ETV Bharat / state

ଦିନକରେ ନେତ୍ରୋତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା; ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ! - 3 Rituals In A Single Day

author img

By ETV Bharat Odisha Team

Published : Apr 15, 2024, 8:37 PM IST

3 Rituals In A Single Day:ଉଭାଯାତ୍ରା ଓ ନେତ୍ରୋତ୍ସବ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପଡୁଛି। ତିଥିରେ କ୍ଷୟ ଯୋଗୁ ଏଭଳି ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ

Rituals In Jagannath Temple
Rituals In Jagannath Temple

Rituals In Jagannath Temple

ପୁରୀ: ଚଳିତ ବର୍ଷ ଗୋଟିଏ ଦିନରେ ପଡୁଛି ନେତ୍ରୋତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ଶ୍ରୀମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ପ୍ରଚଳନ ହୋଇଛି । ପାଞ୍ଜିରେ ଥିବା ପର୍ବପର୍ବାଣିର ତିଥି ନକ୍ଷତ୍ର ଓ ଗ୍ରହ ଚଳନକୁ ନେଇ ଏଭଳି ସ୍ଥିତି ଉପୁଜିଛି । ଏଣୁ ଚଳିତ ବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି ।

ପୂର୍ବରୁ ମଧ୍ୟ ୧୯୭୧-୭୨ ମସିହାରେ ଏହିଭଳି ତିଥି ପଡିଥିବାବେଳେ ସେହି ସମୟରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ, ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣି ସିଂହଦ୍ଵାରକୁ ତିନି ରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି। ତିଥିରେ କ୍ଷୟ ଯୋଗୁଁ ଏଭଳି ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଉଭାଯାତ୍ରା ଓ ନେତ୍ରୋତ୍ସବ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପଡୁଛି । ଶ୍ରୀଗୁଣ୍ଡିଚା ପୂର୍ବ ରାତ୍ରିରୁ ଅନେକ ନୀତିକାନ୍ତି ରହିଥିବାରୁ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବା ସମ୍ଭାବନା ରହିଛି ।

"ଆସନ୍ତା ଜୁଲାଇ ୭ ତାରିଖରେ ରଥଯାତ୍ରା, ଉଭାଯାତ୍ରା ସହ ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏହା ସମସ୍ତଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ଛତିଶା ନିଯୋଗର ସହଯୋଗ ନିଆଯାଇ ସମସ୍ତ କାର୍ଯ୍ୟ କରାଯିବ" ବୋଲି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ କହିଛନ୍ତି । ଗତ ଫେବ୍ରୁଆରୀରେ ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା । ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ନୀତିକାନ୍ତି ଚୂଡାନ୍ତ ହୋଇଥିଲା । ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ । ନବମ ଦିନ ଅର୍ଥାତ ଜୁଲାଇ ୧୫ରେ ଶ୍ରୀବିଗ୍ରହ ରଥାରୂଢ଼ ହୋଇ ବାହୁଡ଼ା ଯାତ୍ରା କରିବେ । ତେବେ ୧୬ ତାରିଖ ପରିବର୍ତ୍ତେ ୧୭ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ୧୮ ତାରିଖରେ ଅଧର ନୀତି ପରେ ୧୯ ତାରିଖରେ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ଆସନ୍ତା 1 ବର୍ଷ ମଧ୍ୟରେ କ'ଣ ହେବ ରାଜ୍ୟ ଓ ଦେଶର ସ୍ଥିତି ? କ'ଣ କହୁଛନ୍ତି ପାଞ୍ଜିକାର - New Panjika

ସେହିପରି ଦିନ କ୍ଷୟ କାରଣରୁ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ମଧ୍ୟ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପାଳନ ହେବ । ଚତୁର୍ଦ୍ଦଶୀରେ ଠାକୁରଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶ କିନ୍ତୁ ଏଥର ହେବ ନାହିଁ । ୧୯୭୧ ମସିହାର ନୀତିକାନ୍ତି ତର୍ଜମା ପରେ ଏଥର ପଟିଦିଅଁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ତିନି ରଥ ସିଂହଦ୍ଵାର ଚକଡାକୁ ବିଜେ କରିବେ । ପରେ ରଥ ପ୍ରତିଷ୍ଠା ଓ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକର ନିଷ୍ପତ୍ତି ଅନୁଯାୟୀ, ୨୦୨୫ ମସିହା ଫେବ୍ରୁଆରୀ ୨ରେ ଶ୍ରୀପଞ୍ଚମୀ ତଥା ସରସ୍ବତୀ ପୂଜା ପାଳନ ହେବ । ତେବେ ଆସନ୍ତା ନିର୍ବାଚନ ସରିବା ପରେ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେନେଇ ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.