ETV Bharat / state

ଡହଡହ ଖରାରେ ତୃଷ୍ଣାରେ ରହିବନି ପକ୍ଷୀ ! ମନକଥା ବୁଝି ବ୍ୟବସ୍ଥା କରିଛନ୍ତି ଶୁଭ୍ରାଂଶୁ - Water For Birds

author img

By ETV Bharat Odisha Team

Published : Apr 19, 2024, 4:32 PM IST

Bird Lover Subhransu Satpathi: ପକ୍ଷୀଙ୍କ ପାଇଁ ସେ ଦେବଦୂତ । ପକ୍ଷୀ ଯେମିତି ଶୋଷରେ ଆଉଟୁ ପାଉଟୁ ନ ହୁଅନ୍ତୁ ସେଥିପାଇଁ ଆଗେଇ ଆସିଛନ୍ତି ସେ । ପକ୍ଷୀଙ୍କ ପାଇଁ କରୁଛନ୍ତି ପାଣିର ବ୍ୟବସ୍ଥା । ପଢନ୍ତୁ ଏ ରିପୋର୍ଟ ।

ଡହଡହ ଖରାରେ ଶୋଷିଲା ରହିବେନି ପକ୍ଷୀ
ଡହଡହ ଖରାରେ ଶୋଷିଲା ରହିବେନି ପକ୍ଷୀ

ଡହଡହ ଖରାରେ ଶୋଷିଲା ରହିବେନି ପକ୍ଷୀ

ଭୁବନେଶ୍ବର: ବ୍ୟସ୍ତ ବହୁଳ ଜୀବନ ଭିତରେ ଯେତେବେଳେ ନିଜ ପାଇଁ ମଣିଷ ସମୟ ବାହାର କରିପାରେନା, ସେତେବେଳେ ଅନ୍ୟମାନଙ୍କ କଥା ପଚାରେ କିଏ । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ସମସ୍ତେ ନିଜ ନିଜ କଥା ଭାବିବା ଭିତରେ ପଶୁପକ୍ଷୀଙ୍କ କଥା କିଏ ବା ଭାବୁଛି ? ଆଉ ଏବେ ଡହଡହ ଖରାରେ ମଣିଷ ଯେତେବେଳେ ଘରୁ ବାହାରକୁ ବାହାରି ପାରୁନି, ତ ଥରେ ଭାବନ୍ତୁ ବାହାରେ ଥିବା ପଶୁପକ୍ଷୀଙ୍କ ଅବସ୍ଥା କ'ଣ ହେଉଥିବ । ମଣିଷ ସିନା ଏସି ଆଉ ଫ୍ୟାନ ଲଗାଇ ରହିଯାଉଛନ୍ତି, ହେଲେ ପଶୁପକ୍ଷୀଙ୍କ କଥା ଭାବିବାକୁ କାହା ପାଖରେ ସମୟ ନାହିଁ । ସେମିତି କହିହେବନି ଯେ, ଏ ସମାଜରେ ପଶୁପ୍ରେମୀ ନାହାନ୍ତି ବୋଲି । ଏମତି ବି ହୃଦୟବାନ ମଣିଷ ଅଛନ୍ତି ଯିଏ ଖରା ଦିନେ ପକ୍ଷୀମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଆଉ ସେ ପକ୍ଷୀପ୍ରେମୀ ମଣିଷ ହେଉଛନ୍ତି ରାଜଧାନୀର ଶୁଭ୍ରାଂଶୁ ଶତପଥୀ ।

