ETV Bharat / state

୩୦ ଜିଲ୍ଲାର ୯୫% ପଞ୍ଚାୟତକୁ ବ୍ଲକ ସହ ଯୋଡିଲା ଲକ୍ଷ୍ମୀ

author img

By ETV Bharat Odisha Team

Published : Feb 21, 2024, 4:28 PM IST

Laxmi Bus Service
Laxmi Bus Service

Laccmi Bus Service Available Across the State: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ୫ ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି । ଫଳରେ ୩୦ ଜିଲ୍ଲାର ୯୫% ପଞ୍ଚାୟତକୁ ବ୍ଲକ ସହିତ ଯୋଡିଛି ଲକ୍ଷ୍ମୀ । ଅକ୍ଟୋବର ୧୨ରେ ପ୍ରଥମେ ମାଲକାନଗିରିରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଆଜି ସାରା ରାଜ୍ୟରେ ପହଞ୍ଚିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ୫ ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି । ବୌଦ୍ଧ, ଗଞ୍ଜାମ, ବାଲେଶ୍ବର, ଜଗତସିଂହପୁର ଓ ନୂଆପଡା ଜିଲ୍ଲାରେ ଲକ୍ଷ୍ମୀ ବସ ଗଡ଼ିଛି । ଫଳରେ ୩୦ ଜିଲ୍ଲାର ୯୫ % ପଞ୍ଚାୟତକୁ ବ୍ଲକ ସହିତ ଯୋଡିଛି ଲକ୍ଷ୍ମୀ । ଆଜି ସୁଦ୍ଧା ୧୩୫୪ ବସ ଗାଡିଥିବାବେଳେ ୬୦୩୧ ପଞ୍ଚାୟତର ୩.୬୪ କୋଟି ଲୋକ ଉପକୃତ ହେବେ । ଆସନ୍ତା କିଛିଦିନ ମଧ୍ୟରେ ସମୁଦାୟ ୧୭୪୫ ଲକ୍ଷ୍ମୀ ବସ ରାଜ୍ୟରେ ସେବା ଯୋଗାଇବ ।

ଅଧିକ ପଢନ୍ତୁ- ୫ ଜିଲ୍ଲାର ଗଡିଲା ଲକ୍ଷ୍ମୀ; ୭୦୦ ପଞ୍ଚାୟତରେ ୨୦୫ ବସ, ଉପକୃତ ହେବେ ୪୪ ଲକ୍ଷ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍ଷ୍ମୀ ରାଜ୍ୟର ସବୁ ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ । ଗାଁ ଲୋକମାନେ ଲକ୍ଷ୍ମୀ ବସ ଜରିଆରେ ସୁବିଧା ଏବଂ କମ ଖର୍ଚ୍ଚରେ ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଲକ୍ଷ୍ମୀ ଜୀବନ ଯାତ୍ରାକୁ ସହଜ କରିବ । ଆଜି ୫ ଜିଲ୍ଲାର ୧୦୫୭ ପଞ୍ଚାୟତରେ ୨୫୫ ବସ ଚାଲିଲା । ଏହା ଦ୍ବାରା ୭୧ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ବାଲେଶ୍ବର ଜିଲ୍ଲାର ୩୧୫ ପଞ୍ଚାୟତରେ ୪୮ ବସ ଚାଲିଲା । ଫଳରେ ୨୦ ଲକ୍ଷ ୪୨ ହଜାର ଲୋକ ଉପକୃତ ହେଲେ । ନୂଆପଡାର ୧୨୩ ପଞ୍ଚାୟତରେ ୨୫ ବସ ଚାଲିଲା । ଫଳରେ ୫ ଲକ୍ଷ ୭୪ ହଜାର ଲୋକ ଉପକୃତ ହେବେ । ବୌଦ୍ଧର ୫୫ ପଞ୍ଚାୟତରେ ୧୦ ବସ ଚାଲିବା ଦ୍ବାରା ୩ ଲକ୍ଷ ୫୩ ହଜାର ଲୋକ ଉପକୃତ ହେବେ ।

