ETV Bharat / state

ପକ୍ଷୀଙ୍କ ପେଟ କଥା ବୁଝୁଛନ୍ତି କବି, ଡହଡହ ଖରାରେ ଖାଦ୍ୟ-ଜଳର ବ୍ୟବସ୍ଥା କରିଛନ୍ତି - PakshiPain Dinatie Program

author img

By ETV Bharat Odisha Team

Published : Apr 27, 2024, 9:40 PM IST

ପକ୍ଷୀଙ୍କ ଭୋକିଲା ପେଟର ଦୁଃଖ ବୁଝି ପାଣି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି
ପକ୍ଷୀଙ୍କ ଭୋକିଲା ପେଟର ଦୁଃଖ ବୁଝି ପାଣି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି

PakshiPain Dinatie Program In Balasore: ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବେଲେଶ୍ବରରେ ‘ପକ୍ଷୀପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜନ । ଅଧିକ ପଢ଼ନ୍ତୁ

ପକ୍ଷୀଙ୍କ ଭୋକିଲା ପେଟର ଦୁଃଖ ବୁଝି ପାଣି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି

ବାଲେଶ୍ବର: ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଯେତେବେଳେ ନିଜ ପାଇଁ ଘଡ଼ିଏ ସମୟ ବାହାର କରିପାରୁନି, ସେତେବେଳେ ଅନ୍ୟ ପାଇଁ କାହାର ବା ଚିନ୍ତା ରହୁଛି । ହେଲେ ଆଜି ବି କିଛି ଲୋକଙ୍କ ପାଖରେ ମାନବିକତା ବଞ୍ଚି ରହିଛି । କଥା କହି ପାରୁନଥିବା ପକ୍ଷୀମାନଙ୍କ ସୁଖ ଦୁଃଖର ସାଥୀ ସାଜିଛନ୍ତି ବାଲେଶ୍ୱର ସହରର କବି, ସାହିତ୍ୟିକ ତଥା ବୁଦ୍ଧିଜୀବୀ । ଖରା ଦିନେ ପକ୍ଷୀମାନଙ୍କ ଭୋକିଲା ପେଟ କଥା ସେମାନେ ବୁଝିଛନ୍ତି । ଆଉ ସେଥିପାଇଁ ଗ୍ରୀଷ୍ମ ଦାଉରେ ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ମିଳିତ ଭାବେ ‘ପକ୍ଷୀପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଯେଉଁଠି ସାମୁହିକ ଭାବେ ପକ୍ଷୀମାନଙ୍କ ପାଇଁ ପାନୀୟ ଜଳ ଏବଂ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ।

ବିଶ୍ୱ ତାପାୟାନ ସମସ୍ୟା ଯୋଗୁଁ ଅତ୍ୟଧିକ ତାପମାତ୍ରା ବୃଦ୍ଧି, ବ୍ୟାପକ ଗଛକଟା ଓ ଜଙ୍ଗଲର ଅବକ୍ଷୟ ଯୋଗୁଁ ବହୁ ପକ୍ଷୀ ମୃତ୍ୟୁମୁଖରେ ପଡୁଛନ୍ତି ବା ଜଙ୍ଗଲ ଭିତରକୁ ଚାଲିଯାଉଛନ୍ତି । ସହର ବଜାରରେ ଆଉ ଆଗଭଳି ପକ୍ଷୀମାନଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁନି । ଫଳରେ ମଣିଷ ସମାଜ ସହିତ ପକ୍ଷୀକୁଳର ସମ୍ପର୍କ ଧୀରେ ଧୀରେ କମିବାରେ ଲାଗିଲାଣି । ଏମିତି କି ବହୁ ପ୍ରଜାତିର ପକ୍ଷୀ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବା ପରି ଲାଗୁଛି । ସେପଟେ ପୋଖରୀ ଓ ଗଡ଼ିଆ ଭଳି ସବୁ ଜଳାଶୟ କାଳକ୍ରମେ ପୋତିହୋଇ ପଡ଼ିବା ଯୋଗୁଁ ପାଣି ଟୋପାଏ ପାଇଁ ଓ ଖାଦ୍ୟାଭାବ ପାଇଁ ଡହଳବିକଳ ହେଉଛନ୍ତି ପକ୍ଷୀ । ଏହି ପକ୍ଷୀମାନଙ୍କ ଭୋକିଲା ପେଟର ଦୁଃଖ ବୁଝି ସେମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ବାଲେଶ୍ବର ସହରର ସାମାଜିକ ସଂଗଠନ ବ୍ରଜେନ୍ଦ୍ର କୁମାର ପରିଡ଼ା ଫାଉଣ୍ଡେସନ ଏବଂ ହିମାଂଶୁ ହରି ଫାଉଣ୍ଡେସନ ଆନୁକୂଲ୍ୟରେ ‘ପକ୍ଷୀପାଇଁ ଦିନଟିଏ’ ନାମରେ ଏକ ଜନ ସଚେତନତାମୂଳକ କାର୍ଯ୍ୟକ୍ରମ ବାଲେଶ୍ଵର ସହର ଫକୀରମୋହନ ଗୋଲେଇ ଠାରୁ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଡହଡହ ଖରାରେ ତୃଷ୍ଣାରେ ରହିବନି ପକ୍ଷୀ ! ମନକଥା ବୁଝି ବ୍ୟବସ୍ଥା କରିଛନ୍ତି ଶୁଭ୍ରାଂଶୁ - Water For Birds

ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଗଛ ଓ ଡାଳରେ ପାଣି ପାତ୍ର ଓ ଖାଦ୍ୟ ପାତ୍ରମାନ ଟଙ୍ଗାଯିବା ସଙ୍ଗେ ସଙ୍ଗେ ସାଂକେତିକ ଭାବରେ ସେଗୁଡ଼ିକରେ ଜଳପୂର୍ଣ୍ଣ କରାଯିବା ସହ ଭିଜାବୁଟ, ମୁଗ, ଗହମ ଓ ଖୁଦ ଭର୍ତ୍ତି କରାଯାଇଥିଲା । ଉପସ୍ଥିତ କବି ଏବଂ ସାମାଜିକ କର୍ମୀମାନେ ନିଜ ଘରେ ଏବଂ ନିଜ ଅଞ୍ଚଳରେ ବହୁସଂଖ୍ୟକ ଜଳ ଓ ଖାଦ୍ୟ ପାତ୍ର ପଶୁପକ୍ଷୀମାନଙ୍କ ପାଇଁ ବ୍ୟବସ୍ଥା କରିବା ଲାଗି ନିଜ ନିଜ ସ୍ତରରେ ଉଦ୍ୟମ କରିବା ଏବଂ ଲୋକମାନଙ୍କୁ ସଚେତନ କରିବା ଲାଗି ସଙ୍କଳ୍ପବଦ୍ଧ ହୋଇଥିଲେ । ଏମିତିକି ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ପୁରା ସହରରେ ଚାଲିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.