ETV Bharat / state

ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ ଶ୍ୱଶୁର, ଘଟଣାସ୍ଥଳରେ ସିନ ରିକ୍ରିଏସନ - In Laws murder woman

author img

By ETV Bharat Odisha Team

Published : May 1, 2024, 12:09 PM IST

BHADRAK WOMAN MURDER
BHADRAK WOMAN MURDER

In Laws murder woman: ଭଦ୍ରକ ପାଳିଆବିନ୍ଧାରେ ଯୌତୁକ ଲୋଭରେ ବୋହୂକୁ ହତ୍ୟା କଲେ ଶାଶୁ ଶ୍ୱଶୁର । ଘଟଣାସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ । ଡେମୋ ଦେଖାଇଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

BHADRAK WOMAN MURDER

ଭଦ୍ରକ: ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ପାଳିଆବିନ୍ଧା ବେହେରା ସାହିରେ ବଧୂ ହତ୍ୟା ଘଟଣାର ପର୍ଦ୍ଦାଫାସ । ଯୌତୁକ ପାଇଁ ଶାଶୁ ଏବଂ ଶ୍ୱଶୁର ବୋହୂର ହତ୍ୟା କରି ତାକୁ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରିଥିବା ପୋଲିସ ତଦନ୍ତ ବେଳେ ଜଣାପଡିଛି । ଅନ୍ୟପଟେ ହତ୍ୟାକାଣ୍ଡକୁ ନେଇ ଡେମୋ ଦେଖାଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶାଶୁ ଏବଂ ଶ୍ୱଶୁର ।

ସୋମବାର ଦିନ ଭଦ୍ରକ ଜିଲ୍ଲା ତିହିଡି ଥାନା ପାଳିଆବିନ୍ଧା ଅନ୍ତର୍ଗତ ବେହେରା ସାହିର ମଧୁସୂଦନ ଦଳେଇଙ୍କ ପତ୍ନୀ ଅଖିଲତା ଦଳେଇଙ୍କର ନିଜ ଶୋଇବା ଘରୁ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଘରେ କେହି ନଥିବା ବେଳେ ଅଖିଲତା ଜୀବନ ହାରିଥିବା ଶାଶୁଘର ଲୋକେ କହିଥିବା ବେଳେ ଏହାକୁ ଖଣ୍ଡନ କରିଥିଲେ ଅଖିଲତାଙ୍କ ବାପାଘର ଲୋକେ । ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପରେ ତିହିଡି ଥାନା ପୋଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ଅଖିଲତାଙ୍କୁ ହତ୍ୟା କରାଯାଇଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ ।

ଯୌତୁକ ପାଇଁ କ୍ରୋଧାନ୍ୱିତ ହୋଇ ପୁଅର ଅନୁପସ୍ଥତିରେ ଶାଶୁ ଶ୍ୱଶୂର ବୋହୁକୁ ହତ୍ୟା କରିଥିବା ନେଇ ପୋଲିସ କହିଛିି । ବୋହୂ ନିଜ ରୁମରେ ଥିବା ବେଳେ ଶାଶୁ ଏବଂ ଶ୍ୱଶୁର ଧଶେଇ ପଶିଥିଲେ । ଶାଶୁଶ୍ୱଶୁର ମିଶି ବୋହୂକୁ ହତ୍ୟା କଲା ପରେ ତାକୁ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ ଝୁଲାଇ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ଥାନାରେ ଅଟକ - Bhadrak Suspicious Death

ପରେ ନିଜକୁ ନିର୍ଦ୍ଦୋଶର ପ୍ରମାଣ ଦେବାଲାଗି ଶାଶୁ ଛେଳି ଚରାଇବା ବାହାନାନରେ ପାଖ ବିଲକୁ ଯାଇଥିବା ବେଳେ ଶ୍ୱଶୁର ମଧ୍ୟ ଗାଁକୁ ମଧ୍ୟକୁ କୌଣସି କାର୍ଯ୍ୟ ବାହାନାରେ ପଳେଇ ଯାଇଥିଲା । ମୃତାଙ୍କ 3 ବର୍ଷର ପୁଅ ଘର ଭିତରେ ମାଆ ଝୁଲୁଥିବାର ଦେଖି ତା ଜେଜେମାକୁ ଡାକିଥିଲା । ହେଲେ ଜେଜେମା ଘରକୁ ନଆସି ପଡୋଶୀଙ୍କ ଘରକୁ ଯାଇଥିଲା । ସେଠାରୁ ତାଙ୍କ ମୋବାଇଲ୍ ଯୋଗେ ବୋହୁ ଗୁରୁତର ବୋଲି ନିଜ ପୁଅକୁ ଜଣେଇଥିଲା । ଦୁଇ ଅଭିଯୁକ୍ତ ବୋହୂ ଆତ୍ମହତ୍ୟା କରିଥିବା କହିଥିଲେ ।

ହେଲେ ପାରିପାର୍ଶ୍ୱିକ ସ୍ଥିତି ସହ କିଛି ନିର୍ଦ୍ଦିଷ୍ଟ ତଥ୍ୟକୁ ଆଧାର କରି ପୋଲିସ ମୃତାଙ୍କ ସ୍ୱାମୀ ସମେତ ଶାଶୁ ଏବଂ ଶ୍ୱଶୁରଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲା । ତଦନ୍ତ ସମୟରେ ଶାଶୁ ଏବଂ ଶ୍ୱଶୁର ମୂଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା । ମଙ୍ଗଳବାର ପୋଲିସ ପକ୍ଷରୁ, ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନିଆଯାଇ ଏହି ହତ୍ୟାକାଣ୍ଡର କ୍ରାଇମ୍ ସିନ୍ ରି-କ୍ରିୟେସନ୍ କରାଯାଇଥିଲା । ଶାଶୁ ଶ୍ୱଶୁର କେମିତି ବୋହୂକୁ ହତ୍ୟା କରିଥିଲେ ସେନେଇ ଡେମୋ ଦେଖାଇଥିଲେ ।

ପ୍ରକାଶ ଥାଉକି ମୃତା ଅଖିଲତା ଦଳେଇ ୪ ବର୍ଷ ତଳେ ମଧୁସୂଦନ ଦଳେଇଙ୍କୁ ବିବାହ କରିଥିଲେ । ତାଙ୍କର ଏକ ୩ ବର୍ଷର ପୁଅ ମଧ୍ୟ ରହିଛି । ପୂର୍ବରୁ ମଧ୍ୟ ଯୌତୁକ ପାଇଁ ଶାଶୁ ଶ୍ୱଶୂର ଅଖିଲତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଗ୍ରାମବାସୀମାନେ କହିଛନ୍ତି । ଅଭିଯୁକ୍ତ ଶାଶୁର ନାଁ ଭାଗ୍ୟବତୀ ହୋଇଥିବା ବେଳେ ଶ୍ୱଶୁର ଗଣେଶ ବୋଲି ସୂଚନା ମିଳିଛି । ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ସମେତ ଆଇଆଇସି ପ୍ରସନ୍ନ କୁମାର ଦାସ ଏବଂ ତଦନ୍ତ ଅଧିକାରୀ ଅରୁନ୍ଧତୀ ବେହେରା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ତେବେ ଶାଶୂ ଓ ଶ୍ୱଶୁରଙ୍କୁ ବଧୂ ହତ୍ୟା କରିଥିବା ଅଭିଯୋଗରେ ଏବଂ ସ୍ୱାମୀକୁ ଯୌତୁକ ଜନିତ ନିର୍ଯାତନା ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ।

ଇଟିିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.