ETV Bharat / state

ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ’, ଆଗକୁ ସବୁ ସହରରେ ମିଳିବ ସୁବିଧା କହିଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Mar 9, 2024, 8:52 PM IST

Mo Bus Service In Berhampur And Sambalpur: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଓ ବ୍ରହ୍ମପୁର ସହରରେ ମୋ ବସ ସେବାର ଶୁଭାରମ୍ଭ କରିଛନ୍ତି । ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି । ଅଧିକ ପଢନ୍ତୁ

ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ’; ମୁଖ୍ୟମନ୍ତ୍ରୀ କଲେ ଶୁଭ ଉଦଘାଟନ
ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ’; ମୁଖ୍ୟମନ୍ତ୍ରୀ କଲେ ଶୁଭ ଉଦଘାଟନ

ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ’; ମୁଖ୍ୟମନ୍ତ୍ରୀ କଲେ ଶୁଭ ଉଦଘାଟନ

ଭୁବନେଶ୍ବର: ଆଜି ଆଉ ୨ଟି ସହରରେ ଆରମ୍ଭ ହୋଇଛି ମୋ ବସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଓ ବ୍ରହ୍ମପୁର ସହରରେ ମୋ ବସ ସେବାର ଶୁଭାରମ୍ଭ କରିଛନ୍ତି । ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି । ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ ଚଳାଚଳ କରିବ । ସେହିଭଳି ବ୍ରହ୍ମପୁର ସହରରେ ଏମକେସିଜି ମେଡିକାଲ କଲେଜ-ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଏହି ବସ ଚଳାଚଳ କରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର । 5T ଉପକ୍ରମରେ ସାରା ରାଜ୍ୟରେ ଗାଁରୁ ସହର ସବୁଆଡେ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆସିଛି । ମୋ ବସ ଠାରୁ ଆରମ୍ଭ କରି ଲକ୍ଷ୍ମୀ ଯୋଜନା ଓ ମେଟ୍ରୋ ରେଳ ଯୋଜନା ନୂଆ ଓଡିଶା ଦିଗରେ ଆମର ଉଦ୍ୟମକୁ ଶକ୍ତିଶାଳୀ କରୁଛି । ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ମୋ ବସ ସେବା ଆରମ୍ଭ ହୋଇଛି । ଏହା ଦ୍ବାରା ଉଭୟ ସହର ଭିତରେ ଏବଂ ଆଖପାଖ ଅଞ୍ଚଳକୁ ସୁବିଧାରେ ଏବଂ କମ ଖର୍ଚ୍ଚରେ ଯିବାଆସିବା କରି ହେବ । ମୋ ବସ୍ ପାଇଁ ଉଭୟ କ୍ୟାସ ଓ ଡିଜିଟାଲ ମୋଡରେ ପେମେଣ୍ଟ ବ୍ୟବସ୍ଥା ସହିତ ମୋ ବସ କାର୍ଡ ଟ୍ୟାପ ଆଣ୍ଡ ପେ ସୁବିଧା କରାଯାଇଛି । ଏଥିରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ସମ୍ବଲପୁର ମୋ ବସ ଗୁଡିକରେ ୯୦ ପ୍ରତିଶତ କଣ୍ଡକ୍ଟର ଭାବେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି । କମ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ମୋ ବସ ସେବାର ଲକ୍ଷ୍ୟ । ଆଗକୁ ରାଜ୍ୟର ସବୁ ସହରରେ ମୋ ବସ ସେବା ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସଂଯୋଜନା କରିଛନ୍ତି । ବ୍ରହ୍ମପୁରରେ ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି ଯେ, ବ୍ରହ୍ମପୁର ସହରରେ ପିଇବା ପାଣି ଠାରୁ ଆରମ୍ଭ କରି ଗମନାଗମନ ପାଇଁ ମୋ ବସ ପର୍ଯ୍ୟନ୍ତ ସମସ୍ତ ସୁବିଧା ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଯୋଗାଇ ଦେଇଛନ୍ତି । ସମାଜର ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ରହିଛି । ଏହି ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ବ ଦରବାରରେ ଓଡିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ନୂଆପଡାରେ ଗଡ଼ିଲା ଲକ୍ଷ୍ମୀ ବସ, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଯୋଗ ଦେଇ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ୍‌ ଭଳି ଏହି ମୋ ବସ୍‌ ସେବା ନିଶ୍ଚିତ ଭାବେ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାରେ ସୁବିଧା ଆଣିବ । ଆଜି ବିକାଶର ଧାରା ସମ୍ବଲପୁର ଜିଲ୍ଲାରେ ଜାରି ରହିଛି । ଏଥିପାଇଁ ଜିଲ୍ଲାବାସୀ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁରଠାରେ ଉପସ୍ଥିତ CRUTର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସ୍ବାଗତ ଭାଷଣରେ କହିଥିଲେ ଯେ ଓଡ଼ିଶାବାସୀଙ୍କୁ ଏକ ପରିବେଶ ଅନୁକୂଳ, ସୁଲଭ ତଥା ବିଶ୍ବସ୍ତରୀୟ ବସ୍ ସେବା ଯୋଗାଇଦେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ଆଜି ମୋ ବସ୍ ଆରମ୍ଭ ହେବାର ଛଅ ବର୍ଷରୁ କମ୍ ସମୟ ମଧ୍ୟରେ ଏହା ଏକ ବହୁତ ପ୍ରିୟ ବ୍ରାଣ୍ଡରେ ପରିଣତ ହୋଇଛି । କେବଳ ବିଭିନ୍ନ ସହରର ଲୋକମାନେ ମୋ ବସ୍ ସେବା ପାଇଁ ଦାବି କରୁନାହାନ୍ତି ବରଂ ବିଭିନ୍ନ ରାଜ୍ୟର ଅଧିକାରୀମାନେ ମଧ୍ୟ ଏହି ସେବା ବିଷୟରେ ଜାଣିବାକୁ ଆସନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥାନନ୍ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁରରେ ଉପସ୍ଥିତ CRUTର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସ୍ବାଗତ ଭାଷଣ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର ଓ ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.