ETV Bharat / state

ରାଜ୍ୟରେ ପ୍ରଥମ ପାଇଁ ଆରମ୍ଭ ହେଲା ଲୋ ଭିଜନ୍‌ କ୍ଲିନିକ୍ - Low Vision Clinic

author img

By ETV Bharat Odisha Team

Published : Apr 23, 2024, 11:03 PM IST

AIIMS Low Vision Clinic: ରାଜ୍ୟରେ ପ୍ରଥମ ଥର ପାଇଁ ଏମସ ଭୁବନେଶ୍ବର ଆରମ୍ଭ କଲା ଲୋ ଭିଜନ୍‌ କ୍ଲିନିକ୍। ଏମସ ଦିଲ୍ଲୀ ଏବଂ ଜର୍ମାନୀର ସିବିଏମର ସହାୟତାରେ ଏହି ସେବା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ,

AIIMS Low Vision Clinic
AIIMS Low Vision Clinic

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଲୋ ଭିଜନ୍‌ କ୍ଲିନିକ୍ । ଯାହା ଆଜି ଏମସ ଭୁବନେଶ୍ବର ପକ୍ଷରୁ ଆରମ୍ଭ କରାଯାଇଛି । ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ନିରାଶ ହୋଇପଡ଼ିଥିବା ରୋଗୀଙ୍କ ପାଇଁ ଆଶାର କିରଣ ପାଲଟିଛି ଏମସ ଭୁବନେଶ୍ଵର। ଏମସ ଦିଲ୍ଲୀ ଏବଂ ଜର୍ମାନୀର ସିବିଏମ୍‌ ଅନୁଷ୍ଠାନ ସହଯୋଗରେ ଆରମ୍ଭ ହୋଇଛି ଏହି ସେବା । ଯାହା କ୍ଷୀଣ ଦୃଷ୍ଟିଶକ୍ତି ତଥା ଅନ୍ୟାନ ଚକ୍ଷୁ ସମସ୍ୟାଥିବା ଲୋକଙ୍କ ପାଇଁ ସହାୟକ ହୋଇପାରିବ ।

ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ଏମସ ଭୁବନେଶ୍ବର ଆଣିଦେଇଛି ଆଶାର କିରଣ । ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମସ ଭୁବନେଶ୍ବର ଚକ୍ଷୁ ବିଭାଗରେ ଉଦ୍‌ଘାଟିତ ହୋଇଛି “ଲୋ ଭିଜନ୍ କ୍ଲିନିକ୍”। ଏହି ବିଶେଷ ଭିଜନ କ୍ଲିନିକ୍ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟିଶକ୍ତି ହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଉପରୋକ୍ତ ଦୃଷ୍ଟିବାଧିତ ରୋଗୀମାନେ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସେବାରୁ କୌଣସି ଲାଭ ପାଇପାରନ୍ତି ନାହିଁ ଏବଂ ସେମାନଙ୍କର ସାମାଜିକ ଜୀବନ ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ସମାଜ ଓ ପରିବାର ଉପରେ ବୋଝ ଭାବି ନିରାଶ ହୋଇପଡ଼ିବା ସହିତ ହତାଶା ମଧ୍ୟରେ କାଳାତିପାତ କରନ୍ତି।

ଏହା ମଧ୍ୟ ପଡ଼ନ୍ତୁ... ଟିବି ଔଷଧ ଯୋଗାଣ ପାଇଁ କେନ୍ଦ୍ରକୁ ରାଜ୍ୟର ଚିଠି - TB Drugs Supply

ରାଜ୍ୟର ଯେକୌଣସି ସରକାରୀ ଅନୁଷ୍ଠାନ ମଧ୍ୟରେ ପ୍ରଥମ ଏହି ଲୋ ଭିଜନ୍‌ କ୍ଲିନିକ୍‌ ଉପରୋକ୍ତ ଦୃଷ୍ଟିଶକ୍ତିହୀନ ରୋଗୀଙ୍କ ପାଇଁ ଆଶାର ଏକ ନୂତନ ସୂର୍ଯ୍ୟୋଦୟ ଆଣିଦେବ। ଏନେଇ ଏମସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଛନ୍ତି ଯେ, ନିୟମିତ ରୋଗୀ ପରାମର୍ଶ ଉପରେ ଗୁରୁତ୍ବ ଦିଆଯିବ। ଏହା ସହିତ ଏମସ ନୂଆଦିଲ୍ଲୀକୁ "ରୋଶ୍‌ନି" ପ୍ରକଳ୍ପ ଅଧୀନରେ ସହାୟତା ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ଏମସ ତଥା ପ୍ରତିଷ୍ଠିତ ଚକ୍ଷୁ ସେବା ପ୍ରତିଷ୍ଠାନରେ ଏପରି କ୍ଲିନିକ୍‌ ସ୍ଥାପନ କରାଯାଉଛି।ଏପଟେ ଏମସ ଭୁବନେଶ୍ବର ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜା ଏହି କ୍ଲିନିକ୍‌ର କାର୍ଯ୍ୟକ୍ଷମତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଏହି କ୍ଲିନିକରେ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ରୋଗୀ ଉପକୃତ ହୋଇସାରିଲେଣି। ଆଗାମୀ ଦିନରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଫେରାଇବା ନିମନ୍ତେ ବିଭିନ୍ନ ଦୃଷ୍ଟିହୀନ ବିଦ୍ୟାଳୟ ଗୁଡ଼ିକ ସହିତ ବୁଝାମଣା କରାଯିବ। ସେହିପରି ତୃଣମୂଳସ୍ତରରେ ପ୍ରାଥମିକ ଚକ୍ଷୁ ଚିକିତ୍ସା ପ୍ରଦାନ ନିମନ୍ତେ ଆଶା କର୍ମୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ମଧ୍ୟ ଯୋଜନା ରହିଥିବା ଡ. ପରିଜା କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.