ETV Bharat / state

ବଦଳିଲେ ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳ; ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପୁରୀର ନୂଆ ଜିଲ୍ଲାପାଳ

author img

By ETV Bharat Odisha Team

Published : Feb 28, 2024, 4:24 PM IST

Minor IAS Reshuffle: ଆଜି ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ବଦଳିଛନ୍ତି ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ । ଅଧିକ ପଢନ୍ତୁ

ଆଇଏଏସ ସ୍ତରରେ ଛୋଟ ଅଦଳବଦଳ; ବଦଳିଲେ ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳ
ଆଇଏଏସ ସ୍ତରରେ ଛୋଟ ଅଦଳବଦଳ; ବଦଳିଲେ ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳ

ଭୁବନେଶ୍ବର: ଆଜି ରାଜ୍ୟରେ ହୋଇଛି ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ । ବଦଳିଛନ୍ତି ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ଵରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ଆଶିଷ ଠାକରେ । ୨୦୧୧ ବ୍ୟାଚର ଏହି ଅଫିସର ନିକଟରେ ମୟୁରଭଞ୍ଜ ଜିଲ୍ଲାପାଳ ଭାବରେ ବଦଳି ହୋଇଥିଲେ । ତାହା ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାପାଳ ଭାବେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିଲେ । ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମ ବା ସିଏମସି କମିଶନର ଭାବେ ବଦଳି କରାଯାଇଛି । ଏହା ସହିତ ସେ କଟକ ଉନ୍ନୟନ ପରିଷଦ ବା ସିଡିଏର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ । ପୁରୀ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ପାଇଛନ୍ତି ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ୨୦୧୪ ବ୍ୟାଚର ଏହି ଅଫିସର କଟକ ମହାନଗର ନିଗମ ବା ସିଏମସି କମିଶନର ଥିବା କାର୍ଯ୍ୟ କରୁଥିଲେ ।

ସେହିଭଳି ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ପାଇଛନ୍ତି ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ୨୦୧୬ ବ୍ୟାଚର ଏହି ଅଫିସର ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାର ଛୋଟ ଅଦଳବଦଳ କରିଛନ୍ତି ସତ କିନ୍ତୁ ଏଥିରେ ପ୍ରଶାସନିକ ଓ ରାଜନୈତିକ ବାର୍ତ୍ତା ମଧ୍ୟ ରହିଛି । ନିକଟରେ ସରକାରୀ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଆସମ୍ମାନ ଅଭିଯୋଗରେ ବିବାଦୀୟ ହୋଇଥିଲେ ବାଲେଶ୍ବର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । କେଉଁ ପରିସ୍ଥିତିରେ କିଏ ଅପମାନିତ କରିଛନ୍ତି, ଆଗାମୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରତାପ ଅବଗତ କରିଥିଲେ । ବିଜେଡି ଶାସନରେ ବାରମ୍ବାର ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରାଘାତ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଏ ବାବଦରେ ସାଂସଦ କେନ୍ଦ୍ର ନିକଟରେ ଅଭିଯୋଗ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ... ସାଂସଦଙ୍କ ଅପମାନ ନେଇ ଜିଲ୍ଲାପାଳ ଅଫିସ ଘେରାଉ, ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି

ସେହିପରି ଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ୭ ଦିନ ମଧ୍ୟରେ ଭୁଲ ମାଗିବାକୁ ଚେତାବନୀ ଦେଇଥିଲେ । ନହେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୁହାଯାଇଥିଲା । କୌଣସି ପ୍ରକାର ଅଘଟଣକୁ ଏଡାଇବାକୁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ।ସେହିପରି ଦେଶର ଏକ ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ହେଉଛି ପୁରୀ । ପୁରୀକୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ଅନେକ ବ୍ୟକ୍ତି ବିଶେଷ ଗସ୍ତ କରନ୍ତି । ସମନ୍ବୟ ପାଇଁ ଜଣେ ଆଇଏଏସ ଅଫିସରଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ତେଣୁ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର । ସେହିଭଳି କଟକ ମହାନଗର ନିଗମ ଅଞ୍ଚଳରେ ଯାଉଛି କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ । ଏହାର ବିଧାୟକ ଅଛନ୍ତି କଂଗ୍ରେସର ମହମ୍ମଦ ମୋକିମ । ସିଏମସିର କାର୍ଯ୍ୟକୁ ନେଇ ବାରମ୍ବାର ମୁଖର ହେଉଛନ୍ତି ମୋକିମ । ତେଣୁ ସେଠାରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ସମନ୍ବୟ ଓ ବିକାଶ କାର୍ଯ୍ୟ ଆଗେଇ ନେବାକୁ ଚାହୁଁଛନ୍ତି ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.