ସେହିପରି ଗଞ୍ଜାମର ୪୩୩ ପଞ୍ଚାୟତରେ ୧୩୦ ବସ ଚାଲିବା ଦ୍ବାରା ୩୪ ଲକ୍ଷ ୪୭ ହଜାର ଲୋକ ଉପକୃତ ହେବେ । ଜଗତସିଂହପୁରର ୧୩୧ ପଞ୍ଚାୟତରେ ୪୨ ବସ ଚାଲିବା ସହିତ ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହେଲେ । ଏହା ଫଳରେ ଆଜି ଓଡିଶାର ସମସ୍ତ ୩୦ ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରିଛି । ୩୦ ଜିଲ୍ଲାରେ ୧୩୫୪ ବସ ଗଡ଼ିବା ଦ୍ବାରା ୬୦୩୧ ପଞ୍ଚାୟତର ୩.୬୪ କୋଟି ଲୋକ ଉପକୃତ ହୋଇଛନ୍ତି । ରାଜ୍ୟର ସବୁ ପଞ୍ଚାୟତରେ ସମୁଦାୟ ୧୭୪୫ଟି ବସ ଚାଲିବ । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ ଚଳାଚଳର ସୁବିଧା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳାଙ୍କୁ ବସ ପରିଚଳନା ଦାୟିତ୍ବ ଦିଆଯାଇଛି ।

ଅଧିକ ପଢନ୍ତୁ- ନେରେଡିବାଲାସାକୁ କେବ ଗଡିବ ଲକ୍ଷ୍ମୀ ବସ୍ ? ଯୋଜନା ନେଇ ସ୍ଥାନୀୟ ବାସିନ୍ଦାଙ୍କ କ୍ଷୋଭ

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଛନ୍ତି । କହିଛନ୍ତି ଯେ, ଜିଲ୍ଲା ଗସ୍ତରୁ ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ମିଳିଥିଲା ଫିଡ଼ବ୍ୟାକ । ଏହି ମତାମତ ଅନୁଯାୟୀ ୨୦୨୩ ମେ ମାସ ୯ ତାରିଖରେ ଜିଲ୍ଲାପାଳଙ୍କ ସହିତ ସେ ଆଲୋଚନା କରିଥିଲେ । ଏହା ପରେ ଅକ୍ଟୋବର ୧୨ରେ ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ । ଆଜି ସୁଦ୍ଧା ୩୦ଟି ଜିଲ୍ଲାର ୯୫ ପ୍ରତିଶତ ପଞ୍ଚାୟତ ଏଥିରେ ଅନ୍ତର୍ଭୁକ୍ତ । ଲକ୍ଷ୍ମୀ ବସ ଆମ ନିଜର ସଂପତ୍ତି । ଓଡିଶାର ସଂପତ୍ତି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଆମ ଦାୟିତ୍ବ ।

ବାଲେଶ୍ବରରେ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ବିଧାୟକ ସ୍ବରୂପ କୁମାର ଦାସ, ନୂଆପଡାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ବୌଦ୍ଧରେ ମନ୍ତ୍ରୀ ପଦୀପ କୁମାର ଅମାତ, ବିଧାୟକ ମହିଧର ରଣା, ଗଞ୍ଜାମରେ ବିଧାୟିକା ଲତିକା ପ୍ରଧାନ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜଗତସିଂହପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଛନ୍ତି । କହିଛନ୍ତି ଯେ, ଭାରତର ଆତ୍ମା ଗ୍ରାମାଞ୍ଚଳରେ ରହେ । ଗ୍ରାମାଞ୍ଚଳର ବିକାଶ ଜରିଆରେ ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍ଷ୍ମୀ ବସ ଜରିଆରେ ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ଅସୁବିଧାକୁ ମୁଖ୍ୟମନ୍ତ୍ରୀ ଦୂର କରିଦେଇଛନ୍ତି । ଲକ୍ଷ୍ମୀ ବସ ଗ୍ରାମାଞ୍ଚଳର ପ୍ରତ୍ୟେକ ମହିଳାଙ୍କ ଗର୍ବ ଓ ଗୌରବର ପ୍ରତୀକ । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ବାଗତ ଭାଷଣ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.