ETV Bharat / state

ଓଡ଼ିଆ ଭାଷା ସମ୍ମିଳନୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର

author img

By ETV Bharat Odisha Team

Published : Jan 28, 2024, 10:39 PM IST

First World Odia Language Conference: ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରଖି ଆୟୋଜିତ ହେବ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ । ଅଧିକ ପଢ଼ନ୍ତୁ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ କାରଣ, ସମଗ୍ର ଭାରତ ବର୍ଷରେ ଭାଷା ଭିର୍ତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଓଡ଼ିଶା ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ମାତୃଭାଷାର ପ୍ରଚାର, ପ୍ରସାର ଓ ବିକାଶ ସହ ଓଡ଼ିଆ ଭାଷାକୁ ସାରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରୁଛନ୍ତି ।

ଏହି ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଫେବୃୟାରୀ ୧ ଓ ୨ ତାରିଖରେ ‘ଓଡ଼ିଆ ଭାଷା ଓ ଓଡ଼ିଶାର କଳାସଂସ୍କୃତି’ ଶୀର୍ଷକ ଏକ ଦୁଇ ଦିନିଆ ଆଲେଚାନା ଚକ୍ର ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଂଗମଞ୍ଚରେ ଆୟୋଜିତ ହେବ । ଏହା ଏକ ଗବେଷଣାତ୍ମକ ଆଲୋଚନା ଚକ୍ର । ବହୁ ବିଶିଷ୍ଟ ଭାଷାବିଜ୍ଞାନୀ, ଗବେଷକ, ସାହିତ୍ୟିକ, ସାରସ୍ୱତ ସାଧକ, ସଂଗୀତ ଏବଂ ନୃତ୍ୟ ସାଧକ-ସାଧିକା, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ଆଦି ଏହି ସମ୍ମିଳନୀରେ ଯୋଗଦାନ କରି ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିବେ । ପ୍ରତ୍ୟେକ ଦିନ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନ ଦିନ ୧୧ ଟାରୁ ଅପରାହ୍ନ ୨ ଟା ଏବଂ ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ତେବେ ପ୍ରଥମ ଦିନର ଆଲୋଚ୍ୟ ବିଷୟ ଗୁଡ଼ିକ ହେଉଛି ‘ଚର୍ଯ୍ୟାଗୀତିର ଭାଷା ଓ ସାଙ୍ଗୀତିକ ବିଭାବ ଏବଂ ରୀତିଯୁଗୀୟ କାବ୍ୟର ଗୀତିମୟ ଭାଷା’ । ଏଥିରେ ବକ୍ତା ଭାବରେ ଡକ୍ଟର ବାବାଜୀ ପଟ୍ଟନାୟକ ଏବଂ ଡକ୍ଟର କୃଷ୍ଣକେଶବ ଷଡଙ୍ଗୀ ଯୋଗଦେବେ । ଏହାସହ ଏଥିରେ ଡକ୍ଟର ବସନ୍ତା ପଣ୍ଡା ଏବଂ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିବେ । ସେହିଭଳି ଦ୍ୱିତୀୟ ଦିବସର ଆଲୋଚ୍ୟ ପ୍ରସଙ୍ଗ ହେଉଛି ‘ମଧ୍ୟଯୁଗୀୟ ଗୀତି କବିତାର ଭାଷା’ ଓ ‘ଓଡ଼ିଆ ଲୀଳା ଯାତ୍ରା ସାହିତ୍ୟର ଭାଷା ବିଭବ’ । ଏଥିରେ ବକ୍ତା ଭାବରେ ଡକ୍ଟର ଶାନ୍ତନୁ ରଥ ଏବଂ ଡକ୍ଟର ଅଜୟ ମିଶ୍ର ଯୋଗଦେବା ସହିତ ଅଧ୍ୟକ୍ଷତା କରିବେ ଡକ୍ଟର ଶରତ ଚନ୍ଦ୍ର ରଥ ଏବଂ ଡକ୍ଟର ସଂଘମିତ୍ରା ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ.....ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ; ଓଡ଼ିଆ ଭାଷାର ପ୍ରସାର କରିବେ ଛାତ୍ରଛାତ୍ରୀ ଓ ଶିକ୍ଷକ

ସେପଟେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁ ବିଶିଷ୍ଟ ସାରସ୍ୱତ ସାଧକ, ନୃତ୍ୟ ଗୁରୁ ଏବଂ ସଂଗୀତ ବିଷାରଦ ପ୍ରମୁଖ ଯୋଗଦେବା ସହିତ କାର୍ଯ୍ୟକ୍ରମରେ ଗୁଗୁଲ୍ ମିଟ୍ ଜରିଆରେ ଆଭାଷି ମାଧ୍ୟମରେ ବହୁ ବିଶେଷଜ୍ଞ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏହିଭଳି ଅନେକ ଗବେଷଣାତ୍ମକ କାର୍ଯ୍ୟ କରି ଆସୁଥିବା ବେଳେ କେନ୍ଦ୍ର ତରଫରୁ ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.