ETV Bharat / state

୨୦ ମିନିଟରେ ଆମ୍ବୁଲାନ୍ସ ପହଞ୍ଚାଇ ରେକର୍ଡ କଲା ଓଡ଼ିଶା

author img

By ETV Bharat Odisha Team

Published : Feb 19, 2024, 8:49 PM IST

ରେକର୍ଡ କଲା ରାଜ୍ୟ 108 ଆମ୍ବୁଲାନ୍ସ ସେବା, ଦେଶରେ ସର୍ବନିମ୍ନ ସମୟରେ ପହଞ୍ଚୁଛି ଆମ୍ବୁଲାନ୍ସ
ରେକର୍ଡ କଲା ରାଜ୍ୟ 108 ଆମ୍ବୁଲାନ୍ସ ସେବା, ଦେଶରେ ସର୍ବନିମ୍ନ ସମୟରେ ପହଞ୍ଚୁଛି ଆମ୍ବୁଲାନ୍ସ

Lowest Emergency Ambulance Response Time In India : ଜରୁରୀକାଳୀନ ପରିସ୍ଥିତିରେ ୨୦ ମିନିଟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚାଇ ରେକର୍ଡ କରିଛି ଓଡ଼ିଶା । ଯାହା ଜାତୀୟ ହାରଠାରୁ କମ୍ ଏବଂ ଦେଶରେ ସର୍ବନିମ୍ନ ଅଟେ । ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଅତିକ୍ରମ କରିଛି ଆଉ ଏକ ମାଇଲଖୁଣ୍ଟ । ଜରୁରୀକାଳୀନ ପରିସ୍ଥିତିରେ ୨୦ ମିନିଟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚାଇ ରେକର୍ଡ କରିଛି ଓଡ଼ିଶା । ଆଉ ଏ ସବୁ ସମ୍ଭବ ହୋଇଛି ରାଜ୍ୟ ସରକାରଙ୍କ ୫ଟି ପ୍ରୟାସ ଫଳରେ । ରୋଗୀଙ୍କ ସେବା କ୍ଷେତ୍ରରେ ୧୦୮ ଆମ୍ବୁଲାନ୍ସର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଥାଏ । ଜଣେ ରୋଗୀଙ୍କ ଚିକିତ୍ସାରେ ୪ଟି ଉପାଦାନ ଯଥା - ଔଷଧ, ପରୀକ୍ଷା, ପରିବହନ ଓ ବଡ଼ ବଡ଼ ହସ୍ପିଟାଲରେ ବିଭିନ୍ନ କ୍ଷେତ୍ରରେ ଚିକିତ୍ସା ଗୁରୁତ୍ବ ବହନ କରିଥାଏ ।

ସରକାରୀ ସ୍ତରରେ ସାଧାରଣ ଲୋକଙ୍କୁ ଔଷଧ ମାଗଣାରେ ନିରାମୟରେ ମିଳୁଥିବାବେଳେ ନିଦାନରେ ମାଗଣା ପରୀକ୍ଷା କରାଯାଉଛି । କୌଣସି ରୋଗୀ ହଇରାଣ ନ ହେବା ପାଇଁ ବିଭିନ୍ନ ଜିଲ୍ଲା ଓ ବ୍ଲକରେ ALS ଓ BLS ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ପ୍ରତି ଜିଲ୍ଲାରେ ଆଡଭାନ୍ସ ଲାଇଫ ସପୋର୍ଟ-ଏଏଲଏସ ଆମ୍ବୁଲାନ୍ସ ରହିଛି । ଏହାଦ୍ବାରା ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ସୁବିଧାରେ ମାଗଣାରେ ମିଳିପାରୁଛି । ଦ୍ଵିତୀୟରେ ଏହି ଆମ୍ବୁଲାନ୍ସଗୁଡ଼ିକୁ ମ୍ୟାପିଂ କରାଯାଇଛି ଯାହା ଫଳରେ ସଠିକ୍ ରେଫେରାଲ ହସ୍ପିଟାଲକୁ ରୋଗୀଙ୍କୁ ନିଆଯାଇ ପାରୁଛି । ନିଜସ୍ବ ପାଣ୍ଠିରୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ଆମ୍ବୁଲାନ୍ସ ଯୋଗାଇ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଆଉ ପାଦେ ଆଗେଇଲା କଳାହାଣ୍ଡିର ସ୍ବାସ୍ଥ୍ୟସେବା, ଆମ ହସ୍ପିଟାଲ ଯୋଜନାରେ ୪ ସ୍ବାସ୍ଥ୍ୟାନୁଷ୍ଠାନ ସାମିଲ

1366ଟି ଆମ୍ବୁଲାନ୍ସ ପ୍ରତି ମାସରେ ପ୍ରାୟ 1.3 ଲକ୍ଷ ରୋଗୀଙ୍କୁ ସେବା ଯୋଗାଇଛି । ଯାହାର ପ୍ରତିକ୍ରିୟା ସମୟ 20 ମିନିଟରୁ କମ ରହିଛି । ଯାହା ଜାତୀୟ ହାରଠାରୁ କମ୍ ଏବଂ ଦେଶରେ ସର୍ବନିମ୍ନ ଅଟେ । ରୋଗୀକୁ ନେବା ପାଇଁ ଆମ୍ବୁଲାନ୍ସ ଯୋଗେ ହାରାହାରି ଦୂରତା 12 କିମିକୁ ଖସି ଆସିଥିଲା ​। ସେବା ଅନୁରୋଧ ରେକର୍ଡ କରିବାର ସମୟ ହ୍ରାସ କରିବାକୁ କଲ୍ ସେଣ୍ଟର ପ୍ରକ୍ରିୟାଗୁଡ଼ିକୁ ପୁନଃବଣ୍ଟନ କରାଯାଇଥିଲା । ଏହା ହାରାହାରି କଲ୍ ହ୍ୟାଣ୍ଡଲିଂ ସମୟ (AHT)କୁ 170 ସେକେଣ୍ଡକୁ ହ୍ରାସ କରିବାକୁ ସକ୍ଷମ ହୋଇଛି । ଏହା ଦ୍ବାରା ଆମ୍ବୁଲାନ୍ସର ଶୀଘ୍ର ପଠାଇ ଦିଆଯାଉଛି । 108 ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ଓଡିଶାବାସୀଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ହୋଇଛି । ରାଜ୍ୟର 4.5 କୋଟି ଲୋକଙ୍କ ପାଇଁ ଜରୁରୀକାଳୀନ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା 2013 ରେ ଆରମ୍ଭ କରାଯାଇଥିଲା । ଆମ୍ବୁଲାନ୍ସ ରେସପନ୍ସ ସମୟ ୩୦ ମିନିଟରୁ ୨୦ ମିନିଟକୁ ହ୍ରାସ କରାଯାଇପାରିଛି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.