ETV Bharat / state

ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

author img

By ETV Bharat Odisha Team

Published : Feb 5, 2024, 6:01 PM IST

ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ
ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

Conflict Between Sri Mandir Sevayats: ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଫଳରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ଭକ୍ତ । ଅଧିକ ପଢ଼ନ୍ତୁ

ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ସେବାୟତଙ୍କ ମଧ୍ୟରେ ବିବାଦ ଫଳରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ଭକ୍ତ । ଗତକାଲି ( ରବିବାର) ଦ୍ୱିତୀୟ ଭୋଗ ମଣ୍ଡପ ନୀତିରେ ଏହି ବିଶୃଙ୍ଖଳା ହୋଇଛି । ଫଳରେ ବିବାହ, ବ୍ରତ ପାଇଁ ବରାଦି ଅବଢ଼ା ନପାଇ ହଜାର ହଜାର ଭକ୍ତ ନିରାଶ ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଗତକାଲି ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବେଳେ ଶ୍ରୀମନ୍ଦିର ଭିତରେ ରକ୍ତଛିଟା ଦେଖିବାକୁ ମିଳିଥିଲା । ପରମ୍ପରା ଅନୁଯାୟୀ, ବଡ ମହାସ୍ନାନ ନୀତି ହୋଇଥଲା । ବଡ ମହାସ୍ନାନ ନୀତି ରାତି 8ଟାରେ ଶେଷ ହେବା ପରେ ଅନ୍ୟ ନୀତି ବଢ଼ି ନଥିଲା । ସୁଆର ମହାସୁଆର ନିଯୋଗ ଓ ସିଂହାରୀ ସେବକଙ୍କ ମଧ୍ୟରେ ଭୋଗ ଲାଗିକୁ ନେଇ ବିବାଦ ଉପୁଜିଥିଲା । ଭୋଗ ମଣ୍ଡପକୁ ଅବଢ଼ା ଆଣିବାରେ ବିଳମ୍ବ ଅଭିଯୋଗ କରି ସିଂହାରୀ ସେବକ ପୂଜା କରିନଥିଲେ । ଏହାକୁ ବିରୋଧ କରି ସୂପକାର ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ପରେ ମହାପ୍ରଭୁଙ୍କ ଗଭାଲାଗି ନୀତି କରିବାକୁ ଅଡି ବସିଥିଲେ । ଶେଷରେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ରାତି 11 ଟାରେ ବିବାଦର ସମାଧାନ ହୋଇ ସନ୍ଧ୍ୟା ଆଳତୀ ହୋଇଥଲା ।

ତେବେ ରାତି 11ଟା ଅହେତୁକ ବିଳମ୍ବ ଯୋଗୁଁ ସୁଆର ମହାସୁଆର ନିଯୋଗ ଭୋଗ ମଣ୍ଡପ ନଆଣି ଚାଲି ଆସିଥିଲେ । ରାତି 11ଟା ପରେ ବରାଦି ଭୋଗ ନେବାକୁ କେହି ଭକ୍ତ ନଥିବାରୁ ଭୋଗ ଉଠାଇଥିଲେ ସୂପକାର ସେବକ । ଏଥିପାଇଁ 12 ଲକ୍ଷ ଟଙ୍କାର କ୍ଷତି ସହିଥିବା ସୁଆର ମହାସୁଆର ନିଯୋଗ ସୂଚନା ଦେଇଛନ୍ତି । ଏହାସହ ତୁରନ୍ତ ପ୍ରଶାସନ କ୍ଷତି ପୂରଣ ଦେବା ସହ ଏଭଳି ନୀତି ବିଭ୍ରାଟ ଯେଭଳି ନହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ସୂପକାର ନିଯୋଗ ଦାବି କରିଛି । ସେପଟେ ଅନେକ ଲୋକ ବିବାହ, ବ୍ରତ ପାଇଁ ଅବଢ଼ା ବରାଦ ଦେଇ ନିରାଶ ହେଇଛନ୍ତି । ଏଭଳି ବିଶୃଙ୍ଖଳା ପାଇଁ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲି ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବଡ ଫାଟ, ଏଏସଆଇ କରିବ ମରାମତି

ଅନ୍ୟପକ୍ଷେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ଯେ, ଗତକାଲିର ଅବଢ଼ା ଆଜି ଆନନ୍ଦ ବଜାରରେ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ସୁଆର ମହାସୁଆର ନିଯୋଗକୁ କ୍ଷତିପୂରଣ ପାଇଁ ପ୍ରଶାସନ ତାଲିକା କରିଛି । କାହା ଦୋଷରୁ ଗତକାଲି ଏଭଳି ବିଶୃଙ୍ଖଳା ହେଲା ତାହା ତର୍ଜମା କରି ପ୍ରଶାସନ ପଦକ୍ଷେପ ନେବ । ଗତକାଲି ନୀତି ବିଶୃଙ୍ଖଳା ପାଇଁ ମହାପ୍ରଭୁଙ୍କ ରାତ୍ରୀ ପହୁଡ଼ ହୋଇ ପାରିନାହିଁ । ସେହିପରି ସକାଳୁ ମଧ୍ୟ ମହାପ୍ରଭୁଙ୍କ ନୀତିରେ 3 ଘଣ୍ଟା ବିଳମ୍ବ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.