ETV Bharat / state

ବୌଦ୍ଧରେ କିପରି ରହିଛି ରାଜନୀତି ପାଣିପାଗ, ଇଟିଭି ଭାରତ ପରଖିଲା ଭୋଟରଙ୍କ ମୁଡ୍‌ - Odisha Election 2024

author img

By ETV Bharat Odisha Team

Published : Apr 26, 2024, 3:43 PM IST

ଓଡ଼ିଶା ୨୦୨୪ ନିର୍ବାଚନ; ବିକାଶ ଓ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ମତସାବ୍ୟସ୍ତ କରିବେ ଭୋଟର
ଓଡ଼ିଶା ୨୦୨୪ ନିର୍ବାଚନ; ବିକାଶ ଓ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ମତସାବ୍ୟସ୍ତ କରିବେ ଭୋଟର

Boudh Assembly Constituency: ୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ଜମୁଛି ରାଜନୈତିକ ମାହୋଲ । ୩ ପ୍ରମୁଖ ଦଳର ପ୍ରଚାରରେ କମ୍ପୁଛି ନିର୍ବାଚନୀ ମୈଦାନ । ତେବେ ବର୍ତ୍ତମାନ ବୌଦ୍ଧ ରାଜନୀତି ସରଗରମ ହୋଇଥିବାବେଳେ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ଭୋଟର ।

ଓଡ଼ିଶା ୨୦୨୪ ନିର୍ବାଚନ; ବିକାଶ ଓ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ମତସାବ୍ୟସ୍ତ କରିବେ ଭୋଟର

ବୌଦ୍ଧ: ୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ୩ ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଏବଂ ବିଜେପି ପ୍ରାର୍ଥୀ ଜୋରସୋରରେ ଲାଗିପଡିଛନ୍ତି । ଯାହାକୁ ନେଇ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ପ୍ରଚାର ଅଭିଯାନ । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ବେଳେ ଡୋର ଟୁ ଡୋର କ୍ୟାମ୍ପେନ ସହ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ଏହାରି ମଧ୍ୟରେ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ତଥା ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ଜନମତ ରହିବ ବୋଲି କହିଛନ୍ତି ମତଦାତା ।

ଗାଁ ଠାରୁ ସହର ସବୁଆଡେ ବର୍ତ୍ତମାନ ନିର୍ବାଚନର ମାହୋଲ । ବୌଦ୍ଧରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଶାସକ ବିଜେଡ଼ି ଦଳର ହେଭିୱେଟ ନେତା ପ୍ରଦୀପ କୁମାର ଅମାତ ବିଭିନ୍ନ ସ୍ଥାନରେ ପହଞ୍ଚି ଦଳୀୟ କର୍ମୀମାନଙ୍କ ସହ ଭୋଟର ମାନଙ୍କ ନିକଟରେ ପହଞ୍ଚି ସହଯୋଗ ପାଇଁ ନିବେଦନ କରୁଛନ୍ତି । ସେହିପରି ବିଜେପି ଦଳର ଯୁବ ନେତା ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି । ତେବେ ଏଭଳି ସମୟରେ ଭୋଟର କିନ୍ତୁ ନିରବ ରହିଛନ୍ତି ।

ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିକାଶ, ଲୋକଙ୍କ ସମସ୍ୟାର ସମାଧାନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ ପ୍ରସଙ୍ଗକୁ ସାଧାରଣ ଭୋଟର ତର୍ଜମା କରି ଉପଯୁକ୍ତ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବେ ବୋଲି ମତଦାତା କହିଛନ୍ତି । ତେବେ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଯୁବ ବର୍ଗ ଭୋଟରଙ୍କ ଉପରେ ଫୋକସ ରଖିଥିବା ବେଳେ ଯୁବ ବର୍ଗର ଭୋଟର ମାନେ ମଧ୍ୟ ଏନେଇ ବେଶ ସଚେତନ ରହିଥିବା ସୂଚନା ମିଳିଛି । ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ସଚେତନ ଭୋଟର ବିକାଶ ଓ ଉପଯୁକ୍ତ ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଭଳି ମନେହେଉଛି ।

ଏହା ମଧ୍ୟ ପଢନ୍ତୁ: ଶୁଣିଲେନି ସରକାର ! 'ମୌଳିକ ସୁବିଧା ନାହିଁ ତ ଏଥର ଭୋଟ ନାହିଁ'

ସୂଚନା ଥାଉ କି, 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଶେଷ 4ଟି (4ର୍ଥ, 5ମ, 6ଷ୍ଠ ଓ 7ମ) ପର୍ଯ୍ୟାୟରେ ଓଡ଼ିଶାରେ ବିଧାନସଭା ସମେତ ଲୋକସଭା ପାଇଁ ହେବ ଭୋଟ ଗ୍ରହଣ । ଜୁନ 4ରେ ଏକା ସାଙ୍ଗରେ ଆସିବ ଫଳାଫଳ । ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ତେବେ ବୌଦ୍ଧରେ ମେ ୨୦ରେ ମତଦାନ ହେବ ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.