ଖରା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ପ୍ରଚଣ୍ଡ ଖରା ତାତିରେ ଲୋକେ ଆଉଟୁପାଉଟୁ ହୋଇଗଲେଣି । ଗ୍ରୀଷ୍ଣ ପ୍ରକୋପ ପ୍ରଭାବରେ ଚାରିଆଡେ ସୁଖିଯାଇ ମରୁଭୂମି ସଦୃଶ ଦଖାଯାଉଛି । ପଥଚାରୀଙ୍କ ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ଅନେକ ସ୍ଵେଚ୍ଛାସେବୀମାନେ ବୁଲି ବୁଲି ଥଣ୍ଡା ପାଣି ହେଉ ବା ଦହି ପାଣି ବଣ୍ଟନ କରୁଛନ୍ତି । ହେଲେ ପଶୁପକ୍ଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ପାଣି ଟିକେ ପାଇଁ ସେମାନେ ମଧ୍ୟ ଡହଳ ବିକଳ ହେଉଛନ୍ତି । ଯେହେତୁ ପଶୁପକ୍ଷୀଙ୍କ ପାଟି ଖୋଲୁନି ସେମାନେ କହିପାରୁନାହାନ୍ତି କି କାହା ପାଖରେ ଦାବି ମଧ୍ୟ ଜଣାଇ ପାରୁନାହାନ୍ତି । ତେବେ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଭୁବନେଶ୍ବରର ଶୁଭ୍ରାଂଶୁ ଶତପଥୀ, ଯିଏ ଖରା ଦିନେ ପକ୍ଷୀମାନଙ୍କ ପାଇଁ ଚିନ୍ତା ସେମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଛନ୍ତି । ନିଜେ ବୁଲି ବୁଲି ଗଛ ଉପରେ ଏବଂ ଗଛ ମୂଳରେ ମାଟି ପାତ୍ରରେ ପାଣି ରଖିବା ପାଇଁ ବ୍ୟବସ୍ଥା କରିଥାନ୍ତି । ଏନେଇ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ସହ ବର୍ତ୍ତମାନ ସୁଦ୍ଧା ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ୪୦ ହଜାର ମାଟି ପାତ୍ର ପଶୁପକ୍ଷୀମାନଙ୍କ ଉଦେଶ୍ୟରେ ବଣ୍ଟନ କରିସାରିଛନ୍ତି ଶୁଭ୍ରାଂଶୁ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାଣୀଜଗତ ପାଇଁ ବରଦାନ ସୁବ୍ରତ, ଘର ଚଟିଆର ସଂରକ୍ଷଣ ପାଇଁ ଘରକୁ କଲେ ପକ୍ଷୀ ଉଦ୍ୟାନ


ଏନେଇ ପକ୍ଷୀ ପ୍ରେମୀ ତଥା ବାର୍ଡ ମ୍ୟାନ ଶୁଭ୍ରାଂଶୁ ଶତପଥୀ କହିଛନ୍ତି, "ବର୍ତ୍ତମାନ ସମୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି । ଖରା ପାଇଁ ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ସହରରେ ଅନେକ ସ୍ଥାନରେ ଲୋକମାନଙ୍କ ପାଇଁ ଜଳଛତ୍ର କରାଯାଇଛି । ହେଲେ ବିଶେଷ ଭାବରେ ପଶୁପକ୍ଷୀମାନେ ପାଣି ପିଇବାକୁ ଖରା ଦିନେ ଅନେକ କଷ୍ଟ ଦାୟକ ହୋଇଥାଏ । ଖରା ଦିନରେ ସହର କିମ୍ବା ସହର ବାହାରେ ଅନେକ ଜଳାଶୟ ଶୁଖି ଯାଇଥାଏ । ଏହି ଜଳାଶୟ ପଶୁପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାର ଏକ ପ୍ରମୁଖ ଭୂମିକା ନେଇଥାଏ । ଖରା ଦିନେ ଏହା ଶୁଖିଯିବା ଫଳରେ ଜଳ ସନ୍ଧାନରେ ପକ୍ଷୀ ବେଶୀ ବାଟ ଉଡ଼ି ପାରିନଥାନ୍ତି । ଫଳରେ ଅନେକ ସମୟରେ ସେମାନଙ୍କର ମୃତ୍ୟୁ ଘଟିଥାଏ । ତେଣୁ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ପାଇଁ ସହର ବାହାରେ ବିଭିନ୍ନ ଗଛରେ ମାଟି ପାତ୍ର ରଖି ପାଣି ରଖିଛୁ । ଏହାସହ ଲୋକମାନଙ୍କୁ ମଧ୍ୟ ସଚେତନ କରୁଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.