ETV Bharat / state

କଲବଲ କଲାଣି ଖରା, ସ୍କୁଲ ଓ ଅଙ୍ଗନବାଡ଼ିରେ ପାଣି ଓ ORS ରଖିବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Feb 22, 2024, 3:58 PM IST

Mercury rises in Odisha: ରାଜ୍ୟରେ ତାତି ବଢିଥିବା ବେଳେ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ଅଙ୍ଗନବାଡି ଓ ସ୍କୁଲରେ ପାଣି ଓ ଓଆରଏସ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

କଲବଲ କଲାଣି ଖରା, ସ୍କୁଲ ଓ ଅଙ୍ଗନବାଡ଼ିରେ ପାଣି ଓ ORS ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଖରା ଦିନକୁ ଦିନ ବଢ଼ିବାରେ ଲାଗୁଛି । ଦିନ ୧୦ଟା ହେଲେ ଘରୁ ବାହାରିବା ମୁସ୍କିଲ । ଫେବୃଆରୀରେ ଶୀତ ଯାଉ ଯାଉ ଖରା ମାଡ଼ି ଆସିଲାଣି । ଗଲା କିଛି ଦିନ ଧରି ରାଜ୍ୟବାସୀଙ୍କୁ ଖରା କଲକଲ କରୁଛି । ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ SRC ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅଙ୍ଗନବାଡି ଓ ସ୍କୁଲରେ ପାଣି ଓ ଓଆରଏସ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତକାଲି ରାଜଧାନୀ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଏନେଇ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ SRC ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ହିଟ୍‌ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ହିଟୱେଭରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଵତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି ।

ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ । ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ ରଖାଯିବା ସହ ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ଯେପରି ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସମସ୍ତ ଅଭିଭାବକଙ୍କୁ ସଚେତନ କରାଯିବା ଦରକାର ଯେ ସେମାନଙ୍କ ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେଇ ଯାଆନ୍ତୁ । ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହାର ପ୍ରଚାର କରାଯିବ ।

ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ପ୍ରବାହ ସତର୍କତାମୂଳକ ଟିପ୍ସ ଦେବା ପାଇଁ ସ୍କୁଲ ସମୟରେ କିଛି ସମୟ ଦେବାକୁ ମଧ୍ୟ ପରାମର୍ଶ ଦିଆଯିବ।ଏପଟେ ଅଙ୍ଗନବାଡି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ । ଅଙ୍ଗନଵାଡ଼ି କେନ୍ଦ୍ରରେ ପାଣିର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏହାସହ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ ମଧ୍ୟ ଉପଲବ୍ଧ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିସପେନ୍ସରୀ, ପିଏଚସି, ସିଏଚ୍‌ସି ଏବଂ ଉପଖଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍, ଓଆରଏସ୍ ସଂରକ୍ଷଣ କରାଯିବ ।

ଏହା ବି ପଢନ୍ତୁ- ଡ଼ରାଉଛି ତାତି, ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି କଲେ SRC

ବିଭିନ୍ନ ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅଲଗା ଅଲଗା ୱାର୍ଡ ଶଯ୍ୟା ବ୍ୟବସ୍ଥା କରାଯିବ । ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଇଏସଆଇ ଡିସପେନସରିଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ । ଏପଟେ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବର୍ଷ ମାଘ ମାସରେ ଶୀତ ବଦଳରେ ତାପମାତ୍ରା ବଢ଼ି ଚାଲିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଖରା ଜନିତ ସମସ୍ୟାର ଆଶଙ୍କା ଦେଖାଦେଇନି, ତଥାପି ଆମକୁ ସଚେତନ ଓ ପ୍ରସ୍ତୁତ ରହିବାକୁ ପଡ଼ିବ। ପୂର୍ବରୁ ଅଂଶୁଘାତ ପାଇଁ ପ୍ରତି ଜିଲ୍ଲାକୁ ଷ୍ଟାଣ୍ଡାର୍ଡ ଆଡଭାଇଜରି ବା SOP ଜାରି ହୋଇଛି ।

ଆଗକୁ ଅଂଶୁଘାତ ଭଳି ସ୍ଥିତି ଆସିଲେ, ଆଉ ଥରେ ରିମାଇଣ୍ଡର ଦିଆଯିବ। ପୂର୍ବରୁ ଜାରି SOPରେ ଲୋକଙ୍କୁ ସତର୍କ କରାଇବା ସହ ମେଡିକାଲ ପ୍ରସ୍ତୁତ ରଖିବା, ଆବଶ୍ୟକ ଔଷଧ ମହଜୁଦ ରଖିବା, ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ଡେଡିକେଟେଡ ବେଡ୍ ରଖାଯିବାକୁ ନିର୍ଦ୍ଦେଶ ଯାଇଛି । ସେହିପରି ଅଂଶୁଘାତ ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଆଗକୁ ଏନେଇ ପ୍ରତି ଜିଲ୍ଲାକୁ ପୁଣି ଥରେ ରିମାଇଣ୍ଡର ଦିଆଯିବ । ତେବେ ବରିଷ୍ଠ ନାଗରିକ, ମଦ୍ୟପାନ କରୁଥିବା ବ୍ୟକ୍ତି ଓ କୋମରବିଡ ରୋଗୀଙ୍କୁ ଅଂଶୁଘାତ ଆଶଙ୍କା ଅଧିକ ରହିଛି । ତେଣୁ ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.