ETV Bharat / state

ଏକାଦିନେ ଜଗତସିଂହପୁରର ୩ ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି

author img

By ETV Bharat Odisha Team

Published : Feb 29, 2024, 6:59 AM IST

ଜଗତସିଂହପୁରର ୩ ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି
ଜଗତସିଂହପୁରର ୩ ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି

Jagatsinghpur Additional Collectors Transfer: ଜଗତସିଂହପୁରର ୩ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକାଦିନେ ବଦଳି କରାଯାଇଛି । କୋରାପୁଟକୁ ବଦଳି ହେଲେ ୩ ମାସ ତଳେ କାର୍ଯ୍ୟଭାର ଗ୍ରହଣ କରିଥିବା ଲଗ୍ନଜିତ ରାଉତ । ଅଧିକ ପଢନ୍ତୁ

ଜଗତସିଂହପୁର: ଏକାଦିନେ ବଦଳିଲେ ଜଗତସିଂହପୁରର ୩ ଅତିରିକ୍ତ ଜିଲ୍ଲାପାଳ । ସାଧାରଣ ନିର୍ବାଚନ ପୂର୍ବରୁ ଜଗତସିଂହପୁର ଜିଲ୍ଲାର ୩ ଜଣ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଥିବା ଖବର ମିଳିଛି । ଏହି ବଡ଼ ଧରଣର ଅଦଳବଦଳ ନେଇ ଅନ୍ୟ ଅଫିସରମାନଙ୍କ ମଧ୍ୟରେ ଛନକା ପଶିଛି । କିଛି ଦିନ ହେଲା କାର୍ଯ୍ୟଭାର ଗ୍ରହଣ କରିଥିବା ଏହି ଅଧିକାରୀମାନେ ଗୁରୁବାର ଭିତରେ ରିଲିଭି ହେବାର ସମ୍ଭାବନା ରହିଛି । ୩ ମାସ ତଳେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଭାବରେ ଲଗ୍ନଜିତ ରାଉତ ଦାୟିତ୍ବ ନେଇଥିଲେ । ହେଲେ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ତାଙ୍କ ଘର ରହିଥିବାରୁ ତାଙ୍କୁ କୋରାପୁଟ ବଦଳି କରି ଦିଆଯାଇଛି ।

ସେହିପରି ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ନିରଞ୍ଜନ ବେହେରା ବାଲେଶ୍ଵର ବଦଳି ହୋଇଛନ୍ତି । ତାଙ୍କ ସ୍ଥାନରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଲଳିତ ମୋହନ ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଜଗତସିଂହପୁର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଅଭିମନ୍ୟୁ ବେହେରାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମାତ୍ର ୧୫ ଦିନ ହେବ ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଅନିତା ପାତ୍ରଙ୍କୁ ଢେଙ୍କାନାଳ ବଦଳି କରାଯାଇ ତାଙ୍କ ସ୍ଥାନରେ ସମ୍ବିତ କୁମାର ରାଉତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବଦଳିଲେ ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳ; ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପୁରୀର ନୂଆ ଜିଲ୍ଲାପାଳ

ନୂତନ ଭାବେ ଯୋଗ ଦେଇଥିବା ଏହି ଅଧିକାରୀମାନେ ସଂସଦୀୟ କ୍ଷେତ୍ରର ବାସିନ୍ଦା ହୋଇଥିବାରୁ ଏମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା କାର୍ଯ୍ୟାଳୟ ସୂତ୍ରରୁ ଖବର ମିଳିଛି । ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ନିଜ ଜିଲ୍ଲାରେ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ସେମାନଙ୍କ ବଦଳି କରାଯାଉନାହିଁ । ଏହି ଅଦଳବଦଳ ଏହି ପରେ ସେମାନଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । ତେବେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳମାନେ ନୂଆ ହୋଇଥିବାରୁ ଆସନ୍ତା ସାଧାରଣ ନିର୍ବାଚନକୁ କିପରି ଭାବେ ପରିଚାଳନା କରିବେ ଏହା ତାଙ୍କ ପାଇଁ ଆହ୍ୱାନ ପାଲଟିପାରେ ବୋଲି ଆଲୋଚନା ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଆଇଏଏସ ସ୍ତରରେ ଛୋଟ ଧରଣର ଅବଳବଦଳ ହୋଇଥିଲା । ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲ । ଆଶିଷ ଠାକରେ ବାଲେଶ୍ବର ଜିଲ୍ଲାପାଳ ହୋଇଥିବାବେଳେ ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ ସିଏମସି କମିଶନର ଓ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.