ETV Bharat / state

ଘରେ ପଶି ହାଣି ପକାଇଲେ ଦୁର୍ବୃତ୍ତ; ମାଆ ମୃତ, ପୁଅ-ବୋହୂ ଗୁରୁତର

author img

By ETV Bharat Odisha Team

Published : Feb 21, 2024, 10:16 AM IST

ଘରେ ପଶି ପରିବାରକୁ ଆକ୍ରମଣ
ଘରେ ପଶି ପରିବାରକୁ ଆକ୍ରମଣ

Miscreants Attack in Jagatsinghpur: ଘରେ ପଶି ପରିବାରକୁ ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଆକ୍ରମଣରେ ପ୍ରାଣ ହରାଇଲେ ମାଆ । ପୁଅ ଏବଂ ବୋହୂ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଘରେ ପଶି ପରିବାରକୁ ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଆକ୍ରମଣରେ ପ୍ରାଣ ହରାଇଲେ ମାଆ । ପୁଅ ଓ ବୋହୂ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁର ଗ୍ରାମରେ । ସୋମବାର ବିଳମ୍ବିତ ରାତ୍ରରେ କିଛି ଅଜଣା ଲୋକ ମୁହଁରେ କଳାମୁଖା ପିନ୍ଧି ମାନିଆ ବିଶ୍ୱାଳଙ୍କ ଘରେ ପଶି ଆକ୍ରମଣ କରିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଆକ୍ରମଣର କାରଣ ଜଣା ପଡ଼ିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଗ୍ରାମବାସୀ ଓ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତ୍ରିରେ ବାଲିକୁଦା ଥାନା ଓଗରପୁର ଗାଁର ମାନିଆ ବିଶ୍ୱାଳଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା । ରାତି ପ୍ରାୟ 2ଟା ସମୟରେ କେହି ଜଣେ ତାଙ୍କ କବାଟ ବାଡେଇ ଡାକିଥିଲା । କିଏ ଡାକୁଛି କହି ବୃଦ୍ଧ ମାନିଆ କବାଟ ଖୋଲିବା ପରେ ମୁଖାପିନ୍ଧି ଆସିଥିବା କିଛି ଅଜଣା ଲୋକ ହଠାତ୍ ଭୁଜାଲି ବାହାର କରି ବୃଦ୍ଧାଙ୍କୁ ହାଣି ପକାଇଥିଲେ । ସେ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରିବାରୁ ତାଙ୍କର ପୁଅ ରାକେଶ ବିଶ୍ୱାଳ ଓ ବୋହୁ ସୁଭଦ୍ରା ବିଶ୍ୱାଳ ଦୌଡ ଆସିଥିଲେ । ପୁଅ ବୋହୂକୁ ଦେଖି ଅଜଣା ଦୁର୍ବୃତ୍ତ ସେମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀ ଗାଁ ଭିତରକୁ ଦୌଡ଼ି ଯାଇ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗ୍ରାମବାସୀମାନେ ଧାଇଁ ଆସିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡି ପଳାଇ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କାଳ ହେଲା ଅସଦାଚରଣ, ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆକ୍ରମଣରେ ଘଟଣାସ୍ଥଳରେ ମାନିଆଙ୍କର ମୃତ୍ୟୁ ହୋଇଥିଲା । ରାକେଶ ଓ ତାଙ୍କ ସ୍ତ୍ରୀ ସୁଭଦ୍ରାଙ୍କୁ ଗ୍ରାମବାସୀମାନେ ପ୍ରଥମେ ବାଲିକୁଦା ମେଡ଼ିକାଲକୁ ନେଇଥିଲେ । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜଗତସିଂହପୁର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l

ସୂଚନା ମୁତାବକ, ଗତ କିଛି ମାସ ତଳେ ରାକେଶ ସୁଭଦ୍ରାଙ୍କୁ ନିଜ ଘରକୁ ନେଇ ଆସି ପ୍ରେମ ବିବାହ କରିଥିଲେ । ଝିଅ ଘର ପରିବାର ଏହାକୁ ବିରୋଧ କରୁଥିଲେ । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ସୁଭଦ୍ରାଙ୍କ ପରିବାର ଲୋକଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାରେ ବାଲିକୁଦା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ଗ୍ରାମବାସୀମାନେ ମଧ୍ୟ କ୍ୟାମେରା ସାମ୍ନାରେ ମୁଁହ ଖୋଲୁ ନାହାଁନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.