ETV Bharat / state

ବୌଦ୍ଧରେ ଅସହ୍ୟ ଗରମ ଗୁଳୁଗୁଳି, ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ - Heat Wave In Boudh

author img

By ETV Bharat Odisha Team

Published : Apr 7, 2024, 8:35 AM IST

ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗରମ ଗୁଳୁଗୁଳି
ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗରମ ଗୁଳୁଗୁଳି

Heat Wave In Boudh: ବୌଦ୍ଧ ଜିଲ୍ଲାରେ ତାପମାତ୍ରା 42 ଡିଗ୍ରୀ ଯାଏଁ ପହଞ୍ଚିଥିବା ବେଳେ ଖରା ଦିନ ଜଳ ସମସ୍ୟା ଦେଖା ଦେବା ଆରମ୍ଭ ହୋଇଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଅଧିକ ପଢ଼ନ୍ତୁ

ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗରମ ଗୁଳୁଗୁଳି

ବୌଦ୍ଧ: ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରଚଣ୍ଡ ତାତି । ଦିନ ବେଳେ ତ ଦୂରର କଥା ସକାଳ 10ଟା ପରେ ଘରୁ ବାହାରିବାକୁ ଲୋକମାନଙ୍କ ପାଇଁ ମୁସ୍କିଲ ହୋଇପଡ଼ୁଛି । ଦିନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆଉ ରାତିରେ ପ୍ରଚଣ୍ଡ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଅସହ୍ୟ ଗରମରେ ସାରା ଓଡ଼ିଶା ସନ୍ତୁଳିତ ହେଉଥିବା ବେଳେ ଏଥିରୁ ବାଦ ପଡ଼ିନି ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ପାରଦ 42 ଡିଗ୍ରୀ ଯାଏଁ ପହଞ୍ଚିଥିବା ବେଳେ ଖରା ଦିନରେ ଜଳ ସଂକଟ ଦେଖା ଦେଇଛି । ଲଗାତାର ଭାବରେ ଗତ କିଛି ଦିନ ହେଲା ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ପାନୀୟଜଳର ଉତ୍କଟ ସମସ୍ୟା ଲାଗି ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଜଳ ଛତ୍ର ଖୋଲାଯାଇ ନଥିବାରୁ ଏନେଇ ଚିନ୍ତା ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଗଭୀର ପ୍ରଭାବିତ ହୋଇଛି । ଗୋଟିଏ ପଟରେ ମହାନଦୀରେ ଜଳ ପ୍ରବାହ କମିବାରେ ଲାଗିଥିବା ବେଳେ ଅନ୍ୟପଟେ ମହାନଦୀର ଶୁଷ୍କ ବାଲୁକା ଶଯ୍ୟାରୁ ପ୍ରବଳ ଉତ୍ତାପ ସୃଷ୍ଟି ହେଉଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା, ଅଂଶୁଘାତର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ସହିତ ସମସ୍ତ ନାଗରିକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଦିନ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଅତି ଜରୁରୀ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି । ଆଉ ଏଭଳି ସମୟରେ ଅତି ଜରୁରୀ କାର୍ଯ୍ୟରେ ଘରୁ ବାହାରୁଥିବା ଲୋକେ ଲସି, ଲେମ୍ବୁପାଣି, ସର୍ବତ ଓ ଆଖୁରସ ଭଳି ଥଣ୍ଡା ପାନୀୟ ଦୋକାନରେ ଭିଡ଼ ଲଗାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ତାତିରୁ ମିଳିବ ଆଶ୍ୱସ୍ତି, କାଲିଠୁ ବିଜୁଳି ଘଡ଼ଘଡ଼ି ସହ କୂଆ ପଥର ବର୍ଷା ! - Rain In Odisha

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶୁଘାତ ପାଇଁ ସତର୍କତାର ହୋର୍ଡିଂ ଲଗାଇ ଲୋକଙ୍କୁ ସଚେତନ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦ୍ୟାବଧି ଜଳଛତ୍ର ଆଜି ଯାଏଁ ଖୋଲା ଯାଇନାହିଁ । ଫଳରେ ସାଧାରଣ ଯାତ୍ରୀ ତଥା ସ୍ଥାନୀୟ ଅଧିବାସୀ ପାଣି ବୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଏପରି ଯେ ଅନ୍ୟ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଜିଲ୍ଲା ସଦର ବ୍ଲକର ମୁଖ୍ୟାଳୟ ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ବ୍ୟବସ୍ଥା କିମ୍ବା ଜଳଛତ୍ରର ବ୍ୟବସ୍ଥା କରାଯାଇ ନଥିବା ସୂଚନା ମିଳିଛି । ଗୋଟିଏ ପଟରେ ଦିନରେ ତାପମାତ୍ରା 42 ଡିଗ୍ରୀ ପହଞ୍ଚିଥିବା ବେଳେ ରାତିରେ ମଧ୍ୟ ଅସହ୍ୟ ଗରମ ଗୁଳୁଗୁଳି ଯୋଗୁଁ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.