ETV Bharat / state

ଶୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟ ଜଳ ସଙ୍କଟରେ ଦେବଗଡ଼ ସହରବାସୀ - Pradhanpat waterfall

author img

By ETV Bharat Odisha Team

Published : Apr 20, 2024, 8:59 AM IST

ସୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟଜଳ ସଙ୍କଟରେ ଦେବଗଡ଼ ସହରବାସୀ
ସୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟଜଳ ସଙ୍କଟରେ ଦେବଗଡ଼ ସହରବାସୀ

Water level decreasing in Pradhanpat waterfall: ଶୁଖୁଛି ପ୍ରଧାନପାଟ ଜଳପ୍ରପାତ । ଝରଣାରେ ହ୍ରାସ ପାଉଛି ଜଳରାଶି ପରିମାଣ । ଦେବଗଡ ସହରରେ ବଢୁଛି ପାନୀୟ ଜଳ ସଙ୍କଟ । ଚିନ୍ତା ପ୍ରକଟ କଲେ ପରିବେଶବିତ । ଅଧିକ ପଢନ୍ତୁ

ସୁଖୁଛି ପ୍ରଧାନପାଟ ଜଳପ୍ରପାତ, ପାନୀୟଜଳ ସଙ୍କଟରେ ଦେବଗଡ଼ ସହରବାସୀ

ଦେବଗଡ: ସହର ନିକଟରେ ରହିଛି ପ୍ରଧାନପାଟ ଜଳପ୍ରପାତ । ଏହା ଯେ କେବଳ ଏକ ମନୋରମ ପର୍ଯ୍ୟଟନସ୍ଥଳୀ ତା’ ନୁହେଁ ବରଂ ଏହା ଦେବଗଡ଼ ସହରବାସୀଙ୍କ ଜୀବନରେଖା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଜଳପ୍ରପାତରୁ ନିର୍ଗତ ଜଳରାଶି ସହରବାସୀଙ୍କ ପାଇଁ ପାନୀୟ ଜଳର ଏକ ବଡ ଉତ୍ସ । ପ୍ରଧାନପାଟ ଝରଣାର ଜଳକୁ ଜନସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ବିଶୋଧନ କରାଯାଇ ପାଇପ ଯୋଗେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । ମାତ୍ର ଅତ୍ୟନ୍ତ ଉଦବେଗର ବିଷୟ ହେଲା, ଆଜକୁ କିଛି ବର୍ଷ ହେଲା ପ୍ରଧାନପାଟ ଜଳପ୍ରପାତର ଜଳଧାରା କ୍ରମାଗତ ଶୁଖିବାରେ ଲାଗିଛି । ଏହାର ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଉଛି । ଫଳରେ ଦେବଗଡ଼ ସହରରେ ଏବେ ପାନୀୟଜଳ ସଙ୍କଟ ଦେଖାଦେଇଛି ।

ସୂଚନା ଅନୁଯାୟୀ, ଦେବଗଡ଼ ସହରବାସୀଙ୍କ ପାଇଁ ଦୈନିକ 3.6 ଏମଏଲଡ଼ି ପାନୀୟଜଳର ଆବଶ୍ୟକତା ରହିଥିବା ବେଳେ, ସେଥିମଧ୍ୟରୁ ଏହି ଜଳପ୍ରପାତରୁ ସଂଗୃହୀତ ହେଉଛି ମାତ୍ର 1 ଏମଏଲଡି ଜଳ । ଏହାକୁ ବାଦ ଦେଲେ ଗଭୀର ନଳକୂପରୁ ମାତ୍ର 1.4 ଏମଏଲଡି ଜଳ ସଂଗୃହୀତ ହେଉଛି । ମୋଟ ଉପରେ କହିବାକୁ ଗଲେ ସହରବାସୀଙ୍କୁ ଏବେ ପ୍ରାୟ ମାତ୍ର 2.4 ଏମଏଲଡି ଜଳ ମିଳୁଛି । ଯାହାକି ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହେଁ । ଗୋଟିଏ ପଟେ ପ୍ରଧାନପାଟର ଜଳ ଶୁଖି ଆସୁଥିବା ବେଳେ, ଅନ୍ୟପଟେ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି । ଫଳରେ ଗ୍ରୀଷ୍ମ ପ୍ରାରମ୍ଭରୁ ସହରରେ ଜଳ ସଙ୍କଟ ଦେଖାଗଲାଣି । ଜଙ୍ଗଲ ସମ୍ପଦ ଦ୍ରୁତ ଅବକ୍ଷୟ ସହିତ ପ୍ରଧାନପାଟ ଝରଣା ଉତ୍ସର ପୁନରୁଦ୍ଧାର କରାଯାଉନଥିବା କାରଣରୁ ଏହି ପ୍ରପାତ ଶୁଖିଯିବାକୁ ବସିଥିବା ପରିବେଶବିତ୍ ଚିନ୍ତାବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ 2024: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1625 ପ୍ରାର୍ଥୀଙ୍କ ଭାଗ୍ୟ - First Phase voting concludes


ଅନ୍ୟପଟେ ସହରରେ ପାନୀୟଜଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ବାରକୋଟ ସ୍ଥିତ ବ୍ରାହ୍ମଣୀ ନଦୀରୁ ଦେବଗଡ଼ ସହରକୁ ଜଳଯୋଗାଣ ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ମାତ୍ର ଏହି ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ନିକଟ ଅତୀତରେ ଏହା ପୂର୍ଣ୍ଣକାର୍ଯ୍ୟକ୍ଷମ ହେବାର କୌଣସି ସମ୍ଭାବନା ମଧ୍ୟ ଦେଖାଯାଉନାହିଁ । ପୁନଶ୍ଚ ଏହି ପ୍ରକଳ୍ପ କେତେଦୂର ଫଳପ୍ରଦ ହେବ, ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ମେଗା ଜଳପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ଓ ସରକାର ସହରବାସୀଙ୍କ ପାନୀୟଜଳ ସମସ୍ୟାର ଦୂରୀକରଣ ପାଇଁ ପ୍ରଧାନପାଟ ଜଳପ୍ରପାତର ଜଳଧାରଣ କ୍ଷମତା ବୃଦ୍ଧି କରିବା ଦିଗରେ ବିହିତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.