ETV Bharat / state

ଓଡ଼ିଆ ଶ୍ରେଣୀ କକ୍ଷର ଭାଷା ନୁହେଁ, ଏହା ଓଡ଼ିଆ ଅସ୍ମିତାର ଭାଷା: ଘସିପୁରା ବିଧାୟକ

author img

By ETV Bharat Odisha Team

Published : Jan 29, 2024, 8:34 PM IST

Keonjhar Dharanidhar University: କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଲା ତ୍ରିଦିବସୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ । ଯୋଗେଦେଲେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । ଅଧିକ ପଢନ୍ତୁ

Keonjhar Dharanidhar University
Keonjhar Dharanidhar University

ଓଡ଼ିଆ ଶ୍ରେଣୀ କକ୍ଷର ଭାଷା ନୁହେଁ

କେନ୍ଦୁଝର: ଓଡ଼ିଶା ସରକାରଙ୍କ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଜିଲ୍ଲାର ଧରଣୀଧର ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଛି ତ୍ରିଦିବସୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ଓ ଦୁଇ ଦିନିଆ ସାଂସ୍କୃତିକ ପ୍ରଦର୍ଶନୀ । ଆଜି ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ତେବେ 'ଓଡ଼ିଆ' ଭାଷା କେବଳ ଶ୍ରେଣୀ କକ୍ଷର ଭାଷା ନୁହେଁ, ବରଂ ଏହା ଓଡ଼ିଆ ଅସ୍ମିତାର ଭାଷା ବୋଲି କହିଛନ୍ତି ବିଧାୟକ ।

ଏହା ବି ପଢନ୍ତୁ- ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ

ସମାରୋହର ଅନ୍ୟତମ ଆକର୍ଷଣ ବିଶିଷ୍ଟ କବି ପଦ୍ମଶୀ ଦମୟନ୍ତୀ ବେଶ୍ରା ଜଗନ୍ନାଥଙ୍କୁ ଓଡ଼ିଆ ଓ ଜନଜାତି ସଂସ୍କୃତିର ସମନ୍ବୟ ବୋଲି ପ୍ରମାଣ ରଖିଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ ପ୍ରଦର୍ଶନୀରେ ସମ୍ପାଦକ ସୁଜିତ ପଟ୍ଟନାୟକ, କିର୍ଡିଟ, ଜୁଆଙ୍ଗ ଓ ସାନ୍ତାଳି ଜନଜାତି ନିଜ ନିଜର ପ୍ରଦର୍ଶନ ମଣ୍ଡପ ପ୍ରସ୍ତୁତ କରିଥିବା ବେଳେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମଗ୍ର ପରିସରକୁ ଏକ ସାହିତ୍ୟ ତୀର୍ଥର ରୂପ ଦେବାରେ ପ୍ରୟାସ କରାଯାଇଥିଲା । ଉଦଘାଟନୀ ଅବସରରେ ଅତିଥି ବୃନ୍ଦଙ୍କୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହା ବି ପଢନ୍ତୁ- ଓଡ଼ିଆ ଭାଷା ସମ୍ମିଳନୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର

'ଓଡ଼ିଆ ଓ ଜନଜାତି ଭାଷା ମଧ୍ୟରେ ସଂପର୍କ ଓ ପ୍ରଭାବ' ଉପରେ ଆଲୋଚନା କରିଥିଲେ ଅତିଥି ଆଲୋଚକ ଗଙ୍ଗାଧର ମେହେର, ବିଶ୍ବବିଦ୍ୟାଳୟର ପ୍ରଫେସର ଡକ୍ଟର ମୀରା ସ୍ବାଇଁ , ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା । ଓଡିଆ, ଇଂରାଜୀ, ନୃତତ୍ତ୍ବ, ଦର୍ଶନ, ସମାଜ ବିଜ୍ଞାନ ଓ ସଂସ୍କୃତ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଆୟୋଜନରେ ଅଂଶ ଗ୍ରହଣ କରିଥିଲେ । ଏହାପରେ ସଂଧ୍ୟାରେ ଚାଙ୍ଗୁ ନୃତ୍ୟ, କେନ୍ଦୁଝରର ପ୍ରସିଦ୍ଧ କଣ୍ଢେଇ ନାଚ ସହ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶବ୍ଦତୀର୍ଥରେ ଆସନ୍ତକାଲି ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଓ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ବବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.