ETV Bharat / state

ଜେଜେ ମା’ର ଶୁଦ୍ଧିକ୍ରିୟା ପାଇଁ ଚାଲିଗଲା ନାତୁଣୀର ଜୀବନ

author img

By ETV Bharat Odisha Team

Published : Mar 10, 2024, 9:30 PM IST

ପଙ୍କ ସଫାବେଳେ ପୋଖରାରେ ବୁଡ଼ି ସଲିଳ ସମାଧି
ପଙ୍କ ସଫାବେଳେ ପୋଖରାରେ ବୁଡ଼ି ସଲିଳ ସମାଧି

Girl Drowned to Death in Pond: ଜେଜେ ମା’ର ଶୁଦ୍ଧିକ୍ରିୟା କାମ ବେଳେ ନାତୁଣୀର ଚାଲିଗଲା ଜୀବନ । ଏହିଭଳି ଏକ ଅଭାବନୀୟ ଘଟଣା ଆଜି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରତଙ୍ଗ ଗ୍ରାମରେ ଘଟିଯାଇଛି । ଅଧିକ ପଢ଼ନ୍ତୁ

ପଙ୍କ ସଫାବେଳେ ପୋଖରାରେ ବୁଡ଼ି ସଲିଳ ସମାଧି

ଜଗତସିଂହପୁର: ଜେଜେ ମା’ର ଶୁଦ୍ଧିକ୍ରିୟା କାମ ବେଳେ ନାତୁଣୀର ଚାଲିଗଲା ଜୀବନ । ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରତଙ୍ଗ ଗ୍ରାମରେ ଘଟିଯାଇଛି । ମୃତକ ଜଣକ ଜେଜେ ମା’ର ଶୁଦ୍ଧିକ୍ରିୟା କରାଯିବାକୁ ନେଇ ଏକ ପୋଖରୀରୁ ଦଳ ସଫା କରିବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ଜଣକ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ସନ୍ଧ୍ୟାରାଣୀ ଭୋଇ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରତଙ୍ଗ ଗ୍ରାମର ସମ୍ଭୁନାଥ ଭୋଇଙ୍କ ମା’ଙ୍କର ଗତ 9 ଦିନ ତଳେ ସ୍ବାଭାବିକ ଭାବରେ ମୃତ୍ୟୁ ହୋଇଥିଲା । ପରିବାର ଓ ଆତ୍ମୀୟ ସ୍ଵଜନ ହିନ୍ଦୁ ପରମ୍ପରା ଅନୁସାରେ ଦାହ ସଂସ୍କାର ସହ ପାଳନ କରି ଆସୁଥିଲେ । ଆସନ୍ତାକାଲି (ସୋମବାର)ଦିନ ସମ୍ଭୁନାଥଙ୍କ ମା’ଙ୍କର ଦଶାହ କର୍ମ ପାଇଁ ବାରିପଟେ ଥିବା ଏକ ଅବ୍ୟବହୃତ ପୋଖରୀକୁ ପରିବାର ଲୋକେ ସଫା କରିବାକୁ ଯାଇଥିଲେ । ସେମାନଙ୍କ ସହିତ ଶମ୍ଭୁର ଝିଅ ସନ୍ଧ୍ୟାରାଣୀ ଭୋଇ ମଧ୍ୟ ଯାଇଥିଲା । ଅବ୍ୟବହୃତ ପୋଖରୀକୁ ସଫା କରିବା ସମୟରେ ସଂଧ୍ୟାରାଣୀ ହଠାତ୍‌ ବୁଡି ଯାଇଥିଲେ । ସଂଧ୍ୟାରାଣୀ ବୁଡି ଯିବାପରେ ପରିବାର ଲୋକେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା ।

ଏହା ମଧ୍ୟ ପଡ଼ନ୍ତୁ.... ପୋଖରୀରେ ବୁଡି ୨ ନାବାଳକଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା

ପରେ ଜଗତସିଂହପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସଂଧ୍ୟାରାଣୀଙ୍କୁ ଉଦ୍ଧାର କରିଥିଲେ । ପରିବାର ଲୋକ ତାଙ୍କୁ ନେଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରେ ପୋଲିସ ମୃତଦେହକୁ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜେଜେମା’ ଯିବାର 9 ଦିନରେ ନାତୁଣୀ ଚାଲିଯିବା କାରଣରୁ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି । ସଂଧ୍ୟାରାଣୀ ଗତ ମାଟ୍ରିକ ପରୀକ୍ଷାର୍ଥୀ ଭାବରେ ପୁନଙ୍ଗ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ଆଜି ତାଙ୍କର ଅକାଳ ବିୟୋଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.