ETV Bharat / state

ଗ୍ରୀଷ୍ମ ପ୍ରବାହର ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Mar 13, 2024, 7:53 AM IST

Updated : Mar 13, 2024, 10:41 AM IST

Preparatory Meeting For Tackle Heat Wave
Preparatory Meeting For Tackle Heat Wave

Preparatory Meeting For Tackle Heat Wave: ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ । ବ୍ୟକ୍ତିଗତ ସ୍ତରରେ ସଚେତନ ରହିବାକୁ ପରାମର୍ଶ ଦେଲା ପ୍ରଶାସନ । ଅଧିକ ପଢନ୍ତୁ

ଗ୍ରୀଷ୍ମ ପ୍ରବାହର ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ମାଲକାନଗିରି: ଏବେଠୁ କଲବଲ କଲାଣି ଅସହ୍ୟ ତାତି । ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି । ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲ ସମ୍ପଦ ହ୍ରାସ ପାଉଥିବାରୁ ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପ ଅନୁଭୂତ ହେଉଛି । ଏହି ଦୃଷ୍ଟିରୁ ଚଳିତ ଗ୍ରୀଷ୍ମ ପ୍ରବାହର ସଠିକ ମୁକାବିଲା ନିମନ୍ତେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭାଗୀୟ ଅଧିକାରୀମାନେ ସଠିକ୍ ଭାବେ ସଜାଗ ଓ ପ୍ରସ୍ତୁତ ରହି ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ସହ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ଶୂନରେ ରଖିବା ଉପରେ ଯତ୍ନବାନ ହେବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।

ଜଳକ୍ଲିଷ୍ଟ ଅଞ୍ଚଳରେ ସ୍ଥାୟୀ ଉପଚାର କରିବା ସହିତ ପଶୁପକ୍ଷୀମାନଙ୍କ ପାଇଁ ଜଳ ଯୋଗାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମ୍ପ୍ରତ୍ତି ଜଙ୍ଗଲଗୁଡିକରେ ନିଆଁ ଲାଗିବା ହେତୁ ପଶୁପକ୍ଷୀମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି । ତେଣୁ ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ କାମ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ବଢୁଛି ତାତି, ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବାକୁ ବୌଦ୍ଧରେ ପ୍ରସ୍ତୁତି

ଏହା ମଧ୍ୟ ପଢନ୍ତୁ-କଲବଲ କଲାଣି ଖରା, ସ୍କୁଲ ଓ ଅଙ୍ଗନବାଡ଼ିରେ ପାଣି ଓ ORS ରଖିବାକୁ ନିର୍ଦ୍ଦେଶ

ବିଦ୍ୟାଳୟର ଛାତ୍ରଛାତ୍ରୀ ଖରାରେ ଯେଭଳି ବାହାରିବେ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ରଖିବାକୁ କୁହାଯାଇଛି । ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ଚିକିତ୍ସାଳୟରେ ଆବଶ୍ୟକ ଔଷଧ, ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ଓ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଏଥି ନିମନ୍ତେ ସୂଚନା ପ୍ରଦାନ ପାଇଁ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟରେ ଏକ ଆପତକାଳୀନ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଥାଉକି, ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ଵତନ୍ତ୍ର ଅଂଶୁଘାତ କକ୍ଷ କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

Last Updated :Mar 13, 2024, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.