ETV Bharat / state

କାଲି ସମଲେଇ ପ୍ରକଳ୍ପ ଲୋକାର୍ପଣ, ସରିଲା କଳସ ଯାତ୍ରା

author img

By ETV Bharat Odisha Team

Published : Jan 26, 2024, 10:45 PM IST

କଳସ ଯାତ୍ରା ସମ୍ପନ୍ନ
କଳସ ଯାତ୍ରା ସମ୍ପନ୍ନ

Samalei Project Inauguration: ଆସନ୍ତାକାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆଜି ଅଧିବାସ ଓ କଳସଯାତ୍ରା କାର୍ଯ୍ଯକ୍ରମ ସରିଛି । ଅଧିକ ପଢନ୍ତୁ

କଳସ ଯାତ୍ରା ସମ୍ପନ୍ନ

ସମ୍ବଲପୁର: ଆସନ୍ତାକାଲି ଲୋକାର୍ପଣ ହେବ ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିବେ। ଗତ ୨୨ ତାରିଖ ଅଙ୍କୁରାରୋପଣ କାର୍ଯ୍ଯକ୍ରମ ସରିଥିବାବେଳେ ଆଜି ଅଧିବାସ ଓ କଳସଯାତ୍ରା କାର୍ଯ୍ଯକ୍ରମ ସରିଛି । ଚିକମିକ୍ ଆଲୋକମାଳା ସହ ଫୁଲରେ ସଜେଇ ହୋଇଛି ମାଁ ସମଲେଶ୍ୱରୀଙ୍କ ସମ୍ପୂର୍ଣ୍ଣ ମନ୍ଦିର । ଆଜି 11ଶହରୁ ଉର୍ଦ୍ଧ୍ବ ମହିଳା ମାରଓ୍ବାଡିପଡା ଅଯୋଧ୍ୟା ସରୋବର ଘାଟରୁ କଳସଯାତ୍ରାରେ ବାହାରିଥିଲେ । ମହିଳାମାନେ ମୁଣ୍ଡରେ କଳସ ଧରି ନନ୍ଦପଡ଼ା, ଝାଡୁଆପଡ଼ା, କୁଞ୍ଜେଲପଡା, ରାମଜୀ ମନ୍ଦିର, କମଳୀ ବଜାର ଦେଇ ପରିକ୍ରମା କରି ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ମନ୍ଦିରରେ ପହଞ୍ଚିବା ପରେ ବ୍ରାହ୍ମଣମାନେ ମନ୍ତ୍ର ପଢି ତାଙ୍କୁ ସ୍ୱାଗତ କରିଥିଲେ ।

ଆସନ୍ତାକାଲି ସକାଳ 8ଟା 30 ମିନିଟରେ ଯଜ୍ଞ ଆରମ୍ଭ ହେବ । 12ଟା 30 ମିନିଟରେ ମୁଖ୍ୟମନ୍ତ୍ରୀ ମନ୍ଦିରକୁ ପହଞ୍ଚିବେ । ପାଖାପାଖି ଘଣ୍ଟାଏ କାଳ ମୁଖ୍ୟମନ୍ତ୍ରୀ ମନ୍ଦିରରେ ରହିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ନିୟୋଜିତ ହେବେ ୩୫ ପ୍ଲାଟୁନ ଫୋର୍ସ ଓ ୧୫୦ ଜଣ ଅଫିସର। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାରୁ ବଛା ବଛା ସିନିୟର ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମ୍ବଲପୁରରେ ନିୟୋଜିତ କରାଯାଇଛି।

ସମ୍ବଲପୁର ସହରର ସୁରକ୍ଷା ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଥିବାବେଳେ ସହରର ସାଧାରଣ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ପ୍ରକାର ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଛି ସମ୍ବଲପୁର ପୋଲିସ । ଅନ୍ୟପଟେ ସମ୍ବଲପୁରରେ ଉପସ୍ଥିତ ଥିବା ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, "ଆସନ୍ତାକାଲିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ ମଧ୍ୟ ଆସିବେ । ରାଜ୍ୟର ମଠ ମନ୍ଦିରର ପ୍ରତିନିଧି ଦଳଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।"

ଏହା ମଧ୍ୟ ପଢନ୍ତୁ...ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର

ପଶ୍ଚିମ ଓଡିଶାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ମା'ଙ୍କ ପାଇଁ ଚୂନରୀ ଓ ସିନ୍ଦୁର ଆଣିବା ପାଇଁ ଅପିଲ କରାଯାଇଛି । ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ । ଏହାସହ 30 ତାରିଖ ପରେ ପଶ୍ଚିମ ଓଡିଶାର ଦୈନିକ 4ଟି ନିର୍ବାଚନ ମଣ୍ଡଳୀରୁ 8 ହଜାର ଲେଖାଏଁ ଶ୍ରଦ୍ଧାଳୁଙ୍କୁ ମାଗଣାରେ ସମଲେଶ୍ୱରୀ ଦର୍ଶନ ପାଇଁ ଅଣାଯିବ ବୋଲି ସୂଚନା ଦିଆଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.