ETV Bharat / state

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଚିହ୍ନଟ ହେଲାଣି ୧୩ ଫାୟାର ପଏଣ୍ଟ - Shimilipal sanctuary

author img

By ETV Bharat Odisha Team

Published : Apr 21, 2024, 2:03 PM IST

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଚିହ୍ନଟ ହେଲାଣି ୧୩ ଫାୟାର ପଏଣ୍ଟ
ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଚିହ୍ନଟ ହେଲାଣି ୧୩ ଫାୟାର ପଏଣ୍ଟ

Forest fire in Shimilipal sanctuary: ବିଶ୍ବପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନରେ ଜଙ୍ଗଲ ନିଆଁ । ୧୩ ଫାୟାର ପଏଣ୍ଟ ଚିହ୍ନଟ ସହ ନିଆଁଲିଭା କାର୍ଯ୍ୟରେ ବନ କର୍ମଚାରୀ ନିୟୋଜିତ । ଅଧିକ ପଢନ୍ତୁ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଚିହ୍ନଟ ହେଲାଣି ୧୩ ଫାୟାର ପଏଣ୍ଟ

ରାଇରଙ୍ଗପୁର: ଏବେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ କଲବଲ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ପାର ହୋଇ ଦେଶର ଅନ୍ୟତମ ଉତ୍ତପ୍ତ ଅଞ୍ଚଳ ପାଲଟିଛି । ଯାହାଫଳରେ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ସ୍ଥିତି ସୃଷ୍ଟି ହୋଇଛି । ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ତେବେ ଶିମିଳିପାଳ ଅଭୟାରଣ୍ୟର ୧୩ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ କରିଛି ବନବିଭାଗ । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।


ବନ ବିଭାଗର ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ଉତ୍ତର ବନଖଣ୍ଡରେ ସମୁଦାୟ ୮ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ନଅଣା ବନ୍ୟପ୍ରାଣୀ ବନଖଣ୍ଡର ୩ଟି ସ୍ଥାନ, ତାଳବନ୍ଧ ୱାଇଲ୍ଡ ଲାଇଫରେ ୫ଟି ସ୍ଥାନ ରହିଛି । ଠିକ ସେହିପରି ଶିମିଳିପାଳ ଦକ୍ଷିଣ-ବନଖଣ୍ଡର ଡୁକୁରା ବନ୍ୟପ୍ରାଣୀ ରେଞ୍ଜରେ ୩ଟି, ପିଠାବଟା ଉତ୍ତର-ବନ୍ୟପ୍ରାଣୀ ରେଞ୍ଜରେ ୨ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ କରିଛି ବନ ବିଭାଗ । ତେବେ ଶିମିଳିପାଳରେ ସର୍ବମୋଟ ୧୩ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ କରାଯାଇଛି । ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାକୁ ବନ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।

ନିଆଁ ଲାଗିଥିବା ସ୍ଥାନରେ ଫାୟାର ଲାଇନ ସୃଷ୍ଟି କରାଯାଇ ନିଆଁକୁ ବ୍ୟାପିବାରୁ ରୋକିବାକୁ ଉଦ୍ୟମ କରୁଛନ୍ତି ବନକର୍ମୀ । ଜଙ୍ଗଲରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ଲାଗିଯିବା ଫଳରେ ଖୁବଶୀଘ୍ର ଜଙ୍ଗଲ ମଧ୍ୟକୁ ବ୍ୟାପିବାରେ ଲାଗୁଛି । ଯାହାକୁ ବିଶେଷ ରଣନୀତିର ସହ ରୋକିବାକୁ ପ୍ରୟାସ କରୁଛନ୍ତି ବନ କର୍ମଚାରୀ । ତେବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ବ୍ୟାପିବା ଯୋଗୁଁ ବଡ଼ ବଡ ମୂଲ୍ୟବାନ ଏବଂ ଔଷଧୀୟ ବୃକ୍ଷ ଜଳିପୋଡ଼ି ପାଉଁଶ ହୋଇ ଯାଇଥିବାର ସୂଚନା ମଧ୍ୟ ରହିଛି । ବନ ବିଭାଗ କର୍ମଚାରୀମାନେ ଦିନ ରାତି ବ୍ଲୋୟର ମେସିନ ଜରିଆରେ ଫାୟାର ଲାଇନ ସୃଷ୍ଟି କରିବା ସହ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ୨୦୨୦ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ୮୨୪ଟି ଫାୟାର ପଏଣ୍ଟ ଦେଖିବାକୁ ମିଳିଥିଲା । ୨୦୨୧ ମସିହାରେ ଏହା ବୃଦ୍ଧି ପାଇ ୪୪୩୯ଟି ଫାୟାର ପଏଣ୍ଟ ଏବଂ ୨୦୨୨ ମସିହାରେ ୪୮୯ ଓ ୨୦୨୩ ମସିହାରେ ମଧ୍ୟ ଅନେକ ଫାୟାର ପଏଣ୍ଟ ଦେଖିବାକୁ ମିଳିଥିଲା । ତେବେ ଚଳିତଥର ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ବନବିଭାଗ ପ୍ରାଣପଣେ ଚେଷ୍ଟା ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:- ଆସନ୍ତାକାଲି ମଣିପୁରର 11 ବୁଥରେ ସାନି ମତଦାନ - Repolling In Manipur

ମୟୂରଭଞ୍ଜ ଜିଲ୍ଲାର ୫ଟି ବନଖଣ୍ଡରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ୫୦୫ ଜଣ ଫାୟାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ବନାଗ୍ନି ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲା ପାଇଁ ସମୁଦାୟ ୪୦ଟି ପାଟ୍ରୋଲିଂ ଭ୍ୟାନ ମଧ୍ୟ ପ୍ରଦାନ କରାଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ମୋଟ ୭୩୩ଟି ଏୟାର ବ୍ଳୋୟର ମେସିନ ବ୍ୟବହାର କରାଯାଇଛି । ଏଥିସହିତ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅବଶ୍ୟକ ସ୍ଥଳେ ଓଡ୍ରାଫ୍ ଦଳକୁ ମଧ୍ୟ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.