ETV Bharat / state

ରାସ୍ତା ସମସ୍ୟାକୁ ନେଇ ରାଜପଥ ଅବରୋଧ, ଯାତ୍ରୀ ହନ୍ତସନ୍ତ

author img

By ETV Bharat Odisha Team

Published : Mar 10, 2024, 9:05 PM IST

Road Problem
Road Problem

Road Problem: ରାସ୍ତା ସମସ୍ୟାକୁ ନେଇ ରାଜ୍ୟ ରାଜପଥ ଅବରୋଧ କଲେ ଲୋକେ । ସନ୍ଧ୍ୟାର ଆନ୍ଦୋଳନରୁ ଲୋକେ ଓହରିଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଅଧିକ ପଢନ୍ତୁ

Road Problem

ଭବାନୀପାଟଣା: ରାସ୍ତା ସମସ୍ୟାକୁ ନେଇ ରାଜ୍ୟ ରାଜପଥ ଅବରୋଧ କଲେ ଲୋକେ । ଫଳରେ ଦିନ ତମାମ ଯାତାୟତ ଠପ୍ ହୋଇଥିଲା । ସନ୍ଧ୍ୟାର ଆନ୍ଦୋଳନରୁ ଲୋକେ ଓହରିଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । 7 ଦିନ ଭିତରେ ଦାବି ପୂରଣ ନହେଲେ ବିରାଟ ଜନଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ସୂଚନା ଅନୁସାରେ, ଭବାନୀପାଟଣାରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା 6 ନମ୍ବର ରାଜ୍ୟ ରାଜପଥରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଯାତାୟାତ କରିଥାଏ । ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ।

ଭବାନୀପାଟଣା ଠାରୁ ପୋଖରୀ ବନ୍ଧ ଛକ ପର୍ଯ୍ୟନ୍ତ ପ୍ରାୟ ୪୦ କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ରହିଛି । ଲୋକଙ୍କ ଆନ୍ଦୋଳନ ଫଳରେ ଗତ ୮ ମାସ ତଳେ ନୂତନ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ ହୋଇ ଏକ ଠିକା ସଂସ୍ଥା ଏହାର କାମ ପାଇଁ ଟେଣ୍ଡର ପାଇଥିଲା । ଆଉ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ରାସ୍ତାକୁ ଖୋଳି ଦେବା ଫଳରେ ଲୋକେ ଅତିଷ୍ଠ ହୋଇ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । କଳାହାଣ୍ଡିର ଲାଇଫଲାଇନ କୁହାଯାଉଥିବା ୬ ନମ୍ବର ରାଜ୍ୟ ରାଜପଥ ଭବାନୀପାଟଣାରୁ ପୋଖରୀବନ୍ଧ ରାସ୍ତାରେ ଏକାଧିକ ଠିକାଦାର ନିର୍ମାଣ ଦାୟିତ୍ୱ ନେଇଛନ୍ତି । ହେଲେ ଠିକାଦାରମାନେ ଅତ୍ୟନ୍ତ ନିମ୍ନମାନର ତଥା ଧୀର ମନ୍ଥର ଗତିରେ କାମ କରୁଥିବାରୁ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଇଛି ।

ଠିକାସଂସ୍ଥା ତରଫରୁ ରାସ୍ତା ଖୋଳିଦିଆଯାଉଛି ସତ କିନ୍ତୁ ପାଣି ଦେଇ କ୍ୟୁରିଂ କରାଯାଉନଥିବାବେଳେ ପିଚୁ କରାଯାଉଛି । ଯାହାଫଳରେ ଦିନତମାମ ଶହଶହ ଭାରିଯାନ ଚାଲିବା ଯୋଗୁଁ ପ୍ରବଳ ମାତ୍ରାରେ ଧୂଳି ଉଡ଼ି ଦିନବେଳେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ଏହି ଧୂଳି ଯୋଗୁଁ ଲୋକେ ଅତିଷ୍ଠ ହୋଇପଡୁଛନ୍ତି । ଏପରିକି ବହୁ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ସେହିପରି ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନି ହେଉଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ...ମ୍ୟୁନିସିପାଲଟି ଅଧିକାରୀଙ୍କୁ ଘେରିଲେ ଲୋକ, ନିମ୍ନମାନର ରାସ୍ତା କାମ ଅଭିଯୋଗ

ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ବି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଏହି ଜନ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିବାବେଳେ ଉତ୍ତ୍ୟକ୍ତ ଲୋକେ ଆଜି ଭବାନୀପାଟଣାଠାରୁ ରାୟଗଡ଼ା ରାସ୍ତାର ବଡଧାରପୁର ଛକ ନିକଟରେ ରାସ୍ତାରୋକ କରିଥିଲେ । ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଥିବାବେଳେ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଥିଲା । ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇ ରହିବାରୁ ଏହି ରାସ୍ତାରେ ଯାତାୟତ ଠପ୍ ରହିଥିଲା । ରାସ୍ତା ଅବରୋଧ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପୂର୍ତ୍ତ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

  • " class="align-text-top noRightClick twitterSection" data="">


ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.