ETV Bharat / state

ବଲାଙ୍ଗୀରରେ ଆରମ୍ଭ ହେଲା ପଲ୍ଲିଶ୍ରୀ ମେଳା, ଜମୁଛି ଖଚାଖଚ୍ ଭିଡ

author img

By ETV Bharat Odisha Team

Published : Feb 8, 2024, 8:33 AM IST

ଆରମ୍ଭ ହେଲା ପଲ୍ଲିଶ୍ରୀ ମେଳା
Pallishree Mela

Balangir Pallishree Mela: ଓରମାସ ପକ୍ଷରୁ ବଲାଙ୍ଗୀରରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ୩୦ଟି ଜିଲ୍ଲାର ଏସଏଚଜି ଓ ଅନ୍ୟାନ୍ୟ ଉଦ୍ୟୋଗୀ ଏହି ମେଳାରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Pallishree Mela

ବଲାଙ୍ଗୀର: ଓରମାସ ପକ୍ଷରୁ ବଲାଙ୍ଗୀରରେ ବୁଧବାରଠାରୁ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି । ଏହା ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଚାଲିବ । ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ମେଳାରେ 30ଟି ଜିଲ୍ଲାର ଏସଏଚଜି ଓ ଅନ୍ୟାନ୍ୟ ଉଦ୍ୟୋଗୀମାନେ ସାମିଲ ହୋଇଛନ୍ତି । ସେପଟେ ଭଳିକି ଭଳି ଘରକରଣା ସାମଗ୍ରୀ ସହ ଖାଦ୍ୟପେୟ, ମସଲା ଇତ୍ୟାଦି କିଣିବା ପାଇଁ ଜମୁଛି ଲୋକଙ୍କ ଭିଡ ।

ରାଜ୍ୟ ବାହାରୁ ତଥା କାଶ୍ମୀର, ହରିୟାଣା, ପଞ୍ଜାବ ଓ ଦକ୍ଷିଣ ଭାରତର ଅନୁଷ୍ଠାନମାନଙ୍କ ହସ୍ତଶିଳ୍ପ ସାମଗ୍ରୀର ଦୋକାନ ଏଠାରେ ଦେଖିବାକୁ ମିଳିଛି । ମାଟି ତିଆରି ଟେରାକୋଟା ସାମଗ୍ରୀ, ପୋଷାକ, କପଡା, ଆଚାର, ଜଙ୍ଗଲ ସଂଗୃହୀତ ଦ୍ରବ୍ୟ, ଦେଶୀ ଉପାଦେୟ ଜଡ଼ିବୁଟି, ଖାଇବା ସାମଗ୍ରୀ, ମସଲା, ସୌଖିନ ସାମଗ୍ରୀ ସହିତ ଘରକରଣା ସାମଗ୍ରୀର ପସରା ମେଲିଛି । ଏନେଇ ଗ୍ରାହକମାନଙ୍କର ପ୍ରବଳ ଭିଡ ଜମିବା ଆରମ୍ଭ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଗଠନ ଓ ମହିଳା ଗୋଷ୍ଠୀ ନିଜର ହାତ ତିଆରି ସାମଗ୍ରୀର ଦୋକାନ ଲଗାଇଛନ୍ତି । ଯେଉଁଥିରେ ମୋଟ 142ଟି ଦୋକାନ ଲାଗିଛି । ଏଥିରେ ମୋଟ 198ଟି ଏସଏଚଜି ମହିଳା ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

ତେବେ ଦେଶର 12ଟି ରାଜ୍ୟ ଓ ଆମର 30ଟି ଜିଲ୍ଲାରୁ ଉଦ୍ୟୋଗୀ ଏଥିରେ ସାମିଲ ହୋଇଥିବାର କହିଛନ୍ତି ଓରମାସ ଅଧିକାରୀ କମଳେନ୍ଦୁ ପଲ । ସେହିପରି ଏଠି ପ୍ରାୟତଃ ସବୁ ପ୍ରକାରର ସାମଗ୍ରୀ ମିଳୁଛି । ଗତ ବର୍ଷ ମଧ୍ୟ ଏଠି ଭଲ ବ୍ୟବସାୟ ହୋଇଥିବା ବେଳେ ଏଥର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ସେ ଆଶା ରଖିଛନ୍ତି । ସେହିପରି ଗଜପତିରୁ ଆସିଥିବା ବିରାଜୀନି ପ୍ରଧାନ ମଧ୍ୟ ତାଙ୍କ ମହିଳା ଗୋଷ୍ଠୀଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀ ପଲ୍ଲିଶ୍ରୀ ମେଳାରେ ବିକିବାର ସୁଯୋଗ ପାଇଛନ୍ତି । ଏଥର ଭଲ ବ୍ୟବସାୟ ହେବ ଓ ତାଙ୍କର ପରିଶ୍ରମ ସଫଳ ହେବ ବୋଲି ସେ ଆଶା କରିଛନ୍ତି ।

ସେପଟେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ କହିଛନ୍ତି ଯେ, ଓଡ଼ିଶା ସରକାର ସବୁବେଳେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଗ୍ରଣୀ ପଦକ୍ଷେପ ନେଇଆସିଛନ୍ତି । ରାଜ୍ୟର ଏହି ସବୁ ସଫଳ ଯୋଜନାରେ ମହିଳା ବେଶ ଆଗକୁ ବଢି ନିଜେ ସ୍ୱାବଲମ୍ବୀ ହେଉଛନ୍ତି । ଏହି ପଲ୍ଲିଶ୍ରୀ ମେଳା ଏମାନଙ୍କୁ ବେଶ ସୁଯୋଗ ଦେଇଥିବା ବେଳେ ଲୋକେ ମଧ୍ୟ ଏହାକୁ ପ୍ରଶଂସା କରୁଥିବାର ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.