ETV Bharat / state

ହରଭଙ୍ଗାରେ ସରକାରୀ ଯୋଜନା ଫେଲ୍, ପାଣି ପାଇଁ ଡହଳବିକଳ ଲୋକେ - Boudh Drinking water problem

author img

By ETV Bharat Odisha Team

Published : Apr 24, 2024, 8:02 PM IST

Drinking water problem
Drinking water problem

Drinking water problem: ବୌଦ୍ଧର ଅନେକ ସ୍ଥାନରେ ଦେଖା ଦେଉଛି ପାନୀୟ ଜଳ ସମସ୍ୟା । ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନଥିବା ନେଇ ଅସନ୍ତୋଷ ଜିଲ୍ଲାବାସୀ । ଅଧିକ ପଢ଼ନ୍ତୁ

Drinking water problem

ବୌଦ୍ଧ: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ତା ସାଙ୍ଗକୁ ରାଜ୍ୟର ଅନେକ ଅଞ୍ଚଳରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା । ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଇପ ଯୋଗେ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ହେଲେ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଉଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପଞ୍ଚାୟତ ପକ୍ଷରୁ ଏଭଳି ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲାର ବିଧାୟକ ରାଜ୍ୟ ସରକାରଙ୍କ ପଞ୍ଚାୟତ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀପଦ ପାଇଥିଲେ ମଧ୍ୟ ଜିଲ୍ଲାର ହରଭଙ୍ଗା ବ୍ଲକରେ ବର୍ଷ ବର୍ଷ ଧରି ପାନୀୟ ଜଳର ଅଭାବ ଲାଗି ରହୁଛି । ଜିଲ୍ଲା ଚିରସ୍ରୋତା ମହାନଦୀ କୂଳରେ ଥିବା ସତ୍ତ୍ବେ ମଧ୍ୟ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ସାଧାରଣ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ନଚେତ ଚୂଆ ଖୋଳି ଜଳ ସଂଗ୍ରହ କରୁଛନ୍ତି । ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳରେ ଥିବା ସୋଲାର ଓ ବୋର୍ ଓ୍ବେଲ ପ୍ରକଳ୍ପ ଅକାମି ହୋଇ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ହରଭଙ୍ଗା ବ୍ଲକବାସୀଙ୍କୁ କେବଳ ପ୍ରତିଶୃତି ମିଳିଛି । ବୌଦ୍ଧ ଜିଲ୍ଲାର ତାପମାତ୍ରା ଅଧିକ ରହୁଥିବା ବେଳେ ଅନେକ ସ୍ଥାନରେ ପାନୀୟ ଜଳକୁ ନେଇ ହାହାକାର ଦେଖାଦେଇଛି । ବିଶେଷ କରି ପୁରୁଣା କଟକ ପଞ୍ଚାୟତରେ ପାନୀୟ ଜଳର ଉତ୍କଟ ସମସ୍ୟାକୁ ସ୍ଥାନୀୟ ସରପଞ୍ଚ ସ୍ବୀକାର କରିବା ସହିତ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଉତ୍କଟ ପାନୀୟ ଜଳ ସମସ୍ୟା ନେଇ କଲବଲ ଲୋକେ, ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ - Puri Drinking Water Problem

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଏଭଳି ଜଳକଷ୍ଟ ଭୋଗୁଥିବା ହିତାଧିକାରୀଙ୍କ ନିକଟରେ ପାନୀୟଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ କେବଳ ବୌଦ୍ଧ ନୁହେଁ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ କଲବଲ ହେଉଛନ୍ତି ପୁରୀ ଜିଲ୍ଲା ମୁକୁନ୍ଦମିଶ୍ର ନଗର ବାସିନ୍ଦା । ଏହି ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି କରିବା ସତ୍ତ୍ୱେ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ତେବେ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳବାସିନ୍ଦା । ଖୁବଶୀଘ୍ର ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାର ଚେତାବନୀ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.