ ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ କରାଯାଇ ବସ ଚଳାଚଳର ଆରମ୍ଭ କରାଯିବାରଥିଲା l ତେବେ ତରବରିଆ ଭାବେ ଏହି ବସ ସେବାକୁ କୌଣସି ପୂର୍ବ ପ୍ରସ୍ତୁତି ବିନା ଆରମ୍ଭ କରାଯାଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।

ବିଶେଷ କରି ସହରର ଜିଏମ କଲେଜ ଛକରୁ, ମୋଦିପଡ଼ା, ଗୋଲବଜାର ଛକରୁ ମୁନ୍ସିପାଲଟି ଛକ ପର୍ଯ୍ୟନ୍ତ ଥିବା ସଂକୁଚିତ ରାସ୍ତାରେ ଏହି ଟ୍ରାଫିକ ଜାମ ପରିସ୍ଥିତି ସଦା ସର୍ବଦା ଦେଖିବାକୁ ମିଳୁଛି l ଏନେଇ ସାଧାରଣ ଜନତାଙ୍କ ଯାତାୟତରେ ବିଭିନ୍ନ ସମୟରେ ଅସୁବିଧା ହେଉଥିବାରୁ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ’, ଆଗକୁ ସବୁ ସହରରେ ମିଳିବ ସୁବିଧା କହିଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଯେ, ମୋ ବସ ସେବାକୁ ସୂଚାରୁ ରୂପେ ପରିଚାଳନା ସହ ଟ୍ରାଫିକ ସମସ୍ୟା ପରିସ୍ଥିତି ଯେଭଳି ସୃଷ୍ଟି ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଇଛି l ଏନେଇ ଆରଟିଓ, ଟ୍ରାଫିକ ପୋଲିସ କୁ ଟ୍ରାଫିକ ଜାମ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି l ସହରବାସୀଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା 'ମୋ ବସ' ସେବାରେ ଦେଖା ଯାଇଥିବା ସମସ୍ୟାରେ ସୁଧାର କେବେ ଆସୁଛି,ଏହାକୁ ନେଇ ପ୍ରଶାସନ କଣ ପଦକ୍ଷେପ ନେଉଛି, ତାକୁ ଚାହିଁ ବସିଛନ୍ତି ସମ୍ବଲପୁରବାସୀ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.