ETV Bharat / state

ମୋଦିଙ୍କ ସମ୍ବଲପୁର ଗସ୍ତ; ଆଇଆଇଏମ ସହ ୨୩ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

author img

By ETV Bharat Odisha Team

Published : Feb 2, 2024, 9:54 AM IST

Updated : Feb 2, 2024, 10:01 AM IST

ମୋଦିଙ୍କ ସମ୍ବଲପୁର ଗସ୍ତ
ମୋଦିଙ୍କ ସମ୍ବଲପୁର ଗସ୍ତ

PM Modi Sambalpur Visit: ଆସନ୍ତାକାଲି(ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ । ଦିନିକିଆ ଗସ୍ତରେ ଆଇଆଇଏମ, ସମ୍ବଲପୁର ସମେତ ୨୩ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୋଦି । ଅଧିକ ପଢନ୍ତୁ

ମୋଦିଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ଆସନ୍ତାକାଲି(ଶନିବାର) ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରିବେ । ଏହାପରେ ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଅପରାହ୍ନ ୨ଟା ୧୫ରେ ଆଇଆଇଏମକୁ ଯିବେ l ଏଠାରେ ପହଞ୍ଚିଲା ପରେ ସେ ପ୍ରଥମେ ୪୦୦ କୋଟିର ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶୁଭ ଉଦଘାଟନ କରିବେ ଏବଂ ଏଠି ଯୋଗ ଦେଇଥିବା ବିଭିନ୍ନ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜସେବୀ, ଅଧ୍ୟାପକ, ଛାତ୍ରଛାତ୍ରୀ, ଡାକ୍ତର, ଇଞ୍ଜିନିୟର ପ୍ରଭୃତି ପ୍ରାୟ ୪ ହଜାରରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଉଦବୋଧନ ଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଟ ୨୩ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳ୍ୟାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ କିଛି ମନ୍ତ୍ରୀ ଯୋଗ ଦେବାର ଅଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆଇଆଇଏମ ସମେତ ମୋଟ ୨୩ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହିସବୁ ପ୍ରକଳ୍ପ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝରରେ ରହିଛି ଯାହାର ବ୍ୟୟ ଅଟକଳ ପ୍ରାୟ ୫୧ ହଜାର ୨୩୫ କୋଟି ଟଙ୍କା । ଏହିସବୁ ପ୍ରକଳ୍ପ ଆଭାସୀ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ l ଏହାପରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ରେମେଡ଼ ପଡିଆକୁ ଆସି ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ l ଏନେଇ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ବିଗୁଲ ବଜାଇବା ପାଇଁ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ: ବିଜେପି


ସୂଚନାଯୋଗ୍ୟ ଯେ, ବହୁ ଆନ୍ଦୋଳନ ପରେ ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ l ସମ୍ବଲପୁର ଆଇଆଇଏମ ଘୋଷଣା ପରେ ୨୦୧୫ ମସିହାରେ ଶାସନ ଅଞ୍ଚଳର ସିଲିକନ ଇଞ୍ଜିନିୟରିଂ କଲେଜର ଅସ୍ଥାୟୀ କ୍ୟାମ୍ପସରେ ଏହା ଆରମ୍ଭ ହୋଇଥିଲା l ଏହାପରେ ୨୦୧୮ ମାର୍ଚ୍ଚରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରିସର ଭିତରେ ଥିବା ଅନ୍ୟ ଏକ ଅସ୍ଥାୟୀ କ୍ୟାମ୍ପସକୁ ଏହା ସ୍ଥାନାନ୍ତରିତ ହୋଇଥିଲା l ପରେ ଗୋଶାଳା ଅଞ୍ଚଳରେ ଏହାର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ୨୦୨୩ ମାର୍ଚ୍ଚରେ ଏହାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସବୁଠାରୁ ବଡ଼ କଥା ହେଲା, ସମ୍ବଲପୁର ଆଇଆଇଏମ ୨୦୦ ଏକରରୁ ଅଧିକ ଜମିରେ ପରିବ୍ୟାପ୍ତ । ଏହି କ୍ୟାମ୍ପସରେ ଡିଜିଟାଲ, ଫିଜିକାଲ ଓ ବ୍ଲେଣ୍ଡେଡ ଆଦି ଅତ୍ୟାଧୁନିକ କ୍ଲାସ ରୁମ ରହିଛି । ଏଥିସହ ଏଠାରେ ନାଇଟ ସ୍ପୋର୍ଟ୍ସ ପାଇଁ ସୁବିଧା, ଫିଫା ଷ୍ଟାଣ୍ଡାର୍ଡର ଷ୍ଟାଡିୟମ ରହିଛି । ଏଠାରେ ୫୦୦ଟି MBA ସିଟ, ୧୨୦ଟି ଏଗଜିକ୍ୟୁଟିବ MBA, ୭୦ଟି PHD ସିଟ୍ ରହିଛି l ଏହାସହ ସମ୍ବଲପୁର ଆଇଆଇଏମ ୧୦୦% ପ୍ରତିଶତ ପ୍ଲେସମେଣ୍ଟ ଦେଇଆସୁଛି l ଏଠାରେ ୪୦ ଜଣ ଫ୍ୟାକଲ୍ଟି ପଦବୀ ଓ ୬୦ ଜଣ ଅଣ ଶିକ୍ଷକ ପଦବୀ ରହିଛି l


ଇଟିଭି ଭାରତ, ସମ୍ବଲପୁର

Last Updated :Feb 2, 2024, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.