ETV Bharat / state

ପୋଲିସ ଏସ୍‌ଆଇ ନିଯୁକ୍ତି ଉପରେ ଅନ୍ତରୀଣ ନିର୍ଦ୍ଦେଶ ଲଗାଇଲେ ହାଇକୋର୍ଟ

author img

By ETV Bharat Odisha Team

Published : Jan 31, 2024, 7:23 AM IST

Police SI recruitment
Police SI recruitment

Police SI recruitment case: ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ଅନିୟମିତତା ମାମଲା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ହାଇକୋର୍ଟରେ ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ଅନିୟମିତତା ମାମଲା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ । ଏଥିସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ହାଇକୋର୍ଟରେ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପ୍ରସଙ୍ଗର ଭବିଷ୍ୟତ ନିର୍ଭର କରିବ ବୋଲି କୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁବାସ ସେନାପତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ତେବେ ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଗତ ଜାନୁଆରୀ ୧୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥ‌ିଲେ ।


ଆବେଦନରେ କ'ଣ ଦର୍ଶାଇଥିଲେ ଆବେଦନକାରୀ:

ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ୨୦୨୧, ଜୁନ ୨୨ରେ ୪୭୭ଟି ପୋଲିସ ଏସ୍ଆଇ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୩, ନଭେମ୍ବର ୨୬ ଓ ଡିସେମ୍ବର ୧୦ରେ ଲିଖିତ ପରୀକ୍ଷା ହୋଇଥିଲା । ୨୦୨୩, ଡିସେମ୍ବର ୨୧ରେ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା । ଶାରୀରିକ ପରୀକ୍ଷା ପରେ ଡିସେମ୍ବର ୩୧ରେ ଚୂଡାନ୍ତ ମେଧା ତାଲିକା ‌ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଥିଲା । ଚୂଡାନ୍ତ ମେଧା ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଆବେଦନକାରୀ ।

ଏହା ମଧ୍ୟ ପଢନ୍ତୁ: ପୋଲିସ ଏସ୍‌ଆଇ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ, ରାଜ୍ୟ ସରକାରଙ୍କୁ ଜବାବ ତଲବ

ଆବେଦନକାରୀ ଏହି ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ନଭେମ୍ବର ୨୬ରେ ଖୋର୍ଦ୍ଧାର ଏକ ପରୀକ୍ଷା କେନ୍ଦ୍ରର ପ୍ରଥମ ସିଟିଂରେ ପରୀକ୍ଷକ ପେପର-୧ ବଦଳରେ ଦ୍ୱିତୀୟ ସିଟିଂର ପେପର-୨ ପ୍ରଶ୍ନପତ୍ର ଖୋଲି ଦେଇଥିଲେ । ପରେ ସେମାନଙ୍କ ଠାରୁ ପ୍ରଶ୍ନପତ୍ର ଫେରାଇ ନିଆଯାଇଥିଲା । ସେମାନଙ୍କୁ ଦ୍ୱିତୀୟ ସିଟିଂ ଆରମ୍ଭ ହେବା ପର୍ଯ୍ୟନ୍ତ ସେଠାରେ ରଖାଯାଇଥିଲା । ପରେ ଦ୍ୱିତୀୟ ସିଟିଂ ପ୍ରାୟ ସାଢେ ଗୋଟାଏ ବେଳେ ଆରମ୍ଭ ହେବାରୁ ପେପର-୨ର ପ୍ରଶ୍ନପତ୍ର ପୁନଃ ଦିଆଯାଇଥିଲା । ଉକ୍ତ ପରୀକ୍ଷାକେନ୍ଦ୍ରର ପରୀକ୍ଷାର୍ଥୀଙ୍କ ପେପର-୧ ପରୀକ୍ଷା ଆଉ ସେଦିନ କରାଯାଇନଥିଲା ।

ଡିସେମ୍ବର ୧୦ରେ ପେପର-୧ ପରୀକ୍ଷା କରାଯାଇଥିଲା । ଯେହେତୁ ନଭେମ୍ବର ୨୬ରେ ପ୍ରଥମ ସିଟିଂ ବେଳେ ପେପର-୨ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ପ୍ରଥମେ ପ୍ରଦାନ କରାଯାଇଥିଲା ଓ ଏହି ପ୍ରଶ୍ନପତ୍ର କିଛି ସମୟ ପ୍ରାର୍ଥୀଙ୍କ ନିକଟରେ ରହିଥିଲା ତେଣୁ ଏହି କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । କିନ୍ତୁ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ପରୀକ୍ଷା ବାତିଲ କରିନଥିଲେ । ଅନ୍ୟପଟେ ଲିଖିତ ପରୀକ୍ଷା ଫଳ ପ୍ରକାଶ ବେଳେ କଟ ଅଫ ମାର୍କ ଧାର୍ଯ୍ୟ ପ୍ରସଙ୍ଗରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.