ETV Bharat / state

ଭିଜିଲାନ୍ସ ପଞ୍ଝାରେ ଡାଟା ଏଣ୍ଟ୍ରି ଅପରେଟର, ନେଉଥିଲେ ୧୨ ହଜାର ଲାଞ୍ଚ

author img

By ETV Bharat Odisha Team

Published : Feb 8, 2024, 8:59 PM IST

Odisha Vigilance
Odisha Vigilance

Data Entry Operator Gourahari Padhy: ଭିଜିଲାନ୍ସ ପଞ୍ଝାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଆର.ଟି.ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢୀ । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପଡ଼ିଲେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ରହିଥିବା ଆର.ଟି.ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢୀ । ବ୍ରହ୍ମପୁର ସହରର ଜଣେ ଅଭିଯୋଗକାରୀଙ୍କ ଦୁଇଟି ଗାଡିର ଟ୍ୟାକ୍ସ ଅପଡେଟ୍ କରିବା ପାଇଁ ସେ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ସେଠାରେ ଅପେକ୍ଷା କରି ରହିଥିଲା ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳର କୃଷ୍ଣଚନ୍ଦ୍ର ଦାଶଙ୍କ ପୁଅ ପ୍ରକାଶ ଚନ୍ଦ୍ର ଦାଶଙ୍କର ଦୁଇଟି ଗାଡିର କୋଭିଡ -୧୯ ସମୟରେ ଟ୍ୟାକ୍ସ ଅପଡେଟ୍ ( ୨୦୨୦ ମସିହାର ଅପ୍ରେଲ ପହିଲାରୁ ୨୦୨୨ ମସିହାର ମାର୍ଚ୍ଚ ଶେଷ ସୁଦ୍ଧା ରହିଥିବା ଟ୍ୟାକ୍ସ ଛାଡ ) କରିବା ପାଇଁ ଏହି ଲାଞ୍ଚ ଟଙ୍କା ଆର.ଟି.ଓ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଦାବି କରିଥିଲେ । ଏହାପରେ ଗୁରୁବାର ଅପରାହ୍ନରେ ସରକାରୀ କାର୍ଯ୍ୟାଳୟ ପରିସରରେ ଉକ୍ତ ଲାଞ୍ଚ ଅର୍ଥକୁ ଗ୍ରହଣ କରିବା ପରେ କାର୍ଯ୍ୟାଳୟ ପରିସରରେ ରହିଥିବା ଷ୍ଟିଲ ଆଲମିରର ଲକର ମଧ୍ୟରେ ତାହାକୁ ରଖିଥିଲେ ।

Odisha Vigilance
ଭିଜିଲାନ୍ସ ପଞ୍ଝାରେ ଡାଟା ଏଣ୍ଟ୍ରି ଅପରେଟର

ଏହା ବି ପଢନ୍ତୁ- ଜମି ମାପିବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

ପୂର୍ବ ଯୋଜନା ମୁତାବକ ସେଠାରେ ଛକି ବସିଥିଲା ଭିଜିଲାନ୍ସ ଟିମ । ଏହି ସମୟରେ ଭିଜିଲାନ୍ସ ଟିମ ଉକ୍ତ ଟଙ୍କାକୁ ଜବତ କରିଥିଲା । ଏହାସହ ଡାଟା ଏଣ୍ଟ୍ରି ଅପରେଟର କର୍ମଚାରୀଙ୍କ ଦୁଇ ହାତ ଏବଂ ଲାଞ୍ଚ ଟଙ୍କା ରହିଥିବା ସ୍ଥାନକୁ ଭିଜିଲାନ୍ସ ବିଭାଗର ନିୟମ ଅନୁଯାୟୀ କରାଯାଇଥିବା କେମିକାଲ ଟେଷ୍ଟ ରିପୋର୍ଟ ପଜିଟିଭ୍ ରହିଥିବା ସୂଚନା ଦିଆଯାଇଛି । ସେପଟେ ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ପରିବହନ ବିଭାଗରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ଧରାପଡିବା ପରେ ସେ କେତେ ପରିମାଣର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ପୈତୃକ ଗ୍ରାମ କୁହାଯାଉଥିବା ଗଞ୍ଜାମ ବ୍ଲକର ସାମନ୍ତରା ସାହିରେ ରହିଥିବା ବାସଭବନ ଉପରେ ଚଢାଉ କରାଯାଇ ତନାଘନା କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ମାମଲା ନଂ- ୨ /ତା- ୮.୨.୨୪ ରିଖ ଅନୁଯାୟୀ ରୁଜୁ ହୋଇଥିବା ମାମାଲାରେ U/s 7 P.C. ଆମେଣ୍ଡମେଣ୍ଟ ଆକ୍ଟ, 2018 ଅନୁଯାୟୀ ଅଧିକ ତଦନ୍ତ କରାଯାଉଥିବା ବେଳେ ତଦନ୍ତ ଶେଷ ପରେ ଅଧିକ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.