ETV Bharat / state

ଓଡିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ; ପୁରସ୍କାର ଗ୍ରହଣ କଲା ରାଜ୍ୟ

author img

By ETV Bharat Odisha Team

Published : Jan 30, 2024, 9:04 PM IST

Odisha Tableau
Odisha Tableau

Odisha Tableau: ଓଡିଶାର ପ୍ରଜ୍ଞାପନ ମେଢ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ହାତେଇବା ପରେ ଆଜି ଗ୍ରହଣ କରିଛି ପୁରସ୍କାର । ଅଧିକ ପଢନ୍ତୁ

ଭୁବନେଶ୍ୱର: କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଆଜି (ମଙ୍ଗଳବାର) ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟଙ୍କଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

Odisha tableau
ଓଡିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର

ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ପ୍ୟାରେଡରେ ସାମିଲ ହୋଇଥିବା ଓଡିଶାର ପ୍ରଜ୍ଞାପନ ମେଢକୁ ଦେଶର ସର୍ବଶ୍ରେଷ୍ଠ ପ୍ରଜ୍ଞାପନ ମେଢର ମାନ୍ୟତା ମିଳିଛି । ରାଷ୍ଟ୍ରୀୟ ରଙ୍ଗଶାଳାରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତୀକରଣ ଜରୁରୀ ହୋଇଥିବାରୁ ‘ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତର ଉତ୍କର୍ଷ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ପ୍ରଦର୍ଶନ କରାଯାଇଥିଲା । ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା କନ୍ଦର୍ପ ହସ୍ତୀ ମାଧ୍ୟମରେ ଦର୍ଶାଯାଇଥିଲା ।

Odisha tableau
ଓଡିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ

ଏହା ବି ପଢନ୍ତୁ- କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡିଶାର ପ୍ରଜ୍ଞାପନ ମେଢ, ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ସେହିପରି ମେଢ ଅଗ୍ରଭାଗର ଉଭୟ ପାଶ୍ୱର୍ରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ମଧ୍ୟ ପ୍ରତିପାଦିତ କରାଯାଇଥିଲା । ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍‌ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଯାହାକି, ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରିଥିଲା । ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାର ଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍‌ କାରବାର କରିବା ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି ବୋଲି ପ୍ରଜ୍ଞାପନ ମେଢ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଇବାକୁ ଯାଇ ବିରାଟକାୟ ଛତା ମେଢର ମଧ୍ୟଭାଗରେ ସ୍ଥାପନ କରାଯାଇଥିଲା ।

ଏହା ବି ପଢନ୍ତୁ- ବାଜି ମାରିଲା 'ଓଡ଼ିଶା ପ୍ରଜ୍ଞାପନ ମେଢ', ଦିଲ୍ଲୀ ପରେଡରେ ଏକ ନମ୍ବର

ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତ ରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଥିଲା । ବିକାଶପଥରେ ଓଡ଼ିଶା ଅଶ୍ୱ ବେଗରେ ଅଗ୍ରସର ହେଉଥିବାରୁ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁ ମଧ୍ୟ ସେଠାରେ ସ୍ଥାନିତ କରାଯାଇଥିଲା । ସେହିପରି, ପ୍ରଜ୍ଞାପନ ମେଢର ଉଭୟ ପାଶ୍ୱର୍ରେ ଥିବା ଓଡ଼ିଶାର ଅନନ୍ୟ ଓ ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନ୍‌, କଳା ଓ କାରିଗରୀ ଦ୍ୱାରା ରାଜ୍ୟରେ ଜୀବିକା ବିକାଶର ସଫଳ କାହାଣୀକୁ ପ୍ରଦର୍ଶିତ କରାଯାଇଥିଲା । ଏଥିସହିତ, ପ୍ରଜ୍ଞାପନ ମେଢର ଉଭୟ ପାଶ୍ୱର୍ରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ ବାଲେଶ୍ୱର ଜିଲ୍ଲା ଗୋପାଳପୁରର ଲକ୍ଷ୍ୟ କଳାବିକାଶ କେନ୍ଦ୍ରର ମହିଳା ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିବା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ।

ଏହା ବି ପଢନ୍ତୁ- ଓଡିଶାର ପ୍ରଜ୍ଞାପନ ମେଢ ଦ୍ଵିତୀୟ, ପୁରସ୍କାର ଗ୍ରହଣ କଲେ ରାଜ୍ୟସରକାର

ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ମାର୍ଗଦର୍ଶନ ଏବଂ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ନେତୃତ୍ୱରେ ଓଡ଼ିଶା ଏହି ପରେଡ଼ରେ ଅଂଶଗ୍ରହଣ କରିଥିଲା । ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଓ ସହକାରୀ ସୂଚନା ଅଧିକାରୀ ହର ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇମାଜେରୀ ସଂସ୍ଥାର କୀର୍ତ୍ତି କିଶୋର ମହାରଣା ନୂଆଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳାରେ ୩୦ରୁ ଉର୍ଦ୍ଧ୍ବ ଶିଳ୍ପୀ ଓ କାରିଗରଙ୍କୁ ନେଇ ମାତ୍ର ୧୫ ଦିନ ସମୟ ସୀମା ମଧ୍ୟରେ ଓଡିଶାର ପ୍ରଜ୍ଞାପନ ମେଢ ଅତି ନିଖୁଣ ଭାବରେ ନିର୍ମାଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.