ETV Bharat / state

ଢେଙ୍କାନାଳରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ, କ୍ଷୟକ୍ଷତିର ନାହିଁ ସୂଚନା

author img

By ETV Bharat Odisha Team

Published : Mar 13, 2024, 12:50 PM IST

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ
ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

Goods Train Catches Fire: କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ନିଆଁ । 4ଟି ବଗିରେ ନିଆଁ ଲାଗିଯାଇଥିବା ବେଳେ ଅଗ୍ନିଶମ ବାହୀନି ନିଆଁକୁ ଆୟତ୍ତ କରିଛି । ଅଧିକ ପଢନ୍ତୁ

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

ଢେଙ୍କାନାଳ: ପୁଣି ଟ୍ରେନରେ ଅଗ୍ନିକାଣ୍ଡ । ଅନୁଗୁଳ ସୁକିନ୍ଦା ରେଳ ଲାଇନର କମଳାଙ୍ଗ ଷ୍ଟେସନଠାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗିଯାଇଥିଲା । 4ଟି ବଗିରେ ନିଆଁ ଲାଗିଥିବା ଖବର ପାଇବା ପରେ ଜିଏମଆର କାରଖାନାର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ପୁଣି ଛାଡିଥିଲା ଟ୍ରେନ । ତେବେ ଏହି ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନଠାରେ ଏକ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଅନୁଗୁଳ-ସୁକିନ୍ଦା ରେଳ ଲାଇନର କମଳାଙ୍ଗ ଷ୍ଟେସନଠାରେ ଏହି ଅଘଟଣ ଘଟିଥିଲା । କୌଣସି କାରଣ ପାଇଁ ଏକ କୋଇଲା ବୋଝେଇ ମାଲଗାଡିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ସ୍ଥାନୀୟ ଜିଏମଆର କାରଖାନାର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି କୋଇଲା ବୋଝେଇ ମାଲଗାଡିଟି ତାଳଚେରରୁ ଦୁବୁରୀ ଯାଉଥିବା ସୂଚନା ରହିଛି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ନିଆଁ ଲାଗିଥିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ: କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଟ୍ରେନରେ ନିଆଁ ଲାଗିଥିବା ଜାଣିପାରିଥିଲେ ଟ୍ରେନ ଲୋକପାଇଲଟ । ଏହାପରେ କମଳାଙ୍ଗ ଷ୍ଟେସନଠାରେ ଟ୍ରେନକୁ ଅଟକାଇ ଥିଲେ । ଏହାର ୪ଟି ବଗିରେ ନିଆଁ ଲାଗିଥିଲା । ଜିଏମଆର କାରଖାନାର ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରିବା ପରେ ଏହି ମାଲବାହୀ ଗାଡି ପୁଣି ଗଡିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ୪ଟି ବଗିର କିଛି କିଛି କୋଇଲା ଜଳି ଯାଇଥିବା ବେଳେ ଟ୍ରେନର ଅନ୍ୟ କୌଣସି କ୍ଷୟକ୍ଷତି ହୋଇନଥିବା ଅନୁମାନ କରାଯାଉଛି । ସୂଚନା ଥାଉକି, ଗତ କିଛି ଦିନ ପୂର୍ବେ ଏହି କମଳାଙ୍ଗ ଷ୍ଟେସନଠାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେପରି ଢେଙ୍କାନାଳ ମେରମୁଣ୍ଡଳୀ ଷ୍ଟେସନ ନିକଟରେ ଅନ୍ୟ ଏକ ମାଲଗାଡିରେ ମଧ୍ୟ ନିଆଁ ଲାଗିଥିଲା । ଅପରପକ୍ଷରେ ଯୋରନ୍ଦା ରୋଡ଼ ଷ୍ଟେସନଠାରେ ରେଳ ବିଭାଗର ଏକ ଇଲେକ୍ଟ୍ରିକ ମେଣ୍ଟେନାନ୍ସ ଇଞ୍ଜିନ ଅଗ୍ନିକାଣ୍ଡରେ ସମୂର୍ଣ୍ଣ ଜଳି ଯାଇଥିଲା ।

ପ୍ରକାଶଯୋଗ୍ୟ ଯେ, ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଗତ ଜାନୁଆରୀ 18 ତାରିଖରେ ଗୋଟିଏ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଦୁବୁରୀ ବୁଢାପଙ୍କ ନୂଆ ଟ୍ରେନ ଲାଇନର କମଲାଙ୍ଗ ଷ୍ଟେସନ ନିକଟସ୍ଥ ଭଗାମୁଣ୍ଡାଠାରେ ଏହି ଅଘଟଣ ଘଟିଥିଲା । କିନ୍ତୁ ଦୁର୍ଘଟଣାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିଲା । କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଗାଡିର ଇଞ୍ଜିନ ସହିତ ୬ଟି ବଗି ରେଳ ଧାରଣାରୁ ବାହାରକୁ ପଳାଇ ଯାଇଥିଲା । ଦୁବୁରୀରୁ ବୁଢ଼ାପଙ୍କ ଦେଇ ତାଳଚେର ଅଭିମୁଖେ ଏହି ମାଲବାହୀ ଟ୍ରେନଟି ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.