ETV Bharat / state

ସ୍କୁଟି ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଯୁବକ ମୃତ

author img

By ETV Bharat Odisha Team

Published : Mar 17, 2024, 7:16 AM IST

ସ୍କୁଟି ଉପରେ ଚଢ଼ିଲା ବାଲି ବୋଝେଇ ଟ୍ରକ
ସ୍କୁଟି ଉପରେ ଚଢ଼ିଲା ବାଲି ବୋଝେଇ ଟ୍ରକ

Road Accident in Dhenkanal: ଢେଙ୍କାନାଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଟାୟାର ଜାଳି ରାସ୍ତାରୋକ କଲେ ଉତ୍ୟକ୍ତ ଲୋକ । ଅଧିକ ପଢ଼ନ୍ତୁ

ସ୍କୁଟି ଉପରେ ଚଢ଼ିଲା ବାଲି ବୋଝେଇ ଟ୍ରକ

ଢେଙ୍କାନାଳ: ଢେଙ୍କାନାଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଶନିବାର ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ପଞ୍ଚଶଖା ରାଇସ ମିଲ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟି ଉପରେ ବାଲି ବୋଝେଇ ହାଇଓ୍ବା ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଦୁର୍ଘଟଣା ପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକ । ମୃତକଙ୍କ ପରିବାରକୁ ରେଡକ୍ରସରୁ ଅର୍ଥରାଶି ଘୋଷଣା ପରେ ରାସ୍ତାରୋକ ହଟିଥିଲା ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ହେଉଛନ୍ତି ଆଲୁଅଝରଣ ଗାଁର ଶାମ୍ବ କୁମାର ସାହୁ । ଶାମ୍ବ ସ୍କୁଟି ଯୋଗେ ଘରୁ ବାହାରି ଢେଙ୍କାନାଳ ଆଡକୁ କୌଣସି କାମରେ ଯାଉଥିବା ବେଳେ ମହୁଲି ଗାଁ ନିକଟରେ ବିପରୀତ ଦିଗରୁ ଏକ ବାଲି ବୋଝେଇ ହାଇଓ୍ବା ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା । ଦୁର୍ଘଟଣା ପରେ ଟ୍ରକଟି ସ୍କୁଟିକୁ କିଛି ବାଟ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଚାଳକ ଗାଡି ଛାଡି ଚମ୍ପଟ ମାରିଥିବା ସୂଚନା ମିଳିଛି । ଏହାପରେ ଉତ୍ୟକ୍ତ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ କିଛି ସମୟ ପାଇଁ ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା l ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ସଂଖ୍ୟାରେ ଗାଡିମୋଟର ଅଟକି ରହିଥିଲା l ବେଶ କିଛି ସମୟ ଧରି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ଥାନା ପୋଲିସ, କାମାକ୍ଷାନଗର SDPO ଓ କାମାକ୍ଷାନଗର ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ l

ଏହା ମଧ୍ୟ ପଢ଼ନ୍ତୁ...କାରକୁ ଧକ୍କା ଦେଲା ଟ୍ରକ, ଆଖି ବୁଜିଲେ ଦମ୍ପତି

ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ରେଡକ୍ରସରୁ 10 ହଜାର ଟଙ୍କା ଅର୍ଥିକ ସହାୟତା ମିଳିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇଛି l ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି l ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ମର୍ମାହତ ହୋଇପଡିଛନ୍ତି l ଗ୍ରାମରେ ଶୋକାର ଛାୟା ଖେଳିଯାଇଛି l

ତେବେ ଶନିବାର ଖଡ଼ିଆଳ ଥାନା 353 ଜାତୀୟ ରାଜପଥ ଚଲାନପଡା ବଡପୋଲ ନିକଟରେ ମଧ୍ୟ ଆଉ ଏକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ କାରକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ମୃତକ ହେଲେ ସାନମହେଶ୍ବର ଗ୍ରାମପଞ୍ଚାୟତ ସ୍ଥିତ ରାଜାମୁଣ୍ଡା ଗ୍ରାମର ସେନାପତି ବାଗ ଏବଂ ତାଙ୍କ ସ୍ତ୍ରୀ ସରିତା ବାଗ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.