ETV Bharat / state

ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି, ସନ୍ଧ୍ୟା 6ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ - BANAKALAGI NITI

author img

By ETV Bharat Odisha Team

Published : Mar 27, 2024, 10:29 AM IST

Banakalagi ritual
Banakalagi ritual

Banakalagi Ritual: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥି ପାଇଁ ସନ୍ଧ୍ୟା 6ଟାରୁ ରାତି 10 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ

ପୁରୀ: ଆଜି ଶ୍ରୀଜିଉଙ୍କ ଶ୍ରୀମୁଖର ହେବ ଶୃଙ୍ଗାର । ଚୈତ୍ର ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା 6ଟା ରୁ ରାତ୍ର 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପରମ୍ପରା ଅନୁଯାୟୀ ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ବନକଲାଗି ଅନୁଷ୍ଠିତ ହୋଇଥାଏ ।

ଆଜି ଚୈତ୍ର ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ସନ୍ଧ୍ୟା ସମୟରୁ ରାତ୍ର ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା 6ଟାରୁ ରାତ୍ର 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଭକ୍ତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେନାହିଁ ।

ଏହାମଧ୍ୟ ପଢନ୍ତୁ.. ଶ୍ରୀକ୍ଷେତ୍ରରେ ଦୋଳ ଉତ୍ସବ ଅନୁଷ୍ଠିତ, ବଡଦାଣ୍ଡରେ ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ - Dola Utsav

ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇଥାଏ । ଏହା ଏକ ଗୁପ୍ତ ନୀତି ଅଟେ । ଦ୍ୱିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ କବାଟ ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁର ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରନ୍ତି । ଏହି ନୀତି ସମାପନ ହେବାକୁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥାଏ । ଏହି ସମୟରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖ ମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।


ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ଶ୍ରୀମୁଖ ଶୃଙ୍ଗାର ପାଇଁ ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ମଧ୍ୟ ବ୍ୟବହୃତ ହୋଇଥାଏ । ବଜାରରେ ମିଳୁଥିବା ରଙ୍ଗ ବନକ ଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶାଯାଏ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.