ETV Bharat / state

'ରାସ୍ତା ନାହିଁ ତ ଭୋଟ ନାହିଁ'; ଗ୍ରାମବାସୀଙ୍କ ଚରମ ନିଷ୍ପତ୍ତି

author img

By ETV Bharat Odisha Team

Published : Feb 21, 2024, 10:23 AM IST

ରାସ୍ତା ନାହିଁ ତ ଭୋଟ ନାହିଁ
ରାସ୍ତା ନାହିଁ ତ ଭୋଟ ନାହିଁ

Road Problem In Deogarh: 'ରାସ୍ତା ନାହିଁ ତ ଭୋଟ ନାହିଁ '। ନିର୍ବାଚନ ପୂର୍ବରୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଦେବଗଡ଼ ଜିଲ୍ଲା କଂସର ପଞ୍ଚାୟତବାସୀ । ଅଧିକ ପଢ଼ନ୍ତୁ,

ରାସ୍ତା ନାହିଁ ତ ଭୋଟ ନାହିଁ

ଦେବଗଡ଼: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରାସ୍ତାଘାଟର ସୁବାଧା ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ କେତେ ଉପକୃତ ହେଉଛନ୍ତି ଏଥିପ୍ରତି କାହାର ଦୃଷ୍ଟି ନାହିଁ । ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଉପାନ୍ତ ଅଞ୍ଚଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀମନ ଦେଉଛନ୍ତି । ଯାହାକୁ ନେଇ ରାସ୍ତା ନାହିଁ ତ ଭୋଟ ନାହିଁ ଚେତାବନୀ ଦେଇ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଦେବଗଡ଼ ଜିଲ୍ଲା କଂସର ପଞ୍ଚାୟତର ଦୁର୍ଗମ ପାହାଡ଼ ଘେରା ଅଞ୍ଚଳରେ ଥିବା 9 ଖଣ୍ଡ ଗ୍ରାମର ଲୋକ ।

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଂସର ପଞ୍ଚାୟତର ଦୁର୍ଗମ ପାହାଡ଼ ଘେରା ଅଞ୍ଚଳରେ ରହିଛି ଖଜୁରିଖମଣ, ତେଲଭାଙ୍ଗୁଣି, ଭଙ୍ଗାମୁଣ୍ଡା, ଜଗଦଳା, ବିରିଆମ, ହିରଣ, ବେଲୁଆମ, ଖାଇରକାନି ଓ ଲଇଣ୍ଡା ଆଦି 9ଟି ଗ୍ରାମ । ଏହି ସମସ୍ତ ଗ୍ରାମକୁ ଏ ପର୍ଯ୍ୟନ୍ତ ନୀତିଦିନିଆ ଯିବା ଆସିବା କରିବା ପାଇଁ ରାସ୍ତା ଖଣ୍ଡିଏ ହୋଇ ପାରିନାହିଁ । ଲୋକେ ପାହାଡିଆ ଦୁର୍ଗମ ରାସ୍ତା ଅତିକ୍ରମ କରି ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରିଛନ୍ତି । ଦୁର୍ଗମ ରାସ୍ତା ଯୋଗୁଁ ଏହି ଅଞ୍ଚଳକୁ ଯାନବାହନ ଚଳାଚଳ ମଧ୍ୟ କରିପାରୁନାହିଁ । ଫଳରେ 7ରୁ 8 କିଲୋମିଟର ଦୁର୍ଗମ ପାହାଡିଆ ରାସ୍ତା ଅତିକ୍ରମ କରି ଲୋକେ ଜରୁରୀ କାମରେ ବାହାରକୁ ଯାତାୟତ କରୁଛନ୍ତି । ଏହି ଅଞ୍ଚଳକୁ ସ୍ଥାୟୀ ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବହୁବର୍ଷ ହେଲା ଅଞ୍ଚଳବାସୀ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ ।

ଗତ 2022 ମସିହାରେ କଂସର ପଞ୍ଚାୟତଠାରୁ ଖଜୁରୀଖମଣ ପର୍ଯ୍ୟନ୍ତ 7 କିଲୋମିଟର ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ପ୍ଲାନ ସ୍କିମରୁ ପ୍ରାୟ 6 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ବଲପୁରର ଇସ୍କନ ବିଲଡର୍ସ ନାମକ ଏକ ଠିକା ସଂସ୍ଥା ଗତ 2022 ଏପ୍ରିଲ 24 ତାରିଖରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ନିର୍ମାଣ କାର୍ଯ୍ୟଟି 2023 ମାର୍ଚ୍ଚ 23ରେ ସରିବା କଥା । କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା ମାତ୍ର 3 କିଲୋମିଟର ରାସ୍ତା ନିର୍ମାଣ କରିବା ପରେ କାମକୁ ବନ୍ଦ କରି ଚାଲି ଯାଇଛନ୍ତି । ଉକ୍ତ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ଫରେଷ୍ଟ କ୍ଲିୟରେନ୍ସ ନମିଳିବାରୁ କାର୍ଯ୍ୟଟି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନପାରି ଅଧାପନ୍ତରିଆ ଭାବେ ପଡିରହିଛି । ଫଳରେ ଲୋକେ ରାସ୍ତା ନିର୍ମାଣ ନେଇ ଯାହା ଆଶାବାନ୍ଧି ବସିଥିଲେ ତାହା ମଉଳି ଯାଇଛି । ଏହି ରାସ୍ତା ଉପରେ ନିର୍ଭରଶୀଳ ଖଜୁରୀଖମଣ, ତେଲଭାଙ୍ଗୁଣି, ଜଗଦଳା ଓ ଭଙ୍ଗାମୁଣ୍ଡା ଆଦି 4ଟି ଗ୍ରାମର ପ୍ରାୟ 200 ପରିବାର ଏବେବି ବହୁ ଦୁର୍ଦ୍ଦସାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ପାଇଁ ଫରେଷ୍ଟ କ୍ଲିୟରେନ୍ସ କେବେ ମିଳିବ ? ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ....ଶୁଣିଲାନି ପ୍ରଶାସନ ନିଜେ ମରାମତି କଲେ ରାସ୍ତା, ଆଗକୁ ଭୋଟ ବର୍ଜନ ଚେତାବନୀ

ଅନ୍ୟପଟେ ପାହାଡ଼ ଅପର ପାର୍ଶ୍ଵରେ ଥିବା ବିରିଆମ, ହିରଣ, ଲଇଣ୍ଡା, ବେଲୁଆମ ଓ ଖଇରକାନି ଆଦି ଗ୍ରାମକୁ ଏଯାଏ କୌଣସି ରାସ୍ତା ନିର୍ମାଣ ହୋଇପାରିନାହିଁ । ଏଥିପାଇଁ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବିକରି ବିଫଳ ହେବାପରେ ଆସନ୍ତା ନିର୍ବାଚନରେ 'ରାସ୍ତା ନାହିଁ ତ ଭୋଟ ନାହିଁ ' ବୋଲି କହି ଭୋଟ ବର୍ଜନ ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି । ଯାହାକି ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ସରକାର ଗ୍ରାମ୍ୟ ରାସ୍ତାକୁ ସହରାଞ୍ଚଳ ରାସ୍ତା ସହିତ ସଂଯୋଗ କରି ଗମନାଗମନ ବ୍ୟବସ୍ଥାକୁ ସୁଗମ କରୁଥିବା ବେଳେ ଏଠାରେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ନେଇ ଦୁର୍ଗମ ଅଞ୍ଚଳବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.