ETV Bharat / state

ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ, ଗରା-ବାଲ୍ଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ - Drinking Water Problem

author img

By ETV Bharat Odisha Team

Published : Apr 25, 2024, 9:03 PM IST

Drinking Water Problem
Drinking Water Problem

Drinking Water Problem: ଆଜି ଜଳ ସମସ୍ୟା ନେଇ ଖୋର୍ଦ୍ଧା ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବେଗୁନିଆ ବ୍ଲକବାସୀ ଏବଂ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ବଡକମଣ୍ଡରା ଜୁଆଙ୍ଗ ସାହିର ଲୋକ । ଅଧିକ ପଢ଼ନ୍ତୁ,

Drinking Water Problem

ଖୋର୍ଦ୍ଧା/କେନ୍ଦୁଝର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ତା ସାଙ୍ଗକୁ ରାଜ୍ୟର ଅନେକ ଅଞ୍ଚଳରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା । ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଇପ ଯୋଗେ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ହେଲେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଗୋଡା ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଯାହାର ପ୍ରତିବାଦ କରି ଆଜି ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଜଳ ସମସ୍ୟା ନେଇ କେନ୍ଦୁଝର ଜିଲ୍ଲାର ବଡକମଣ୍ଡରା ଜୁଆଙ୍ଗ ସାହିର ଲୋକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ବାରମ୍ବାର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ପାନୀୟ ଜଳ ବଣ୍ଟନ ସମସ୍ୟାର ସମାଧାନ ହେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଗୋଡା ଗ୍ରାମରେ ବଡ଼ ପାଣି ଟାଙ୍କି ଥିବା ସତ୍ତ୍ବେ ମଧ୍ୟ ଗୋଡା ଟାଙ୍ଗୀସାହିର ଅନେକ ପରିବାର ପାଇଁ ପାନୀୟ ଜଳର ଘୋର ଅଭାବ ଯୋଗୁଁ ସାଧାରଣ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ନଚେତ ଚୂଆ ଖୋଳି ଜଳ ସଂଗ୍ରହ କରୁଛନ୍ତି । ସେହିପରି ପାଣି ପାଇପକୁ ମନଇଚ୍ଛା କାଟି ଲୋକମାନେ ବେଆଇନ ସଂଯୋଗ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା କହିଛନ୍ତି ଗ୍ରାମବାସୀ । ମଣିଷ ମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଥିବା ବେଳେ ଗାଈଗୋରୁ ମାନଙ୍କ ପରିସ୍ଥିତି ଜଟିଳ ହୋଇଯାଇଛି । ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ କେବଳ ପ୍ରତିଶୃତି ମିଳିଛି । ଯାହା ଫଳରେ ଗୋଡା ଗ୍ରାମବାସୀ ଆଜି ଗରା, ବାଲଟି, ମାଠିଆ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ହରଭଙ୍ଗାରେ ସରକାରୀ ଯୋଜନା ଫେଲ୍, ପାଣି ପାଇଁ ଡହଳବିକଳ ଲୋକେ - Boudh Drinking Water Problem

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତର ବଡକମଣ୍ଡରା ଜୁଆଙ୍ଗ ସାହିର ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ସରକାର ଘରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ଏନେଇ ଗାଁ ଗାଁରେ ବସୁଧା ଯୋଜନାରେ ପାଣି ଟାଙ୍କି ଓ ଟ୍ୟାପ ବସାଇଛନ୍ତି । ହେଲ ପାଣି ବନ୍ଦ ହୋଇଯାଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମର ପଚାଶରୁ ଊର୍ଦ୍ଧ୍ବ ଗ୍ରାମବାସୀ ସୁଦୂର ନାଳ ଉପରେ ନିର୍ଭର କରୁଛନ୍ତି । ଯାହା ପାଇଁ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ କେହି ତାଙ୍କ ସମସ୍ୟା ବିଷୟରେ ନଶୁଣିବାରୁ ଆଜି ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ହାଣ୍ଡି, ଗରା, ବାଲଟି ଧରି ପିଇବା ପାଣି ନପାଇଲା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଜିଦ୍ ଧରି ବସିଥିଲେ । ପାଣି ସମସ୍ୟା ନବୁଝିଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ ମହିଳା ମାନେ । ଏନେଇ ଜିଲ୍ଲାପାଳ ଅବଗତ ହେବା ପରେ ଯଥାଶୀଘ୍ର ପାନୀୟ ଜଳ ଯୋଗାଣ ନେଇ ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ହଟିଥିଲେ ଜୁଆଙ୍ଗ ମହିଳା ମାନେ ।

ଇଟିଭି ଭାରତ, ଖୋର୍ଦ୍ଧା/କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.