ETV Bharat / state

୧୫ ଜିଲ୍ଲାରେ ୭୩ ଆମ ହସ୍ପିଟାଲ, ୫ ଉପଖଣ୍ଡ ଡାଏଲେସିସ ସେଣ୍ଟର ଉଦଘାଟିତ

author img

By ETV Bharat Odisha Team

Published : Feb 17, 2024, 9:14 PM IST

Ama Hospital Scheme: ରାଜ୍ୟର ୧୫ ଜିଲ୍ଲାରେ ୭୩ ଆମ ହସ୍ପିଟାଲ, ୫ ଉପଖଣ୍ଡ ଡାଏଲେସିସ ସେଣ୍ଟର ଉଦଘାଟିତ । ଭିସି ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Ama Hospital Scheme
Ama Hospital Scheme

ଭୁବନେଶ୍ବର: ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ ସେଣ୍ଟର ଲୋକାର୍ପଣ । ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ IVRS ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀଙ୍କ ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଭିସି ଜରିଆରେ ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।

ବରଗଡ ଜିଲ୍ଲାରେ ୫, ସୁନ୍ଦରଗଡରେ ୭, ସମ୍ବଲପୁରରେ ୪, ଢେଙ୍କାନାଳରେ ୪, କେନ୍ଦୁଝରରେ ୬, ଝାରସୁଗୁଡାରେ ୨, ଜଗତସିଂହପୁରରେ ୪, କେନ୍ଦ୍ରାପଡାରେ ୫, ମୟୂରଭଞ୍ଜରେ ୯, ଗଞ୍ଜାମରେ ୧୩, କଳାହାଣ୍ଡିରେ ୪, ରାୟଗଡାରେ ୪, ନୂଆପଡାରେ ୨, ମାଲକାନଗିରିରେ ୨ ଓ କନ୍ଧମାଳରେ ୩ ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି । ଏହି ପରି ସମୁଦାୟ ୭୩ ରୂପାନ୍ତରିତ ‘ଆମ ହସ୍ପିଟାଲ’ ଆଜି ଲୋକାର୍ପିତ ହୋଇଛି । ସେହିପରି ମୟୂରଭଞ୍ଜର କରଞ୍ଜିଆ, ସମ୍ବଲପୁରର କୁଚିଣ୍ଡା, ଗଂଜାମର ହିଞ୍ଜିଳିକାଟୁ, ନୂଆପଡାର ଖରିଆର ଓ ବରଗଡର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ୫ଟି ନୂତନ ଉପଖଣ୍ଡସ୍ତରୀୟ ଡାଏଲେସିସ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଛି ।

ଏହା ବି ପଢନ୍ତୁ- ଆମ ହସ୍ପିଟାଲ ଯୋଜନା ଏକ ନିର୍ବାଚନୀ ଧୂଆଁ ବାଣ: କଂଗ୍ରେସ

ଭିସି ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମ ହସ୍ପିଟାଲରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି । ରୋଗୀଙ୍କୁ ସୁବିଧାରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମ ହସ୍ପିଟାଲଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବେ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ରୂପାନ୍ତରର ଚିତ୍ରକୁ ଆମ ହସ୍ପିଟାଲ ଆହୁରି ଉଜ୍ଜ୍ବଳ କରିବ । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି । ଏହା ସରକାରୀ ସ୍ତରରେ ଆମର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ।"

5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି । ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪୦୦୦ ଡାକ୍ତର ଓ ୩୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି । ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି ।

ଏହା ବି ପଢନ୍ତୁ- Odisha Budget 2023: ସ୍ବାସ୍ଥ୍ୟ ପାଇଁ ୧୬ହଜାର ୪୮କୋଟି ଟଙ୍କା ବ୍ୟୟ ବରାଦ, କମିବ ଆମ୍ବୁଲାନ୍ସ ପହଞ୍ଚିବା ସମୟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି । ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି । ମୋ ପାଇଁ ସବୁ ଜୀବନ ମୂଲ୍ୟବାନ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ବପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଆଜି ଆମ ସରକାରୀ ଡାକ୍ତରଖାନାକୁ ପ୍ରାଇଭେଟ ଡାକ୍ତରଖାନା ସହିତ ସମତୁଲ କରିବା ପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୃଷ୍ଟିରେ ଗୋଟିଏ ଧନୀ ଲୋକର ଜୀବନ ଯେପରି ଗୁରୁତ୍ବପୂର୍ଣ୍ଣ, ସେପରି ଗରୀବ ଲୋକର ଜୀବନ ମଧ୍ୟ ମୂଲ୍ୟବାନ ।"

କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ବାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପଦ୍ମପୁରରେ ବିଧାୟିକା ବର୍ଷା ସିଂହ ବରିହା, କୁଚିଣ୍ଡାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗୋ, ପରଜଙ୍ଗରେ ବିଧାୟକ ଡ. ନୃସିଂହ ଚରଣ ସାହୁ, କଳାହାଣ୍ଡିରେ ସାଂସଦ ସୁଜିତ କୁମାର, ଜଗତସିଂହପୁରରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଖରିଆରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବଡଗାଁରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜର ଶୀର୍ଷାରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ । ଆମର ମେଡିକାଲମାନଙ୍କରେ ବହୁ ଉନ୍ନତମାନର ସେବା ମିଳୁଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ରୂପାନ୍ତର ଘଟିଛି ବୋଲି ସେମାନେ ମତ ଦେଇଛନ୍ତି ।

କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସଂଯୋଜନା କରି ସେ କହିଛନ୍ତି, "ଗତ ଜୁନ ୩୦ ତାରିଖରେ ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ଡାକ୍ତରଖାନା ଜମି ସମସ୍ୟା ବିଷୟରେ ଲୋକେ ଜଣାଇଥିଲେ । ସରକାର ଅଭିଯୋଗକୁ ଗ୍ରହଣ କରିଛନ୍ତି । ୫ ଏକର ୮୦ ଡିସମିଲ ଜମି ହସ୍ପିଟାଲକୁ ପ୍ରଦାନ କରାଯିବ। ହିଞ୍ଜିଳିରୁ ଏହି ଯୋଜନା ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ଆମେ ସଫଳତାର ସହ ରାଜ୍ୟରେ ଆମ ହସ୍ପିଟାଲ ଯୋଜନା କାର୍ଯ୍ୟକାରୀ କରିଛୁ । ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.