ETV Bharat / state

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ, ମହାପ୍ରସାଦକୁ ନେଇ ତେଜିଲା ବିବାଦ

author img

By ETV Bharat Odisha Team

Published : Feb 5, 2024, 9:31 PM IST

Arpan Rath Rice Issue
Arpan Rath Rice Issue

Arpan Rath Rice Issue: ତୁରନ୍ତ ଅର୍ପଣ ଚାଉଳରେ ମହାପ୍ରସାଦ ବନ୍ଦ କରାଯାଉ ବୋଲି ଦାବି କଲେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର, ନଚେତ ଆମରଣ ଅନଶନରେ ବସିବେ ବୋଲି ଦେଲେ ଚେତାବନୀ । ଅଧିକ ପଢନ୍ତୁ

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ , ମହାପ୍ରସାଦକୁ ନେଇ ତେଜିଲା ବିବାଦ

ପୁରୀ: ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ । ଏହି ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ଅର୍ପଣ ଚାଉଳ ଯାଞ୍ଚ କମିଟିରେ ଥିବା ସଦସ୍ୟ ତଥା ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର । ଗଣମାଧ୍ୟମ ଆଗରେ ସେ ଉଷୁନା ଚାଉଳକୁ ଦେଖାଇଛନ୍ତି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଷୁନା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇ ପାରିବ ନାହିଁ । ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାନଗଲେ ସେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ ଆଜି ସେ ଚାଉଳ ଯାଞ୍ଜ କଲାବେଳେ ଅରୁଆ ଚାଉଳରେ ଉଷୁନା ଚାଉଳ ମିଶିଥିବା ଦେଖିବାକୁ ପାଇଲେ । ହେଲେ ତାଙ୍କ କଥା କହି ନ ଶୁଣିବାରୁ ସେ ବାଧ୍ୟ ହୋଇ ଗଣମାଧ୍ୟମ ସାମ୍ନାକୁ ଆସିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଉଷୁନା ଚାଉଳ ବ୍ୟବହାରକୁ ସେ କଦାପି ଗ୍ରହଣ କରିବେ ନାହିଁ । ସେ ମୂଳରୁ ଏହି ଚାଉଳ ବ୍ୟବହାରକୁ ବିରୋଧ କରିଥିଲେ । ହେଲେ ପ୍ରଶାସନ ତାଙ୍କ କଥାକୁ ଗୁରୁତ୍ଵ ଦେଉନାହିଁ । ତେବେ ପ୍ରମାଣ ସ୍ୱରୂପ ନିଜେ ଆଣି ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଭକ୍ତଙ୍କଠାରୁ ଅରୁଆ ଚାଉଳ, ଗୁଆ, ନଡ଼ିଆ ଅର୍ପଣ ରଥ ମାଧ୍ୟମରେ ସଂଗ୍ରହ କରାଯାଇଥିଲା । ପରେ ଏହା ବିଭିନ୍ନ ମନ୍ଦିର, ଅଙ୍ଗନବାଡ଼ି, ବ୍ଳକ୍ ଅଫିସରେ ପଡ଼ି ରହିଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥଲା । ମହାପ୍ରଭୁଙ୍କ କାର୍ଯ୍ୟରେ ଭକ୍ତଙ୍କ ଅର୍ପଣ ଚାଉଳ କାର୍ଯ୍ୟରେ ନ ଲାଗିବାକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ପରେ ସରକାର ଭକ୍ତଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ପୁରୀକୁ ଆଣିଥିଲେ ଚାଉଳ । ତେବେ ଭକ୍ତ ଦାନ କରିଥିବା ଅର୍ପଣ ଚାଉଳରେ ଉଷୁନା ସହ ଅରୁଆ ଚାଉଳ ମିଶିଥିବାରୁ ଏହା ମହାପ୍ରଭୁଙ୍କ କେଉଁ କାର୍ଯ୍ୟରେ ଆସିବ ବୋଲି ପ୍ରଶ୍ନ ଉଠିଥିଲା ।

ଏହା ମଧ୍ୟ ପଢନ୍ତୁ ......ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

ତେବେ ଏହାକୁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି କରି ଭକ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା । ଚାଉଳ ଗୁଡ଼ିକ ଯାଞ୍ଚ ପାଇଁ ଏକ କମିଟି ଗଠନ ହୋଇଥଲା । ହେଲେ ଗତକାଲି ଏହି ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ଯାଇଥିଲା । ତେବେ ଆଜି ସେହି ଚାଉଳରୁ ଉଷୁନା ଚାଉଳ ବାହାରିବା ନେଇ ଅଭିଯୋଗ ପରେ ଏହାକୁ ନେଇ ବିବାଦ ଓ ବିରୋଧ ହୋଇଛି । ଏହି ବାରମିଶା ଚାଉଳକୁ ମହାପ୍ରସାଦ ପ୍ରସ୍ତୁତ ବନ୍ଦ କରାନଗଲେ ଆମରଣ ଅନଶନ ଚେତାବନୀ ଦେଇଛନ୍ତି ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.