ETV Bharat / state

ସରୁନି ଜଳସେଚନ ପ୍ରକଳ୍ପ କାର୍ଯ୍ୟ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରା ଅଭିଯୋଗ - IRRIGATION PROBLEM

author img

By ETV Bharat Odisha Team

Published : Apr 30, 2024, 11:00 PM IST

Irrigation Project Irregularity
Irrigation Project Irregularity

Irrigation Project Irregularity: ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର କଳାମାଟି ଗ୍ରାମରେ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଅଜସ୍ର ଅର୍ଥ ବ୍ୟୟକରି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଉପଯୁକ୍ତ ତଦାରଖ ଅଭାବ ସାଙ୍ଗକୁ ଠିକାଦାରଙ୍କ ସଲାସୁତରା ମନୋଭାବ କାରଣରୁ ଏହି ପ୍ରକଳ୍ପ ଲକ୍ଷଚ୍ୟୁତ ହେଉଥିବା ଭଳି ମନେ ହେଉଛି । ଅଧିକ ପଢନ୍ତୁ

Irrigation Project Irregularity

ଦେବଗଡ: ଜିଲ୍ଲା ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ କଳାମାଟି ଗ୍ରାମରେ ରହିଛି ଏକ ବୃହତ ଜଳାଶୟ । ପ୍ରାୟ 12 ଏକରରୁ ଊର୍ଦ୍ଧ୍ବ ପରିମିତ ଏହି ବିସ୍ତୀର୍ଣ୍ଣ ଜଳାଶୟ ଉପରେ ଗ୍ରାମବାସୀ ଓ ଗ୍ରାମର ଗୃହପାଳିତ ପଶୁ ବର୍ଷତମାମ ନିର୍ଭର କରିଥାନ୍ତି । ଏହି ଜଳାଶୟରୁ ଗ୍ରାମର ପାଖାପାଖି 100 ଏକରରୁ ଊର୍ଦ୍ଧ୍ବ ଜମିରେ ଖରିଫ ଓ ରବି ଚାଷ ହୋଇଥାଏ । ଗ୍ରୀଷ୍ମ କାଳରେ ମଧ୍ୟ ଏହି ଜଳାଶୟରେ ଜଳ ସ୍ତର ନିୟନ୍ତ୍ରିତ ରହିଥାଏ । ମାତ୍ର ଚଳିତ ବର୍ଷ ଏହି ଜଳାଶୟର ଜଳକୁ ସମ୍ପୂର୍ଣ୍ଣ ନିଷ୍କାସନ କରାଯାଇ ଏଠାରେ ନିର୍ମାଣ କରାଯାଉଛି ଜଳସେଚନ ପ୍ରକଳ୍ପ । ଫଳରେ ଗ୍ରାମବାସୀ ଉତ୍କଟ ଜଳକଷ୍ଟର ସମ୍ମୁଖୀନ ହେବା ସହ ଚାଷକାର୍ଯ୍ୟରୁ ବଞ୍ଚିତ ହେଉଛନ୍ତି ।

ସୂଚନା ଅନୁଯାୟୀ, ଏହି ଜଳାଶୟର ପୁନରୁଦ୍ଧାର ଓ କେନାଲ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଗତ ଫେବୃଆରୀ ମାସରେ ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ଏଥିପାଇଁ R & R Scheme 2023-24ରୁ ପ୍ରାୟ 55 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଟେଣ୍ଡର ମାଧ୍ୟମରେ ଜିଲ୍ଲା ବାହାର ଅଞ୍ଚଳର ଜଣେ ଠିକାଦାରଙ୍କୁ ଏହାର କାର୍ଯ୍ୟାଦେଶ ଦିଆଯାଇଛି । ଏଗ୍ରିମେଣ୍ଟ ଅନୁଯାୟୀ, ଗତ 2023 ମସିହା ଫେବୃଆରୀ ମାସରୁ ଠିକାଦାର ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରି ଚଳିତ ବର୍ଷ 2024 ମସିହା ଜୁନ ମାସ 8 ତାରିଖ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବା କଥା । ମାତ୍ର ଠିକାଦାର ଜଣକ କାର୍ଯ୍ୟାଦେଶ ପାଇବା ପରଠାରୁ ଏହିକାର୍ଯ୍ୟ ଏଷ୍ଟିମେଟ ଅନୁଯାୟୀ କରୁନଥିବା ବେଳେ, କେବଳ ଲୋକ ଦେଖାଣିଆ ଭାବେ ଜଳାଶୟ ତଟବର୍ତ୍ତି ଅଞ୍ଚଳରୁ ଅଳ୍ପ କିଛି ପରିମାଣରେ ମାଟି ଉଠାଇ ଓ ମାତ୍ର କେଇ ମିଟର କେନାଲ ନିର୍ମାଣ କରି କାର୍ଯ୍ୟଟିକୁ ପକାଇ ରଖିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ: ଶୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟ ଜଳ ସଙ୍କଟରେ ଦେବଗଡ଼ ସହରବାସୀ - Pradhanpat waterfall

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଜଳାଶୟ ପୁନରୁଦ୍ଧାର ପାଇଁ ଗ୍ରୀଷ୍ମ ପ୍ରାମ୍ଭରୁ ଜଳାଶୟରୁ ସମସ୍ତ ଜଳ ନିଷ୍କାସନ କରି ଦିଆଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଜଳାଶୟର ମୁଖ୍ୟଭାଗରୁ ଆଦୌ ମାଟି ଉଠାଯାଇନାହିଁ । ଠିକାଦାର ନିୟମିତ କାର୍ଯ୍ୟ ନକରି ଅଯଥା ବିଳମ୍ବ କରି ଆସୁଛନ୍ତି । ଆଗକୁ ବର୍ଷା ଆସୁଥିବାରୁ ଏହି ଜଳାଶୟରେ ଜଳ ଭର୍ତ୍ତି ହୋଇଯିବାରୁ ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ଥିବାରୁ ଗ୍ରାମବାସୀ ବର୍ଷା ପୂର୍ବରୁ ଅର୍ଥାତ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ସମ୍ପୃକ୍ତ ଠିକାଦାର ଅର୍ଥ ବାଟମାରଣା ଉଦ୍ଦେଶ୍ୟରେ ଏଗ୍ରିମେଣ୍ଟ ଅନୁଯାୟୀ ବର୍ଷା ପୂର୍ବରୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ କରୁନଥିବା ଓ ଏଷ୍ଟିମେଟ ଅନୁଯାୟୀ ଜଳାଶୟରୁ ମାଟି ଉଦ୍ଧାର ନକରି ଅତ୍ୟନ୍ତ ନିମ୍ନମାନର କେନାଲ ନିର୍ମାଣ କରି ଆସୁଥିବା ଅଭିଯୋଗ ହେଉଛି । ପରିତାପର ବିଷୟ ହେଲା, ଏହି କାର୍ଯ୍ୟସ୍ଥଳକୁ ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀ ତଦାରଖ କରୁନଥିବା ଯୋଗୁଁ ଏହି କାର୍ଯ୍ୟର ମାନ ଓ ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଗ୍ରାମବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.