ETV Bharat / state

NH ମରାମତି ଦାବିରେ ଆନ୍ଦୋଳନକୁ ବିତିଲା 12 ଦିନ, ଅର୍ଥନୈତିକ ଅବରୋଧ ଚେତାବନୀ ଦେଲା ମଞ୍ଚ

author img

By ETV Bharat Odisha Team

Published : Jan 28, 2024, 11:03 PM IST

ଜାତୀୟ ରାଜପଥ ମରାମତି ଦାବି
ଜାତୀୟ ରାଜପଥ ମରାମତି ଦାବି

Protest In Angul: ଜାତୀୟ ରାଜପଥ ମରାମତି ଦାବିରେ ଜାରି ରହିଛି ଗଣଧାରଣା । ସଚେତନ ନାଗରିକ ପକ୍ଷରୁ ଚାଲିଥିବା ଗଣଧାରଣାକୁ ଅନେକ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । ଅଧିକ ପଢନ୍ତୁ

ଜାତୀୟ ରାଜପଥ ମରାମତି ଦାବି

ଅନୁଗୋଳ: ଜାତୀୟ ରାଜପଥ ମରାମତି ପାଇଁ ଦିଆଯାଇଥିବା ଗଣଧାରଣା ଦ୍ୱାଦଶ ଦିନରେ ପହଞ୍ଚିଛି । ସଚେତନ ନାଗରିକ ପକ୍ଷରୁ ଚାଲିଥିବା ଗଣଧାରଣାକୁ ଅନେକ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ବରିଷ୍ଠ ଆଇନଜୀବୀ, ସାମ୍ବାଦିକ ଓ ଏବଂ ବିଭିନ୍ନ ରାଜନୈତିକ ଦଳୀୟ ନେତୃ ବୃନ୍ଦଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଯେଉଁଥିରେ ଅନୁଗୋଳ ପଞ୍ଚମହଲାଠାରୁ ବଅଁରପାଳ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ସମସ୍ୟାର ସମାଧାନ ପାଇଁ ଦାବି ହୋଇଥିଲା । ଏହାସହ ବାଇପାସ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଓ ଅନୁଗୋଳରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ଜୋର ଧରିଥିଲା । ଗଣଧାରଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଲୋକ ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଆଲୋଚନାକୁ ଆସିନଥିବା କାରଣରୁ ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।

ବିଭିନ୍ନ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇ କିଛି ଆଖି ଦୃଶିଆ ମରାମତି କାର୍ଯ୍ୟ ହୋଇଛି । ପୂର୍ବ ଓ ପଶ୍ଚିମ ଓଡିଶାକୁ ସଂଯୋଗୀ କରଣ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ ଗୁରୁତ୍ୱ ବହନ କରୁଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି । ସେହି ରାସ୍ତା ଦେଇ ଦୈନିକ ହଜାର ହଜାର ଭାରି ଯାନ ଚଳାଚଳ କାରଣରୁ ଦୁର୍ଘଟଣାଘଟି ଜନ ଜୀବନ କ୍ଷତିଗ୍ରସ୍ତ ହେଉଛି । ସୂଚନା ଅନୁସାରେ, ଆଜିର ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା । ଯେଉଁଥିରେ ଜାତୀୟ ରାଜପଥ ମରାମତି କାର୍ଯ୍ୟ ଅବିଳମ୍ବେ କରାଯିବ ନେଇ ସର୍ବାଧିକ ମତ ସଂଗୃହିତ ହୋଇଥିଲା । ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ସ୍ପିଡ୍ ବ୍ରେକର ଓ ଯାନର ଗତି ବେଗ ଉପରେ ଅଙ୍କୁଶ ଲଗାଇବା ପାଇଁ ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଥିଲେ । ବାଇପାସ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ...ମରଣଯନ୍ତା ସାଜିଛି NH-55: ମରାମତି ଦାବିରେ ଆନ୍ଦୋଳନ ଜାରି, ଧାରଣାସ୍ଥଳରେ ହୋମଯଜ୍ଞ

ସେହିପରି ଅନୁଗୋଳରେ ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ । ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ତାହା କାର୍ଯ୍ୟ କ୍ଷମ କରିବା ପରିବର୍ତ୍ତେ ପ୍ରତ୍ୟାହୃତ କରାଯିବା ଓ ତାହାକୁ ସରକାରୀ ଡାକ୍ତରଖାନାର ପରିଣତ କରାଯିବା କଥାକୁ ଦୃଢ ନିନ୍ଦା କରାଯାଇଛି । "ଏହି ସବୁ ସମସ୍ୟା ଓ ଆବଶ୍ୟକତା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ ସହିତ ଅନୁଗୋଳ ବନ୍ଦ ଡାକରା ଦିଆଯିବ " ବୋଲି ସଚେତନ ନାଗରିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.