ETV Bharat / state

ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଆରଡିସି ଓ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା - DIARRHEA OUTBREAK IN HIRAKUD

author img

By ETV Bharat Odisha Team

Published : Mar 23, 2024, 5:44 PM IST

Diarrhea Outbreak
Diarrhea Outbreak

Diarrhea Outbreak in Hirakud: ସମ୍ବଲପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା । ସ୍ଥିତି ସମୀକ୍ଷା କଲେ ଉତ୍ତରାଞ୍ଚଳ ଆରଡିସି, ଜିଲ୍ଲାପାଳ ଓ ଟିମ୍ । ଅଧିକ ପଢନ୍ତୁ

Diarrhea Outbreak

ସମ୍ବଲପୁର: ହୀରାକୁଦ ସହରରେ ଗତ 21 ତାରିଖରୁ ବ୍ୟାପୁଛି ଝାଡାବାନ୍ତି । ଅନେକ ଲୋକେ କିଛି ଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 129 ଥିବାବେଳେ ଅଧିକାଂଶ ଲୋକ ଚିକିତ୍ସାଧୀନ ରହିଛନ୍ତି । ଏହି ପରିସ୍ଥିତିରେ ଆଜି ଉତ୍ତରାଞ୍ଚଳ ଆରଡିସି, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ବଲପୁର CDMPHO ଓ ADMO ହୀରାକୁଦ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଏହି ଟିମ୍ । ଆଜି ଅପରାହ୍ନ 2 ଟାରେ RDC ଓ ଜିଲ୍ଲାପାଳ ହୀରାକୁଦ ହସ୍ପିଟାଲ ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା ସେବାର ତଦାରଖ କରିଛନ୍ତି ।

ଉତ୍ତରାଞ୍ଚଳ RDC ଶ୍ରୀକାନ୍ତ ପୃଷ୍ଟି କହିଛନ୍ତି, "କୌଣସି ଅସୁବିଧା ନାହିଁ । କିଛି ଦିନ ତଳେ ବର୍ଷା ହୋଇଥିବା କାରଣରୁ ପାଣି ପାଇପ ଫାଟି ପାନୀୟ ଜଳ ଦୂଷିତ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କୌଣସି ଗମ୍ଭୀର ସ୍ଥିତି ନାହିଁ, ଅଧିକାଂଶ ଲୋକ ଚିକିତ୍ସିତ ହୋଇ ଘରକୁ ଫେରି ସାରିଛନ୍ତି । ଯେଉଁ ଜଣେ ରୋଗୀଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବାର ଖବର ଆସୁଛି ତାଙ୍କର ଲିଭର ଜନିତ ଅନ୍ୟ ରୋଗ ଥିବାର ଜଣାପଡିଛି । ଯେଉଁ ସ୍ଥାନରେ ପାନୀୟ ଜଳ ଦୂଷିତ ହେଉଛି ଚିହ୍ନଟ କରାଯାଇ ମରାମତି ହେଉଛି । ରୋଗୀଙ୍କ ସଂଖ୍ୟା ଆଜି କମିଛି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଏହା ମଧ୍ୟ ପଢନ୍ତୁ...ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି: ଶତାଧିକ ଆକ୍ରାନ୍ତ, ଜଣେ ମୃତ ! - Diarrhea Outbreak In Hirakud


ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି, "ହୀରାକୁଦ ହସ୍ପିଟାଲରେ ରୋଗୀଙ୍କ ପାଇଁ ଗୋଟିଏ ପାଇଖାନା ଥିବାବେଳେ ଆଉ ଗୋଟିଏ ପାଇଖାନାର ତୁରନ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଡାକ୍ତର, ରାପିଡ୍ ରେସ୍ପନସ ଟିମ ଅଛନ୍ତି । ବୁର୍ଲା ଭୀମସାରରୁ ଆଉ ଗୋଟିଏ ଡାକ୍ତର ଟିମ ଅଣାଯାଉଛି । ଏଠାରେ ADMO ସ୍ୱାସ୍ଥ୍ୟସେବାର ନିରୀକ୍ଷଣ କରୁଛନ୍ତି । ଆଜି ସନ୍ଧ୍ୟାରେ ପାନୀୟ ଜଳର ନମୁନା ନିଆଯାଇ ଜଏଣ୍ଟ ଭେରିଫିକେସନ କରାଯିବ । ପାନୀୟ ଜଳ ବିଶୋଧନ କରିବାରେ ଅବହେଳା ଥିବା ନେଇ ରିପୋର୍ଟରେ ଜଣାପଡିଲେ ଜନ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସଚେତନତା କରାଯାଉଛି ।" ଗତ ଅକ୍ଟୋବର ମାସରେ ହୀରାକୁଦ ସହରର ମହମ୍ମଦପୁର ଅଞ୍ଚଳରେ ଝାଡ଼ାବନ୍ତି ବ୍ୟାପିଥିଲା । ସେହି ସମୟରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ମଧ୍ୟ ହୋଇଥିଲେ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.