ETV Bharat / state

ଶୁଣିଲେନି ସରକାର ! 'ମୌଳିକ ସୁବିଧା ନାହିଁ ତ ଏଥର ଭୋଟ ନାହିଁ' - Malkangiri Vote boycott

author img

By ETV Bharat Odisha Team

Published : Apr 21, 2024, 10:18 PM IST

Malkangiri Vote boycott
Malkangiri Vote boycott

Malkangiri Vote boycott: ମୌଳିକ ସୁବିଧାରୁ ବଞ୍ଚିତ ଡଡିଗୁଡା ବାସିନ୍ଦା । ପାନୀୟ, ରାସ୍ତା ସମସ୍ୟା ମଧ୍ୟରେ ଯୁଝି ହେଉଥିବା ମାଲକାନଗିରିର ଡଡିଗୁଡା ଗ୍ରାମବାସୀ ଏବେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

Malkangiri Vote boycott

ମାଲକାନଗିରି: ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ । ଦୀର୍ଘ ବର୍ଷ ଧରି ରାସ୍ତା, ପାନୀୟ ସମସ୍ୟା ଭଳି ଗୁରୁତର ସମସ୍ୟା ମଧ୍ୟରେ ଯୁଝି ହେଉଛନ୍ତି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚାଲାନଗୁଡା ପଞ୍ଚାୟତର ଡଡିଗୁଡା ଗ୍ରାମବାସୀ । ବାରମ୍ବାର ଦାବି ସତ୍ତ୍ୱେ ସେମାନଙ୍କ ସମସ୍ୟା ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗରେ ଚରମ ପଦକ୍ଷେପ ନେଇଛନ୍ତି ଗ୍ରାମବାସୀ । ଏଥର ସୁବିଧା ନାହିଁ ତ ନିର୍ବାଚନରେ ଭୋଟ ନାହିଁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ମାଲକାନଗିରି ଜିଲ୍ଲା ସଦର ବ୍ଲକ ଚାଲାନଗୁଡା ପଞ୍ଚାୟତର ଡଡିଗୁଡା ଗାଁ । ଏହି ଗାଁରେ ବସବାସ କରୁଛନ୍ତି ପାଖାପାଖି ୧୦୦ ପରିବାର ଓ ତିନିଶହରୁ ଊର୍ଦ୍ଧ୍ୱ ମତଦାତା । ହେଲେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇ ଗ୍ରାମବାସୀ । ସେମାନଙ୍କ ଅଭିଯୋଗ ହେଲା ଦୀର୍ଘ ଦିନ ଧରି ନେତାଙ୍କୁ ଭୋଟ ଦେଲେ ମଧ୍ୟ ସରକାରଙ୍କ ମୌଳିକ ସୁବିଧା ବର୍ତ୍ତମାନ ସୁବିଧା ଗାଁରେ ପହଞ୍ଚିପାରୁନି । ଗାଁ ମୁଖିଆଙ୍କ କହିବା କଥା, ଗାଁକୁ ଭଲ ରାସ୍ତାଟିଏ ନାହିଁ । ସେହିଭଳି ଗାଁରେ ନଳକୂପରୁ କେତେବେଳେ ଗୋଳିଆ ପାଣି ତ କେତେବେଳେ ବିଲକୁଲ ପାଣି ବାହାରୁନାହିଁ । ଯେଉଁଥିପାଇଁ ଗ୍ରାମର ଗାଁର କିଛି ଦୂରତାରେ ଥିବା ଏକ ପୋଖରୀ ନିକଟରେ ଚୁଆ ଖୋଳି ସେହି ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମଲୋକେ ।

ଏହାମଧ୍ୟ ପଢନ୍ତୁ.. ସରକାର ଶୁଣିଲେଣି ବିସ୍ଥାପିତଙ୍କ ଦୁଃଖ, 14 ଗାଁର ସାମୂହିକ ଭୋଟ ବର୍ଜନ ନିଷ୍ପତ୍ତି - ODISHA ASSEMBLY ELECTION 2024

ଏହି ଗାଁକୁ ମେଗା ୱାଟର୍ ସପ୍ଲାଇ ଯୋଜନାରେ ଅନ୍ତର୍ଭୁକ୍ତ କରି ପିଇବା ପାଣି ଯୋଗାଇ ଦିଆଯିବା କହି ଆଜିକୁ ପାଞ୍ଚ ବର୍ଷ ହେବ ପ୍ରଶାସନ ଓ ନେତାମାନେ ପ୍ରତିଶ୍ରୁତି ଦେଇ ଠକି ଆସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଉ ମଧ୍ୟ ଏହି ଅଞ୍ଚଳରେ କୌଣସି ରୋଜଗାରର ପନ୍ଥା ନଥିବାରୁ ଗ୍ରାମର ଅଧିକାଶଂ ଯୁବକ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି । ଗ୍ରାମରେ ଗୋଟିଏ ମାତ୍ର ବିଦ୍ୟାଳୟ ରହିଛି କିନ୍ତୁ ବିଦ୍ୟାଳୟର ପାଚେରି ନଥିବାରୁ ପିଲାମାନେ ଅନେକ ସମୟରେ ରାସ୍ତାକୁ ଚାଲି ଆସୁଛନ୍ତି । ଏହି ବିଦ୍ୟାଳୟରେ ପାଚେରୀ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ତେଣୁ ବ୍ୟାପକ ସମସ୍ୟା ଘେରରେ ଥିବା ଗ୍ରାମବାସୀ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଅନ୍ୟପଟେ ବିଜେଡି ବିଧାୟକ ପ୍ରାର୍ଥୀ ମାନସ ମାଡକାମି କହିଛନ୍ତି, 'ଡଡିଗୁଡା ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଖୁବଶୀଘ୍ର ଏହି ରାସ୍ତାକାମ କରାଯିବ ।' ଏହା ସହ ପିଇବା ପାଣିର ସମସ୍ୟା ନେଇ ସେ କହିଛନ୍ତି ଯେ, ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ଶୁଷ୍କ ଅଞ୍ଚଳ ହୋଇଥିବାରୁ ମାଟିତଳେ ପାଣିର ସ୍ତର ପ୍ରାୟତଃ ନାହିଁ । ବୋରୱେଲ୍ ଖୋଳିଲେ ବାଲି ଧସି ବୋରୱେଲ୍ ପୋତି ହେଉଛି । ମାଲକାନଗିରି ବ୍ଲକର ୧୯ଟି ପଞ୍ଚାୟତକୁ ମେଗାୱାଟ ସପ୍ଲାଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏହି ଗ୍ରାମ ମଧ୍ୟ ରହିଛି । ଗ୍ରାମବାସୀ ଖୁବଶୀଘ୍ର ପାଣି ପାଇବେ କହିଛନ୍ତି ମାନସ ମାଡକାମୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.