ETV Bharat / state

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ, ବ୍ୟକ୍ତିଗତ ଆକ୍ଷେପ ନକରିବାକୁ ପରାମର୍ଶ - All Party Meeting

author img

By ETV Bharat Odisha Team

Published : Apr 18, 2024, 9:15 PM IST

All Party Meeting
All Party Meeting

All Party Meeting: ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

All Party Meeting

ଭୁବନେଶ୍ବର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ସେ ଦଳର ସହଯୋଗ କାମନା କରିଛନ୍ତି । ଏହାସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ପ୍ରଚାର ବେଳେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ସିଇଓ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ସର୍ବ ଦଳୀୟ ବୈଠକ । ଏହି ଅବସରରେ ସେ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକ୍ରିୟା, ନିର୍ବାଚନ ଓ ନିର୍ବାଚନ ଫଳ ପ୍ରକାଶ ପାଇବାର ତାରିଖ ଓ ପ୍ରକ୍ରିୟା ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଛି । କେତେକ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ସମୟକୁ ଅପରାହ୍ନ ୪ଟା ଓ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇଛି । ଅନ୍ୟ ସମସ୍ତ ଅଞ୍ଚଳରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଦେଶରେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନ ଅନ୍ତର୍ଗତ ଓଡ଼ିଶାର ୪ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫ ଏପ୍ରିଲକୁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ସ୍ଥିର କରାଯାଇଛି । ୨୬ ଏପ୍ରିଲ ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୯ ଏପ୍ରିଲ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମେ ୧୩ ତାରିଖରେ ମତଦାନ ହେବ । ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟା ୬ ଜୁନ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।



ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ନିର୍ବାଚନ ପରିଚାଳନାର ଆହ୍ୱାନ । ଏ ବିଷୟରେ ଅବଗତ କରିବା ସହ ଖରାରେ ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନେଇ ରାଲି ଓ ରୋଡ଼ ଶୋ' ନକରିବା ପାଇଁ ଆଲୋଚନା ହୋଇଛି । ରାଲି ବେଳେ ଓଆରଏସ, ଅଂଶୁଘାତରୁ ରକ୍ଷା ପାଇଁ ଔଷଧପତ୍ର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନିୟମ ଓ ଜନପ୍ରତିନିଧିତ୍ୱ ଅଧିନିୟମ - ୧୯୫୧ର ବ୍ୟବସ୍ଥାକୁ ମାନି ପ୍ରଚାର ହେବ । ଏକ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦଳମାନେ ପ୍ରଚାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏକ ସୁସ୍ଥ ଓ ମହାନ ଗଣତାନ୍ତ୍ରିକ ପଦ୍ଧତିର ଉଦାହରଣ ପ୍ରସ୍ତୁତ କରିବା ସହ ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବାକୁ ସେ ସଭିଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ...ଆପଣଙ୍କ ନିକଟରେ ନାହିଁ କି ଭୋଟ ପରିଚୟ ପତ୍ର ? ଏହି ଡକ୍ୟୁମେଣ୍ଟ ସହ ଦେଇପାରିବେ ଭୋଟ୍‌ - VOTING WITHOUT VOTER ID CARD

ଇଭିଏମ ଓ ଭିଭିପାଟର ସୁରକ୍ଷା, ରାଣ୍ଡମାଇଜେସନ ଓ କମିସନିଂ ବିଷୟରେ ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜନୈତିକ ଦଳମାନେ 'ସୁବିଧା ଆପ'ରେ ଅନଲାଇନରେ ସବୁ ଅନୁମତି ପାଇଁ ଆବେଦନ କରିବାକୁ ସେ ଅନୁରୋଧ କରିଛନ୍ତି । ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାପରେ ରାଜନୈତିକ ଦଳର ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ପ୍ରସଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଛନ୍ତି । ଯାହା ଉପରେ ସକରାତ୍ମକ ଆଲୋଚନା ହୋଇଛି । ଏହି ଆଲୋଚନାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ସବ୍ୟସାଚୀ ହୋତା ଅଂଶଗ୍ରହଣ କରିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.