ETV Bharat / state

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଧାରଣା

author img

By ETV Bharat Odisha Team

Published : Mar 14, 2024, 11:52 AM IST

Villagers Protest
Villagers Protest

Villagers Protest in Jagatsinghpur: ସାରଳାଦାସ ଗ୍ରାମ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତରେ ଗ୍ରାମର ଶତାଧିକ ଲୋକଙ୍କ ଧାରଣା । ଅଧିକ ପଢନ୍ତୁ

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଧାରଣା

ଜଗତସିଂହପୁର: ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସୁଛି । ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ମାଳ ମାଳ ଯୋଜନା କରୁଛନ୍ତି । ହେଲେ ସରକାରଙ୍କ ସମସ୍ତ ଯୋଜନା ସଠିକ୍ ରୂପେ କାର୍ଯ୍ୟକାରୀ ହୋଇପାରୁନାହିଁ । ଯେଉଁଥିପାଇଁ ଆଜିବି ଅନେକ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାର ଅବହେଳା କରୁଛନ୍ତି । ସେହିଭଳି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତରେ ଥିବା ସାରଳାଦାସ ଗ୍ରାମ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ ଗ୍ରାମବାସୀ ଧାରଣା ଦେଇଛନ୍ତି । ତେବେ ଏହି ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ସରକାର ଘୋଷଣା ନ କଲେ ପଞ୍ଚାୟତବାସୀ ଭୋଟ୍ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତରେ ପ୍ରାୟ 4 ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଏହି ଅଞ୍ଚଳର ଲୋକେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ପଞ୍ଚାୟତରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର 25 କିଲୋମିଟର ଦୂରତାରେ ରହିଛି । ତେଣୁ ଏହି ଗ୍ରାମର ଲୋକେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଆସୁଥିଲେ । ଏନେଇ ସ୍ଥାନୀୟ କିଛି ଲୋକ ନିଜସ୍ଵ ଉଦ୍ୟମରେ ସାରଳାଦାସ ଗ୍ରାମ୍ୟ ସ୍ବାସ୍ଥ୍ୟକେନ୍ଦ୍ର 1995ରେ ପ୍ରତିଷ୍ଠା କରିଥିଲେ । ଗାଁରୁ ଅର୍ଥ ଆଦାୟ କରି ଗ୍ରାମବାସୀମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ସହିତ ଏକ ଡାକ୍ତର ଓ ଦୁଇ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଇ ସ୍ୱାସ୍ଥ୍ୟସେବା ଯୋଗାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଟ୍ରେନ ରହଣି ଓ ଅଣ୍ଡରପାସ ନିର୍ମାଣ ଦାବି, ରାଜଗାଙ୍ଗପୁର ବନ୍ଦ ସହ ରେଳ ଷ୍ଟେସନରେ ଧାରଣା

ତେବେ ଏହି ଡାକ୍ତରଖାନାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦାବି ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ତେଣୁ 5T ଅଧ୍ୟକ୍ଷ ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକେ ତାଙ୍କୁ ଭେଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଦାବି କରିଥିଲେ । ହେଲେ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଗତକାଲି(ବୁଧବାର) ଏହି ଗ୍ରାମର ଶତାଧିକ ଲୋକ ଧାରଣାରେ ବସିଥିଲେ । ତେବେ ରାଜ୍ୟ ସରକାର ଦାବି ପୂରଣ ନକଲେ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରି ଦିଆଯାଇଛି । ସେଠାରୁ ନିର୍ଦ୍ଦେଶ ଆସିଲେ ତାହା କାର୍ଯ୍ୟକାରୀ ହେବ । ଗ୍ରାମବାସୀଙ୍କ କହିବା କଥା, ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । କିନ୍ତୁ 4 ହଜାରରୁ ଅଧିକ ଲୋକ ବସବାସ କରୁଥିବା ଏହି ଗ୍ରାମ ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି । ତେଣୁ ରାଜ୍ୟ ସରକାର ଏହି ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ସେମାନେ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.